ପୁରୀ: ଶ୍ରୀମନ୍ଦିରରେ ଧାର୍ମିକ ବାତାବରଣକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ପୋଷାକ ପରିଧାନରେ ଶାଳୀନତା ଆଣିବାକୁ ଅଣ୍ଟା ଭିଡ଼ିଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ନୀତି ସବ୍କମିଟିର ସହମତି ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ ଆଜି ଛତିଶାନିଯୋଗକୁ ଚିଠି ଲେଖି ଏ ଦିଗରେ ସହଯୋଗ ଲୋଡ଼ିଛନ୍ତି। ହୋଟେଲ ସଂଘକୁ ଚିଠି କରି ଭକ୍ତଙ୍କୁ ଏ ଉପରେ ସଚେତନ କରିବାକୁ ନିବେଦନ କରିଛନ୍ତି। ଚିରାଫଟା ଜିନ୍ସ, ହାଫ୍ ପ୍ୟାଣ୍ଟ, ଦେହ ଦିଶିବା ଭଳି ପୋଷାକ ପରିଧାନ ନ କରି ପାରମ୍ପରିକ ପୋଷାକ ଅର୍ଥାତ୍ ଚୁଡ଼ିଦାର ପଞ୍ଜାବୀ, ଧୋତି, ଶାଢ଼ି, ସାଲୱାର ଆଦି ପିନ୍ଧି ଆସିବାକୁ ପରାମର୍ଶ ଦେଇଛନ୍ତି।
ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ପୋଷାକ ପରିଧାନରେ ଶାଳୀନତା ଆଣିବାକୁ ଗତ ୯ ତାରିଖ ନୀତି ସବ୍କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା। ଏହି ନିଷ୍ପତ୍ତି ସମ୍ପର୍କରେ ଶ୍ରୀମନ୍ଦିର ଛତିଶାନିଯୋଗର ସଭାପତି ଓ ସମ୍ପାଦକମାନଙ୍କୁ ଚିଠି ଲେଖି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଦାସ କହିଛନ୍ତି, ଭକ୍ତମାନେ ନିର୍ଦ୍ଦିଷ୍ଟ କେଉଁ ପୋଷାକ ପରିଧାନ କରି ଆସିବେ, ତାହା ଧାର୍ଯ୍ୟ ହୋଇନଥିଲେ ବି ପୁରୁଷମାନେ ଫୁଲ୍ପ୍ୟାଣ୍ଟ୍, ସାର୍ଟ, ଚୁଡ଼ିଦାର ପଞ୍ଜାବି, ଧୋତି ଆଦି ପାରମ୍ପରିକ ପୋଷାକ ପରିଧାନ କରି ଆସିପାରିବେ। ସେହିଭଳି ମହିଳାମାନେ ଶାଢ଼ି, ସାଲୱର କମିଜ ଭଳି ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ କରି ଆସିପାରିବେ। ଯାହା ଏକ ଭକ୍ତିପୂର୍ଣ୍ଣ ପରିବେଶ ସୃଷ୍ଟି କରିବ। ଆଧ୍ୟାତ୍ମିକ ସମର୍ପଣ ଭାବ ଜାଗ୍ରତ କରିବ। ଛତିଶାନିଯୋଗ କାର୍ଯ୍ୟକର୍ତ୍ତା ଶ୍ରୀଜଗନ୍ନାଥ ସଂସ୍କୃତି ଓ ମହିମାର ପ୍ରଚାରପ୍ରସାର କରି ଆସୁଛନ୍ତି। ଏଣୁ ବାହାରୁ ଆସୁଥିବା ଭକ୍ତମାନଙ୍କୁ ଏହି ମର୍ମରେ ପ୍ରଶିକ୍ଷିତ ଓ ସଚେତନ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅନୁରୋଧ କରିଛନ୍ତି।
ଶ୍ରୀମନ୍ଦିରରେ ହାଫ୍ ପ୍ୟାଣ୍ଟ, ଚିରାଫଟା ଜିନ୍ସ, ଅନାବଶ୍ୟକ ଶରୀର ପ୍ରଦର୍ଶନ କରୁଥିବା ପୋଷାକ ଓ ଧାର୍ମିକ ଭାବନାକୁ କୁଠାରାଘାତ କରୁଥିବା କୌଣସି ବି ପୋଷାକ ବର୍ଜନୀୟ ହେବ। ଏଣୁ ଶ୍ରୀଜଗନ୍ନାଥ ମନ୍ଦିରର ମହାନ ସଂସ୍କୃତି ଓ ପରମ୍ପରାର ସୁରକ୍ଷା ପାଇଁ ଛତିଶାନିଯୋଗର କାର୍ଯ୍ୟକର୍ତ୍ତା ଭକ୍ତଙ୍କୁ ଜଣାଇବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ଦାସ କହିଛନ୍ତି। ଅନ୍ୟପଟେ ପୁରୀ ହୋଟେଲ ଓ ରେଷ୍ଟୁରାଣ୍ଟ ସଂଘକୁ ଚିଠି କରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଦାସ କହିଛନ୍ତି, ସାରା ଦେଶରେ ଏଭଳି ଅନେକ ମନ୍ଦିର ରହିଛି, ଯେଉଁଠି ଧାର୍ମିକ ଭାବନାକୁ ଅକ୍ଷୁଣ୍ଣ ରଖିବା ପାଇଁ ଭକ୍ତଙ୍କ ପାଇଁ ନିର୍ଦ୍ଦିଷ୍ଟ ଡ୍ରେସକୋଡ୍ ରହିଛି।
ବହୁଦିନ ଧରି ସେବାୟତ, ଭକ୍ତଙ୍କ ସହ ଗବେଷକମାନେ ବି ଶ୍ରୀଜଗନ୍ନାଥ ମନ୍ଦିରରେ ବି ଭକ୍ତଙ୍କ କ୍ଷେତ୍ରରେ ଏହି ବ୍ୟବସ୍ଥା ଲାଗୁ କରିବାକୁ ଦାବି କରି ଆସୁଥିଲେ। ଲୋକେ ଶ୍ରୀମନ୍ଦିରକୁ ଆସିବା ବେଳେ ଯେଉଁଭଳି ପୋଷାକ ପରିଧାନ କରି ଆସୁଛନ୍ତି, ତାହା ଗ୍ରହଣଯୋଗ୍ୟ ନୁହେଁ ଓ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। ଦୂରଦୂରାନ୍ତରରୁ ଯେଉଁ ଭକ୍ତମାନେ ଶ୍ରୀମନ୍ଦିର ଦର୍ଶନ ପାଇଁ ଆସୁଛନ୍ତି, ସେମାନେ ହୋଟେଲ୍, ଗେଷ୍ଟ୍ହାଉସ୍ରେ ରହୁଛନ୍ତି। ଏଣୁ ସମସ୍ତ ହୋଟେଲ, ରେଷ୍ଟୁରାଣ୍ଟ୍, ଗେଷ୍ଟହାଉସ୍ରେ ଏ ଉପରେ ପର୍ଯ୍ୟଟକମାନଙ୍କୁ ସଚେତନ କରିବାକୁ ସେ ନିବେଦନ କରିଛନ୍ତି। ଏଥିସହ ହୋଟେଲ୍, ରେଷ୍ଟୁରାଣ୍ଟ, ଗେଷ୍ଟହାଉସ୍ କର୍ମଚାରୀ, ଟୁରିଷ୍ଟ ଗାଇଡ୍ସ, ଯାତ୍ରୀ ପଣ୍ଡାମାନେ ମିଳିତ ଭାବେ ଯେଭଳି ଏ ଉପରେ ସଚେତନ କରିପାରିବେ ସେ ଉପରେ ଦୃଷ୍ଟି ଦେବାକୁ ମୁଖ୍ୟ ପ୍ରଶାସକ ନିବେଦନ କରିଛନ୍ତି। ଏହି ସଚେତନତା ଡିସେମ୍ବର ଶେଷ ପର୍ଯ୍ୟନ୍ତ ଚାଲିବ। ନୂଆବର୍ଷରୁ ନୂଆ ଉତ୍ସାହ ସହ ପାରମ୍ପରିକ ପୋଷାକ ପରିଧାନ ନିୟମକୁ କଡ଼ାକଡ଼ି କରାଯିବ ବୋଲି ମୁଖ୍ୟ ପ୍ରଶାସକ ଚିଠିରେ କହିଛନ୍ତି।