ଭୁବନେଶ୍ବର : ଶୂନ୍ୟକାଳରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଯାଜପୁର ଜିଲ୍ଲାର କଳିଙ୍ଗନଗର ଅଞ୍ଚଳର ଅପପୁଷ୍ଟି ପ୍ରସଙ୍ଗ ଉଠାଇଥିଲେ। ସେ କହିଲେ, କିଛିବର୍ଷ ପୂର୍ବେ ନଗଡ଼ାର ଚିତ୍ର ଆମେ ଦେଖିଥିଲୁ। ଏବେ ନଗଡ଼ାଠାରୁ କଳିଙ୍ଗନଗର ଚିତ୍ର ଆହୁରି କଦର୍ଯ୍ୟ। ଶିଳ୍ପ ସମୃଦ୍ଧ କଳିଙ୍ଗନଗରରେ ଅପପୁଷ୍ଟି ଜୀବନ ନେଉଥିବା ସଂକ୍ରାନ୍ତୀୟ ‘ସମ୍ବାଦ’ରେ ପ୍ରକାଶ ପାଇଥିବା ଏକ ଖବରକୁ ମଧ୍ୟ ଶ୍ରୀ ମିଶ୍ର ଉଲ୍ଲେଖ କରିଥିଲେ।
ନଗଡ଼ାଠାରୁ କଦର୍ଯ୍ୟ ହେଲାଣି କଳିଙ୍ଗନଗର ଚିତ୍ର: ଜୟନାରାୟଣ
ବିରୋଧୀଦଳ ନେତା ନଗଡ଼ା ଯାଇ ଦେଖନ୍ତୁ: ଅମର
ସେ ଆହୁରି କହିଥିଲେ, କେବଳ ନଗଡ଼ା କି କଳିଙ୍ଗ ନଗର ନୁହେଁ, ସାରାରାଜ୍ୟରେ ଏମିତି ଅବସ୍ଥା। ରାଜ୍ୟରେ ୧୯% ଶିଶୁ ଜନ୍ମରୁ କମ୍ ଓଜନ। ୩୧% ଶିଶୁ ପୁଷ୍ଟିହୀନତାର ଶିକାର। ୬୪% ଶିଶୁ ରକ୍ତହୀନତାର ଶିକାର। ୬୧.୮% ଗର୍ଭବତୀ ମହିଳା ରକ୍ତହୀନତାର ଶିକାର। ଏହାପରେ ବି କ’ଣ ସରକାର କହିବେ ଯେ ରାଜ୍ୟରେ ବିକାଶ ହୋଇଛି। ଏଇଟା କ’ଣ ମୋ ସରକାର ? ଏଇଟା କ’ଣ ୫-ଟି? ଏହି ବିଭାଗ ଦାୟିତ୍ବରେ ଥିବା ମନ୍ତ୍ରୀ ଏହାର ଉତ୍ତର ରଖିବାକୁ ବାଚସ୍ପତି ରୁଲିଂ ଦିଅନ୍ତୁ।
ଶାସକ ଦଳର ବରିଷ୍ଠ ସଭ୍ୟ ଅମର ଶତପଥୀ ଏହାର ପ୍ରତିବାଦ କରିଥିଲେ। ସେ କହିଥିଲେ, ନିର୍ଦ୍ଦିଷ୍ଟ ଘଟଣାକୁ ନେଇ ସୁକିନ୍ଦା ଓ କଳିଙ୍ଗନଗରକୁ ବଦନାମ କରାଯିବା ଠିକ୍ ନୁହେଁ। ବିରୋଧୀ ଦଳ ନେତା ନଗଡ଼ା ଯାଇ ଚିତ୍ର ଦେଖନ୍ତୁ। ସେଠାରେ କେତେ ବିକାଶ ହୋଇଛି, ତାହା ସେ ଅନୁଭବ କରିପାରିବେ।
ଏନ୍ଏଚ୍ଆର୍ସିରେ ମାମଲା
ଯାଜପୁର : ଶିଳ୍ପ ସମୃଦ୍ଧ କଳିଙ୍ଗନଗରରେ ଦାରିଦ୍ର୍ୟର କରାଳ ରୂପ। ଦାନଗଦୀ ବ୍ଲକ୍ ରଣାଗୁଣ୍ଡି ପଞ୍ଚାୟତ ରଗଡ଼ା-ଘାଟିସାହିର ବାଙ୍କୁ ହେମ୍ବ୍ରମ ଓ ତୁଳସୀ ହେମ୍ବ୍ରମଙ୍କ ୩ ବର୍ଷର ଶିଶୁକନ୍ୟା ସାଂଘାତିକ ଅପପୁଷ୍ଟିରେ ଆକ୍ରାନ୍ତ ହୋଇଛି। ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଏହି ଶିଶୁକନ୍ୟାକୁ ଯାଜପୁରରୋଡ୍ ପୁଷ୍ଟିସାଧନ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏ ସଂକ୍ରାନ୍ତରେ ସାମାଜିକ କର୍ମୀ ମଣ୍ଟୁ ଦାସ ଗତ ୨୧ ତାରିଖରେ ଜାତୀୟ ମାନବାଧିକାର ଆୟୋଗ (ଏନ୍ଏଚ୍ଆର୍ସି)ରେ ଅଭିଯୋଗ କରିଥିଲେ। ଏନେଇ ଆଜି ଜାତୀୟ ମାନବାଧିକାର ଆୟୋଗରେ କେସ୍ ନମ୍ବର- ୮୯୦/୧୮/୨୪/୨୦୨୩ ରୁଜୁ ହୋଇଛି। ସରକାରୀ ଯୋଜନା କାର୍ଯ୍ୟକାରୀ କରିବାରେ ଅବହେଳାରୁ ଶିଶୁ ଅପପୁଷ୍ଟିର ଶିକାର ହୋଇଥିବା ନେଇ ଅଭିଯୋଗରେ ଦର୍ଶାଯାଇଛି।
ଏଠାରେ ସୂଚନାଯୋଗ୍ୟ ଯେ ଏହି ଦମ୍ପତିଙ୍କର ୯ ସନ୍ତାନଙ୍କ ମଧ୍ୟରୁ ଜଣେ ଅପପୁଷ୍ଟିରେ ଜୀବନ ହରାଇଛି। ବାଙ୍କୁ ଜଣେ ଦିନମଜୁରିଆ। ତାଙ୍କର ଆଧାର କାର୍ଡ ନଥିବାରୁ ସେ ୩ ବର୍ଷ ହେଲା ରାସନକାର୍ଡରେ ଚାଉଳ ପାଇବାରୁ ବଞ୍ଚିତ ହୋଇଛନ୍ତି। ମାତ୍ର ପ୍ରଶାସନ ତଥା ଯୋଗାଣ ବିଭାଗ ଏ ଦିଗରେ କୌଣସି ପଦକ୍ଷେପ ନେଇନାହାନ୍ତି। ଆଧାର ତାଙ୍କ ମୁହଁରୁ କେବଳ ଆହାର ଛଡ଼ାଇ ନେଇନାହିଁ, ବରଂ ତାଙ୍କ ଶିଶୁମାନଙ୍କୁ ପୁଷ୍ଟିହୀନତାରେ ଶଢ଼ିବାକୁ ବାଧ୍ୟ କରିଛି। କୌଣସି ଶିଶୁଙ୍କର ମଧ୍ୟ ଆଧାରକାର୍ଡ ହୋଇନାହିଁ କି ଜନ୍ମ ପ୍ରମାଣପତ୍ର ମଧ୍ୟ ନାହିଁ। ଫଳରେ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ତଥ୍ୟରେ ମଧ୍ୟ ତାଳମେଳ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/Nutrition.jpg)