ପୁରୀ : ଭକ୍ତ-ଭଗବାନଙ୍କୁ ଆଉ ଅନ୍ତର କରନି। ଖରାତରାରେ ଯନ୍ତ୍ରଣାରେ ଛଟପଟ କରନି। ତୁରନ୍ତ ଶ୍ରୀମନ୍ଦିର ଚାରିଦ୍ବାର ଖୋଲ। ଭକ୍ତ-ଭଗବାନଙ୍କ ଭିତରେ ପ୍ରାୟ ଦେଢ଼ ବର୍ଷର ଏଭଳି କଟକଣା ପରେ ପ୍ରଶାସନ ନିକଟରେ ଏ ଥିଲା ଭକ୍ତ, ସେବାୟତମାନଙ୍କ ଭାବପୂର୍ଣ୍ଣ ନିବେଦନ। ତଥାପି ନା ପ୍ରଶାସନ ଶୁଣିଲା, ନା ସରକାର ଶୁଣିଲେ। ବହୁ ଦାବି ପରେ ବି ଦ୍ବାର ନ ଖୋଲିବାରୁ ନାଚାର ଭକ୍ତଙ୍କ ସହ ସ୍ବର ମିଳାଇଲେ ସେବାୟତ, ଆଇନଜୀବୀ, ବିଭିନ୍ନ ସଂଗଠନ। ଚାରିଦ୍ବାର ତୁରନ୍ତ ନ ଖୋଲିଲେ, ଆନ୍ଦୋଳନକୁ ଓହ୍ଲାଇବାକୁ ଖୋଲା ଚେତାବନୀ ଦେଲେ। ଏବେ ଭକ୍ତଙ୍କ ଏହି ଅସନ୍ତୋଷକୁ ପ୍ରଶମିତ ପାଇଁ ମହାନାଟକ ରଚିଛି ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ। କେବଳ ପଶ୍ଚିମଦ୍ବାର ପୁରୀବାସୀଙ୍କ ପାଇଁ ଖୋଲିଦେଇ, ନିରବ ବସିପଡ଼ିଛି। ଏହି ନିଷ୍ପତ୍ତି ପରେ ସାରା ଓଡ଼ିଶାରେ ଭକ୍ତଙ୍କ ମହଲରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି। ସେବାୟତ, ବିଭିନ୍ନ ସଂଗଠନ ବି ଏହି ନିଷ୍ପତ୍ତିର ବିରୋଧ କରିବା ସହ ଭକ୍ତଙ୍କ ଭିତରେ ଏପରି ପାତରଅନ୍ତର ଚଳିବନି ବୋଲି ଖୋଲା ମତ ରଖିଛନ୍ତି।
ଅପରପକ୍ଷେ ଏବେ ଜଚାରିଦ୍ବାର ଖୋଲିବା ସମ୍ଭବ ନୁହେଁ ବୋଲି ଆଜି ପ୍ରଶାସନ ପକ୍ଷରୁ କୁହାଯାଇଛି। ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ବର୍ତ୍ତମାନ ଯେହେତୁ ପରିକ୍ରମା କାମ ଚାଲିଛି, ଚାରିଦ୍ବାର ଖୋଲିବା ସମ୍ଭବ ନୁହେଁ। ସବ୍କମିଟି ନିଷ୍ପତ୍ତିକ୍ରମେ ଆମେ ଆଜି ପଶ୍ଚିମଦ୍ବାର ପୁରୀବାସୀଙ୍କ ପାଇଁ ଖୋଲିଛୁ। ଅତିଶୀଘ୍ର ପରିକ୍ରମା ପ୍ରକଳ୍ପ କାମ ସାରିବାକୁ ଚେଷ୍ଟା କରୁଛୁ। ପରିକ୍ରମା ପ୍ରକଳ୍ପ ସରିବା ପରେ ସମସ୍ତ ନିଯୋଗ ସହ ଆଲୋଚନା କରି ଚାରିଦ୍ବାର ଖୋଲିବା ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ବର୍ମା କହିଛନ୍ତି।
ବହୁଦିନରୁ ଭକ୍ତଙ୍କ ପାଇଁ ଚାରିଦ୍ବାର ଖୋଲିବାକୁ ଦାବି ପରେ ବି ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ କର୍ଣ୍ଣପାତ ନ କରିବାରୁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଦସ୍ତଖତ ପଠାଇବା ଅଭିଯାନ ଆରମ୍ଭ ହେଲା। ପୁରୀ ଓକିଲ ସଂଘ, ସଚେତନ ନାଗରିକ ମଞ୍ଚ, ଶ୍ରୀଜଗନ୍ନାଥ ସେନା, ଭାରତୀୟ ବିକାଶ ପରିଷଦ ଆଦି ସଂଗଠନ ଏହା ବିରୋଧରେ ଖୋଲା ଆନ୍ଦୋଳନ ଚେତାବନୀ ଦେଲେ। ଧାରଣା ଦେଲେ, ପ୍ରତିବାଦ ଜଣାଇଲେ। ଶ୍ରୀମନ୍ଦିର ଛତିଶାନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ପୂର୍ବତନ ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ମହେଶ୍ବର ମହାନ୍ତି, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକଙ୍କ ସହ ଅନ୍ୟମାନେ ବି ଚାରିଦ୍ବାର ଖୋଲିବା ଉପରେ ମୁହଁ ଖୋଲିଲେ। ଗୋଟିଏ ନୁହେଁ, ଚାରିଦ୍ବାର ଖୋଲିଲେ ଯାଇ ଭକ୍ତଙ୍କୁ ଦୁର୍ଦ୍ଦଶା ଦୂର ହେବ ବୋଲି ସ୍ପଷ୍ଟ ମତ ଦେଲେ। ଚାରିଆଡ଼ୁ ବିରୋଧ ଓ ଚାପ ପରେ ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକ ଡାକି ସବ୍କମିଟି ଗଠନ କରି ମୁଣ୍ଡରୁ ଦୋଷ ଖସାଇ ଦେଲା। ତେବେ ତରବରିଆ ଭାବେ ପୁରୀବାସୀଙ୍କ ପାଇଁ ପଶ୍ଚିମଦ୍ବାର ଖୋଲି ଦିଆଗଲା।
ଶ୍ରୀଜଗନ୍ନାଥ ସେନା ଆବାହକ ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ଚାରିଦ୍ବାର ଖୋଲିବା ନିଷ୍ପତ୍ତି କି ବନ୍ଦ କରିବା ନିଷ୍ପତ୍ତି, ଶ୍ରୀମନ୍ଦିର ଛତିଶାନିଯୋଗ କି ପରିଚାଳନା କମିଟି କ୍ଷମତା ପରିସରଭୁକ୍ତ ନୁହଁ। ଏମାନେ କେବଳ ସେବାୟତ କଲ୍ୟାଣ ଅବା ଶ୍ରୀମନ୍ଦିର ନୀତିକାନ୍ତି କଥା ବିଚାର କରିପାରିବେ। ଶ୍ରୀମନ୍ଦିର ପ୍ରଶାସନ ଅବା ଜିଲ୍ଲା ପ୍ରଶାସନ ଚାହିଁଲେ, ଚାରିଦ୍ବାର ଖୋଲିପାରିବ। ସରକାର ଚାହିଁଲେ କ୍ଷଣିକରେ ଚାରିଦ୍ବାର ଭକ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇପାରିବ। କିନ୍ତୁ ଛତିଶାନିଯୋଗ ବୈଠକ ଓ ସବ୍କମିଟି ଆଳରେ ମହାନାଟକ ରଚାଗଲା। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କୁ କୁହାଇ କେବଳ ପଶ୍ଚିମଦ୍ବାର ଖୋଲିବାର ଷଡ଼୍ଯନ୍ତ୍ର କରାଗଲା। ଯଦି ପଶ୍ଚିମଦ୍ବାର ଖୋଲିପାରୁଛି, ତେବେ ଅନ୍ୟ ଦ୍ବାର କାହିଁକି ନୁହେଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି, ପୂର୍ବରୁ ଆମେ ଚାରିଦ୍ବାର ଖୋଲିବାକୁ ଦାବି କରୁଥିଲୁ, ଆଜି ବି ସେହି ଦାବି ରଖୁଛୁ।
ଦଇତାପତି ନିଯୋଗ ସ୍ଥାୟୀ ସଭାପତି ନବକିଶୋର ପତି ମହାପାତ୍ର କହିଛନ୍ତି, ପଶ୍ଚିମଦ୍ବାର ଖୋଲିଦେଲେ ସତ, କିନ୍ତୁ ଏହା ଭକ୍ତଙ୍କ ପାଇଁ ନୁହେଁ, ପୁରୀବାସୀଙ୍କ ପାଇଁ। ଭକ୍ତଙ୍କ ପାଇଁ କିଛି କରାଗଲାନି। ଭକ୍ତମାନେ ପୂର୍ବରୁ ଅସୁବିଧା ଭୋଗୁଥିଲେ, ଏବେ ବି ସେହି ଅସୁବିଧା ଭୋଗିବେ। ଯେଉଁ ସିଂହଦ୍ବାର ଦେଇ ଆସୁଥିଲେ, ସେହି ସିଂହଦ୍ବାର ଦେଇ ଧାଡ଼ିରେ ଆସିବେ। ଖରାତରାରେ କଷ୍ଟ ପାଇବେ। ପୁରୀବାସୀ ପରିଚୟପତ୍ର ଦେଖାଇ ଯିବା ନିଷ୍ପତ୍ତି ବି ଦୁଃଖଦାୟକ। ଚାରିଦ୍ବାର ଖୋଲିବା ଆମର ଦାବି ବୋଲି ଶ୍ରୀ ଦତ୍ତ ମହାପାତ୍ର କହିଛନ୍ତି।
ବରିଷ୍ଠ ସେବାୟତ କାଶୀନାଥ ଖୁଣ୍ଟିଆ କହିଛନ୍ତି, ଚାରିଦ୍ବାରର ମହତ୍ତ୍ବ ଭିନ୍ନ। ଭକ୍ତ ନିଜ ମନ ଅନୁସାରେ ବିଭିନ୍ନ ଦ୍ବାର ଦେଇ ଦର୍ଶନ ପାଇଁ ଆସେ। ଗୋଟିଏ ଦ୍ବାର ଖୋଲି ସରକାର ଚୁପ ହୋଇ ବସିଯିବା ଠିକ୍ ନୁହେଁ। ଭକ୍ତମାନେ ଚାରିଦ୍ବାରରେ ସୁବିଧାରେ କିଭଳି ଦର୍ଶନ କରିବେ, ସେ ବ୍ୟବସ୍ଥା କରାଯାଉ। ବରିଷ୍ଠ ସେବାୟତ ସୋମନାଥ ଖୁଣ୍ଟିଆ କହିଛନ୍ତି, ପଶ୍ଚିମଦ୍ବାର ଖୋଲିବା ଏକ ମହାଡ୍ରାମା। ଏହା ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଛି। ୨୦୨୪ ନିର୍ବାଚନ ପୂର୍ବରୁ ପୁରୀବାସୀଙ୍କ ସ୍ବରକୁ ନିରବ କରିବା ପାଇଁ ଏହି ମହାନାଟକ କରାଯାଉଛି। ଚାରିଦ୍ବାର ନ ଖୋଲିଲେ, ଭକ୍ତଙ୍କୁ ଅସୁବିଧା ଦୂର ହେବନି, ପୂର୍ବଭଳି ଯନ୍ତ୍ରଣା ଭୋଗିବେ। ଭକ୍ତଙ୍କ ଭିତରେ ଏଭଳି ପାତରଅନ୍ତର ନ କରାଯାଉ ବୋଲି ଶ୍ରୀ ଖୁଣ୍ଟିଆ କହିଛନ୍ତି। ବିଶ୍ବାବସୁ ବିନାୟକ ଦାସମହାପାତ୍ର କହିଛନ୍ତି, ଭକ୍ତଙ୍କ କଷ୍ଟ କିଛିଟା ଲାଘବ ପାଇଛନ୍ତି, କିନ୍ତୁ ତାହା ସମ୍ପୂର୍ଣ୍ଣ ନୁହେଁ। ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରିବାକୁ ସେ ଦାବି କରିଛନ୍ତି।