କଟକ : ଆର୍ଦ୍ରଭୂମି ସୁରକ୍ଷା ମାମଲାରେ ଡ୍ରୋନ୍ କ୍ୟାମେରା ମାଧ୍ୟମରେ ପାଟ୍ରୋଲିଂ ବ୍ୟବସ୍ଥା ପ୍ରସଙ୍ଗରେ ହାଇକୋର୍ଟରେ ସତ୍ୟପାଠ ଦାଖଲ ହୋଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍‌ .ମୁରଲୀଧର ଓ ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ‌ରେ ମାମଲାର ଶୁଣାଣି ସମୟରେ ଏହି ସତ୍ୟପାଠ ଦାଖଲ କରାଯାଇଛି।

Advertisment

ସତ୍ୟପାଠରେ ଉଲ୍ଲେଖ କରାଯାଇଛି ଯେ ଚିଲିକା ଓ ଭିତରକନିକା ଅଞ୍ଚଳର ଡ୍ରୋନ୍ କ୍ୟାମେରା ମାଧ୍ୟମରେ ପାଟ୍ରୋଲିଂ ପାଇଁ ଖୋର୍ଦ୍ଧା, ଗଞ୍ଜାମ, ପୁରୀ ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରାଜସ୍ବ ବିଭାଗକୁ ଚିଠି ଲେଖିଛନ୍ତି। ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ କରାଯାଉଥିବା ସ୍ଥାନରେ କିଛିଦିନ ପରେ ପୁଣି ଘେରି ଗଢ଼ି ଉଠିବା ଘଟଣାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରି ଡ୍ରୋନ୍ ମାଧ୍ୟମରେ ପାଟ୍ରୋଲିଂ ବ୍ୟବସ୍ଥା କରିବା ଉପରେ ଅକ୍ଟୋବର ୨୬ରେ ଗୁରୁତ୍ବାରୋପ କରିଥିଲେ। ଏହି ନିର୍ଦ୍ଦେଶ ପାଳନ କରି ଜିଲ୍ଲାପାଳମାନେ ଚିଲିକା ଓ ଭିତରକନିକାରେ ଡ୍ରୋନ୍ ପାଟ୍ରୋଲିଂ ପାଇଁ ଯୋଜନା ପ୍ରସ୍ତୁତ କରିବା ସହିତ ଏ ସଂପର୍କିତ ପ୍ରସ୍ତାବକୁ ରାଜସ୍ବ ବିଭାଗ ନିକଟକୁ ପଠାଇଛନ୍ତି ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ଆସନ୍ତା ଜାନୁଆରି ୧୬କୁ ହାଇକୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି।

ଅନ୍ୟପଟେ ଚିଲିକାରେ ବେଆଇନ ଚିଙ୍ଗୁଡିଘେରି ଉଚ୍ଛେଦ ହେଉଥିବା ବେଳେ ପାରମ୍ପରିକ ମତ୍ସ୍ୟଜୀବୀ ଓ ଅଣମତ୍ସ୍ୟଜୀବୀଙ୍କ ଜୀବନଜୀବିକା ପାଇଁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଓ ରାଜସ୍ବ ବିଭାଗ ସ୍ବତନ୍ତ୍ର ନୀତି ନିର୍ଦ୍ଧାରଣ କରିବା ପାଇଁ ହାଇକୋର୍ଟ ସେପ୍ଟେମ୍ବର ୧୫ରେ ଯେଉଁ ନିର୍ଦ୍ଦେଶ ଦେଇଥିଲେ, ତାହା ଅନୁପାଳନ ହୋଇନାହିଁ ବୋଲି ଆଜି ଶୁଣାଣି ସମୟରେ ଦର୍ଶାଯାଇଥିଲା। ଆମିକସ୍ କ୍ୟୁରୀ ମୋହିତ ଅଗ୍ରୱାଲ ମାମଲା ପରିଚାଳନା କରୁଛନ୍ତି।