ସମ୍ବଲପୁର : ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନକୁ ହାଇକୋର୍ଟ ଓକିଲ ସଂଘ ଖୋଲାଖୋଲି ବିରୋଧ କରୁଥିବାରୁ ସମ୍ବଲପୁର ନାଗରିକ କ୍ରିୟାନୁଷ୍ଠାନ କମିଟି ଏହାର ତୀବ୍ର ନିନ୍ଦା କରିଛି। କୌଣସି ଚାପର ବଶବର୍ତ୍ତୀ ନହୋଇ କେନ୍ଦ୍ର ସରକାରଙ୍କୁ ସକରାତ୍ମକ ମତ ପ୍ରେରଣ କରିବାକୁ ମାନ୍ୟବର ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ କମିଟି ପକ୍ଷରୁ ନିବେଦନ କରାଯାଇଛି। ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ପାଇ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ପଠାଇଛନ୍ତି। କେନ୍ଦ୍ର ସରକାର ସହୃଦୟତା ପ୍ରଦର୍ଶନକରି ପୁଣି ରାଜ୍ୟ ସରକାରଙ୍କୁ ଏକ ସମନ୍ବିତ ପ୍ରସ୍ତାବ ପଠାଇବାକୁ ରାଜ୍ୟ ସରକାରଙ୍କୁ ପୁଣି ଅନୁରୋଧ କରିଛନ୍ତି। ଏଣୁ ନାଗରିକ କ୍ରିୟାନୁଷ୍ଠାନ କମିଟିର ବୈଠକରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦିଆଯାଇଥିଲା। ଏଥି ସହିତ ତୁରନ୍ତ ଆବଶ୍ୟକୀୟ ପ୍ରସ୍ତାବ ପଠାଇବା ଦିଗରେ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି।
ପ୍ରଶାସନିକ ଓ ନ୍ୟାୟିକ ବିକେନ୍ଦ୍ରୀକରଣ ଏକ ସ୍ବାଭାବିକ ପ୍ରକ୍ରିୟା ଅଟେ। ଏହି ପ୍ରକ୍ରିୟା ଅନୁସାରେ ଦେଶର ବିଭିନ୍ନ ରାଜ୍ୟ ଓ ଜିଲ୍ଲାଗୁଡ଼ିକର ବିଭାଜନ ହୋଇସାରିଛି। ବିଭିନ୍ନ ବିଭାଗ ମଧ୍ୟରେ ବି ବିଭାଜନ ପ୍ରକ୍ରିୟାରୁ ଗୁରତ୍ବ ଦିଆଯାଉଛି। ନ୍ୟାୟିକ ପ୍ରକ୍ରିୟାକୁ ସହଜ କରିବା ପାଇଁ ହାଇକୋର୍ଟର ସ୍ଥାୟୀ ସ୍ଥାପନ ଦାବିରେ ଗତ ୫୦ ବର୍ଷ ଧରି ଆନ୍ଦୋଳନ ଚାଲିଛି। ହାଇକୋର୍ଟ ବେଞ୍ଚ ସ୍ଥାପନକୁ ହାଇକୋର୍ଟ ଓକିଲ ସଂଘ ବିରୋଧ କରିବା ଘଟଣା ସମଗ୍ର ପଶ୍ଚିମ ଓଡ଼ିଶାବାସୀଙ୍କୁ ବ୍ୟଥିତ ଓ ପ୍ରତିକ୍ରିୟାଶୀଳ କରିଛି। ଏଭଳି ଆଭିମୁଖ୍ୟର ପରିଣାମ ଭୟାବହ ହୋଇପାରେ। ଏଣୁ, ଏଭଳି କାର୍ଯ୍ୟରୁ କ୍ଷାନ୍ତ ହୋଇ ସମୟୋଚିତ ବିକେନ୍ଦ୍ରୀକରଣରେ ସହାୟକ ହେବା ଆବଶ୍ୟକ ବୋଲି ବୈଠକର ମତପ୍ରକାଶ ପାଇଥିଲା। ଓଡ଼ିଶାର ସବୁ ଅଂଚଳର ବୁଦ୍ଧିଜୀବୀ ରାଜ୍ୟର ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଏକଜୁଟ ହେବାକୁ ରାଜ୍ୟର ବୁଦ୍ଧିଜୀବୀମାନଙ୍କୁ ଅନୁରୋଧ କରାଯାଇଛି। ବୈଠକର ଅଶୋକ କୁମାର ମେହେର, ପ୍ରଫୁଲ୍ଲ ହୋତା, ଦୀପକ କୁମାର ପଣ୍ଡା, ଶିବପ୍ରସାଦ ମେହେର ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Orissa-High-Court.jpg)