ଶ୍ରୀମନ୍ଦିର ପ୍ରଶାସନିକ କୋଠା ନିର୍ମାଣ ଅନୁମତି ପ୍ରସଙ୍ଗ: ଅନୁଧ୍ୟାନ କଲେ ଏନ୍‌ଏମ୍‌ଏସ ସଦସ୍ୟ

ପରିକ୍ରମା ପ୍ରକଳ୍ପ ବୁଲିବା ସହ କୋଣାର୍କରେ ପ୍ରତ୍ନତତ୍ତ୍ବ ବିଭାଗ କାମ ଦେଖିଲେ

ପୁରୀ : ଶ୍ରୀମନ୍ଦିର ପ୍ରଶାସନିକ କୋଠା ନିର୍ମାଣକୁ ନେଇ ପ୍ରତ୍ନତତ୍ତ୍ବ ବିଭାଗ ଓ ଏନ୍‌ଏମ୍‌ଏ ଆପତ୍ତି ଉଠାଇବା ପରେ ଏ ଉପରେ ପୁନଃଅନୁମତି ମାଗିଥିଲା ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର କାର୍ଯ୍ୟାଳୟ ରୂପରେଖ ବଦଳାଇ ନିର୍ମାଣକୁ ଅନୁମତି ଦେବାକୁ ଏନ୍‌ଏମ୍‌ଏକୁ ଆବେଦନ କରିଥିଲା। ଏହି ଆବେଦନ ପରେ ଶନିବାର ଦିନ ଏନ୍‌ଏମ୍‌ଏ(ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ) ସଦସ୍ୟ ପୁରୀ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଓ ଓବିସିସି ଅଧିକାରୀଙ୍କ ସହ ପ୍ରକଳ୍ପ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ବି ବୁଲି ଦେଖିଛନ୍ତି। ପରେ କୋଣାର୍କ ଯାଇ ପ୍ରତ୍ନତତ୍ତ୍ବ ବିଭାଗର କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି।

ଏନ୍‌ଏମ୍‌ଏ ଅସ୍ଥାୟୀ ସଦସ୍ୟ କୈଳାସ ରାଓ ଶନିବାର ମଧ୍ୟାହ୍ନରେ ଶ୍ରୀମନ୍ଦିରଠାରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ପରେ ଶ୍ରୀମନ୍ଦିର ପ୍ରଶାସନିକ କୋଠା ନିର୍ମାଣସ୍ଥଳକୁ ଯାଇ ସ୍ଥିତି ପରଖିଥିଲେ। ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନାଙ୍କ ସହ ଓବିସିସି ସିଜିଏମ, ସହକାରୀ ମୁଖ୍ୟ ଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀଙ୍କୁ ପ୍ରକଳ୍ପ ସମ୍ପର୍କରେ ପଚାରି ବୁଝିଥିଲେ।

ସୂଚନାଯୋଗ୍ୟ, ଗତବର୍ଷ ଶ୍ରୀମନ୍ଦିର ପ୍ରଶାସନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସହ ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ପ୍ରଶାସନିକ କୋଠା ପାଇଁ ଅନୁମତି ମାଗିଥିଲା। ଶ୍ରୀମନ୍ଦିର ଚତୁଃପାର୍ଶ୍ବ ନିୟନ୍ତ୍ରିତ ଅଞ୍ଚଳର ଉତ୍ତର-ପୂର୍ବଦ୍ବାର କୋଣରେ ୨୬୩୮.୯୧୧ ବର୍ଗମିଟର ଜାଗାରେ ୧୩.୨୦୮ ମିଟର ଉଚ୍ଚତା ବିଶିଷ୍ଟ ତିନି ମହଲାର ଏହି ପ୍ରଶାସନିକ କୋଠା ନିର୍ମାଣ କରାଯିବ ବୋଲି ଆବେଦନପତ୍ରରେ ଉଲ୍ଲେଖ କରାଯାଇଥିଲା। କିନ୍ତୁ ଏନ୍‌ଏମ୍‌ଏ ଏଥିରେ ଆପତ୍ତି ଉଠାଇଥିଲେ। ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ, ଗତ ସେପ୍ଟେମ୍ବରରୁ ଏନ୍‌ଏମ୍‌ଏର ଯେଉଁ ଏନ୍‌ଓସି ଦେଖାଇ ଆସୁଥିଲେ, ସେଥିରେ ସ୍ପଷ୍ଟ ‌ଉଲ୍ଲେଖ କରାଯାଇଥିଲା ଯେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଭିନ୍ନ ଏକ ପ୍ରକଳ୍ପ। ଏହାକୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଭିତରେ ନ ରଖି ଭିନ୍ନ ଭାବେ ଆବେଦନ କର। ଏହାକୁ ନିୟନ୍ତ୍ରିତ(ରେଗୁଲେଟେଡ୍‌) ଅଞ୍ଚଳରେ ନିର୍ମାଣ ପାଇଁ ଅନୁମତି ମାଗ। ଅଧିକ ଉଚ୍ଚର କୋଠା ହେଲେ ଶ୍ରୀମନ୍ଦିର ମେଘନାଦ ପାଚେରି ଲୁଚିଯିବ, ଏଣୁ ପ୍ରଶାସନିକ କୋଠାର ଉଚ୍ଚତା ୧୦ ମିଟର ଭିତରେ ରଖିବାକୁ ଏନ୍‌ଏମ୍‌ଏ କହିଥିଲା। ଏହି ଚିଠି ପରେ ଶ୍ରୀମନ୍ଦିର ପ୍ରଶାସନ ଶ୍ରୀମନ୍ଦିର ପ୍ରଶାସନିକ କୋଠାର ନୂଆ ଡିପିଆର୍‌ ସହ ଚଳିତବର୍ଷ ଏନ୍‌ଏମ୍‌ଏକୁ ପୁନଃ ଆବେଦନ କରିଥିଲା।

ସମ୍ବନ୍ଧିତ ଖବର