କୋଣାର୍କ : କୋଣାର୍କ ସୂର୍ଯ୍ୟମନ୍ଦିର ମୁଖଶାଳାର ଗର୍ଭଗୃହରୁ ବାଲି କଢ଼ାଯିବା ପାଇଁ ଚୂଡ଼ାନ୍ତ ହୋଇସାରିଛି। ମାତ୍ର ଏନେଇ ପ୍ରସ୍ତୁତି ବେଶ୍ ଧିମା ରହିଛି। ବାଲି କଢ଼ାଯିବା ପାଇଁ ଆନୁଷଙ୍ଗିକ ଭିତ୍ତିଭୂମିର ସୁଦୃଢ଼ୀକରଣ କାର୍ଯ୍ୟ ନାମକୁ ମାତ୍ର ଚାଲିଛି। ଏପରିକି ବାଲି କଢ଼ାଯିବା ପାଇଁ ମାସମାସ ଧରି ଯନ୍ତ୍ରାଶଂ ପଡ଼ି ରହିଥିବା ବେଳେ ତାହାର ଉପଯୋଗ କରାଯାଉନାହିଁ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ସୂର୍ଯ୍ୟମନ୍ଦିରର ସବୁଜ ଘାସଗାଲିଚା ମଧ୍ୟରେ ନାଲି ମୋରମ୍ ରାସ୍ତା ତିଆରି କରି ଏବେ ଏଏସ୍ଆଇ କର୍ତ୍ତୃପକ୍ଷ ବିବାଦୀୟ ହୋଇ ପଡ଼ିଛନ୍ତି।
ସୂଚନା ମୁତାବକ କୋଣାର୍କ ସୂର୍ଯ୍ୟମନ୍ଦିରର ସମମ୍ବେଦନଶୀଳ ଅବସ୍ଥାକୁ ନେଇ ‘ସମ୍ବାଦ’ରେ ୨୦୧୮ ଅକ୍ଟୋବର ମାସରୁ ଲଗାତାର ରିପୋର୍ଟ ପ୍ରକାଶିତ ହୋଇଆସୁଛି। ୨୦୨୦ ଫେବ୍ରୁଆରି ୧୨ ତାରିଖରେ ‘ସମ୍ବାଦ’ରେ ପ୍ରକାଶିତ ରିପୋର୍ଟ ଆଧାରରେ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ସଚିବ ମନୋରଂଜନ ପାଣିଗ୍ରାହୀଙ୍କ ସମେତ ରାଜ୍ୟର ବରିଷ୍ଠ ଅଧିକାରୀମାନେ ଆସି କୋଣାର୍କ ସୂର୍ଯ୍ୟମନ୍ଦିରର ସ୍ଥିତି ଅନୁଧ୍ୟାନ କରିଥିଲେ। ପରେ ଏନେଇ ଫେବ୍ରୁଆରି ୨୮ ଓ ୨୯ ଦୁଇଦିନ ଧରି କୋଣାର୍କରେ ସୂର୍ଯ୍ୟମନ୍ଦିର ସମ୍ପର୍କିତ ଏକ ଦୁଇଦିନିଆ ଜାତୀୟ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ ଏଏସ୍ଆଇର ତତ୍କାଳୀନ ଡିଜି ଉଷା ଶର୍ମାଙ୍କ ଯୋଗଦେଇ ମନ୍ଦିର ବାସ୍ତବ ସ୍ଥିତି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ବିଶେଷ କରି ସିବିଆର୍ଆଇ ରିପୋର୍ଟ ଅନୁଯାୟୀ ମନ୍ଦିରର ଗର୍ଭଗୃହର ବାଲି ୧୭ ଫୁଟ ଦବିଥିଲେ ମଧ୍ୟ ଏସମ୍ପର୍କରେ ଏଏସ୍ଆଇ ପକ୍ଷରୁ କୌଣସି ପଦକ୍ଷେପ ନିଆନଯାଇଥିବା ନେଇ ବୈଠକରେ ଆଲୋଚନା ହୋଇଥିଲା ।
ବୈଠକର ଦ୍ବିତୀୟ ଦିବସରେ ତତ୍କାଳୀନ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ ,ଏଏସ୍ଆଇର ଏଡ଼ିଜି, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର. ବାଲକ୍ରିଷ୍ଣନ, ସୂର୍ଯ୍ୟମନ୍ଦିର ପାଇଁ ନିଯୁକ୍ତିପ୍ରାପ୍ତ ଆମିକସ୍କ୍ୟୁରୀ ଏନ୍କେ ମହାନ୍ତି, ଗବେଷକ ଅମିୟଭୁଷଣ ତ୍ରିପାଠୀ ପ୍ରମୁଖ ଉପସ୍ଥିତଥିଲେ। ଅନୁରୁପ ଭାବେ ସିବିଆର୍ଆଇର ଲେଜର୍ ସ୍କାନିଂରୁ ମନ୍ଦିରର ବାଲି ୧୭ ଫୁଟ ଦବିଥିବା ନେଇ ରିପୋର୍ଟ ଆସିଥିଲେ ମଧ୍ୟ ଏନେଇ କୌଣସି ପ୍ରତିକାର ବ୍ୟବସ୍ଥା ଏଏସ୍ଆଇ ପକ୍ଷରୁ କରାଯାଇନଥିବାର ବୈଠକରୁ ସୂଚନା ମିଳିଥିଲା। ବୈଠକରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ବାଲି କଢ଼ାଯିବା ନେଇ ଆଲୋଚନା ହୋଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ଅଦ୍ୟାବଧି ଏନେଇ କୌଣସି ପଦକ୍ଷେପ ନିଆଯାଇନାହିଁ । ଫଳରେ ମନ୍ଦିରର ଗର୍ଭଗୃହରୁ କେବେ ବାଲି କଢ଼ାଯିବ ସେ ନେଇ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ଏଏସ୍ଆଇର ଉଦାସୀନତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସୂର୍ଯ୍ୟମନ୍ଦିର ମୁଖଶାଳା ଗର୍ଭଗୃହରୁ ବାଲି କଢ଼ାଯିବା ସଂକ୍ରାନ୍ତରେ କୋଣାର୍କ ସୂର୍ଯ୍ୟମନ୍ଦିର ଦାୟିତ୍ବରେ ଥିବା ଏଏସ୍ଆଇର ଅଧିକାରୀ ନିରଜ ସିଂହଙ୍କୁ ପଚାରିବାରୁ ବାଲି କଢ଼ାଯିବା ପାଇଁ ନିଆଯାଇଥିବା ଚୂଡ଼ାନ୍ତ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ଉଦ୍ୟମ ଜାରି ରହିଥିବା ନେଇ ସେ କହିଛନ୍ତି।।