ବିଜେପୁର: ବିରଳ ଇତିହାସ ସୃଷ୍ଟି କରିଥିବା ସ୍ବାଧୀନତା ସଂଗ୍ରାମୀ ସହିଦ ମାଧୋ ସିଂଙ୍କୁ ପୂର୍ବତନ ବିଧାୟକ ସୁର ରାଉତରାୟ ଅପମାନଜନକ ମନ୍ତବ୍ୟ ପ୍ରତିବାଦରେ ବରଗଡ଼ ଜିଲ୍ଲାର ଘେଁସ୍‌ ଗ୍ରାମ ସୋମବାର ଦିନ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ଅଂଚଳର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଥିଲା। ସହିଦ ମାଧୋ ସିଂ କ୍ରିୟାନୁଷ୍ଠାନ କମିଟିର ଆହ୍ବାନରେ ଘେଁସ୍‌ ବସଷ୍ଟାଣ୍ତରେ ଆୟୋଜିତ ଏହି ପ୍ରତିବାଦ ସଭାରେ ଜିଲ୍ଲା ଆଦିବାସୀ ମହାସଂଘ, କୋଶଲ ଯୁବ ସମନ୍ବୟ ସମିତି, ସହିଦ କୁ‌େଞ୍ଜଲ ସିଂହ କ୍ଲବ, ଘେଁସ ଯୁବ ସମାଜ, ଅଭିମନ୍ୟୁ ସାହିତ୍ୟ ସଂସଦ, ଲାଲ ଯୋଗେନ୍ଦ୍ରନାଥ ଆଥଲେଟିକ ଆସୋସିଏସନ ସମେତ ବିଭିନ୍ନ ଅନୁଷ୍ଠାର ପ୍ରତିନିଧି ତଥା ବହୁସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ। ଏକ ଶୋଭାଯାତ୍ରା ବାହାରି ଘେଁସ୍‌ ଗ୍ରାମ ପରିକ୍ରମା କରି ଜମିଦାରଙ୍କ ବାସଭବନ ପର୍ଯ୍ୟନ୍ତ ପହଂଚିଥିଲା। ପରେ ସୁର ରାଉତରାୟଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଏଥିସହ ଶ୍ରୀ ରାଉତରାୟଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଅଂଚଳର ଶତାଧିକ ବ୍ୟକ୍ତିବିଶେଷଙ୍କ ଦସ୍ତଖତ ସମ୍ବଳିତ ଏହି ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଏହାର ଏକ ନକଲ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ବରଗଡ଼ ସାଂସଦ ତଥା ଜିଲ୍ଲାର ବିଧାୟକ ସମୂହଙ୍କୁ ଦିଆଯାଇଥିବା ସୂଚନା ମିଳିଛି। ଉକ୍ତ ଦାବିପତ୍ର ପ୍ରଦାନ ସମୟରେ ପଦ୍ମଶ୍ରୀ ହଳଧର ନାଗ, ଜମିଦାର ବଂଶର ଦାୟାଦ ଲୋକେଶ୍ବର ସିଂହ ବରିହା, ଡୋଳାମଣି ପଟେଲ, ପ୍ୟାରିଲାଲ ବାରିକ, କୃଷ୍ଣଚନ୍ଦ୍ର ପଣ୍ତା, ସୁବାସ ସାହୁଙ୍କ ସମେତ ପ୍ରତିନିଧି ଦଳ ଉପସ୍ଥିତ ଥିଲେ।

Advertisment

ସହିଦ ବୀର ମାଧୋ ସିଂଙ୍କୁ ଅପମାନ ଦେଇଥିବା ପୂର୍ବତନ ବିଧାୟକ ସୁର ରାଉତରାୟଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ମେଲଛାମୁଣ୍ତା ଥାନାରେ ସୋମବାର ଜିଲ୍ଲା ଆଦାବାସୀ ମହାସଂଘ ଏକ ଏତାଲା ଦେଇଥିବାର ଜାଣିବାକୁ ମିଳିଛି। ଏ ନେଇ ମେଲଛାମୁଣ୍ତା ଥାନାରେ କେସ ନଂ ୦୯/ ତା. ୨୯.୭.୨୦୨୪ ଅନୁସାରେ ମାମାଲା ରୁଜୁ ହୋଇଥିବା ବେଳେ ଥାନାଧିକାରୀ କେରସେନସିଆ ସମାରିଆ ତଦନ୍ତ ଦାୟିତ୍ବରେ ରହିଛନ୍ତି। ଏହି ସମୟରେ ଜିଲ୍ଲା ଆଦିବାସୀ ମହାସଂଘ ସଭାପତି ଗୋବିନ୍ଦ ବରିହା, ଜିଲ୍ଲା ସଂପାଦକ ତ୍ରିଲୋଚନ ଭୁଏ, ଚୈତନ୍ୟ ପ୍ରସାଦ ବରିହା, ଶଶିଭୂଷଣ ବରିହା ପ୍ରମୁଖ ଉପସ୍ଥିତ ଥିଲେ।

କ୍ଷମା ମାଗିଲେ ସୁର ରାଉତରାୟ
ସହିଦ ବୀର ମାଧୋ ସିଂହଙ୍କୁ ଅସମ୍ମାନ ଘଟଣା ରାଜ୍ୟବ୍ୟାପି ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି କରୁଥିବା ବେଳେ ସୋମବାର ପୂର୍ବତନ ବିଧାୟକ ସୁର ରାଉତରାୟ କ୍ଷମା ଭିକ୍ଷା କରିଛନ୍ତି। ‘ମୁଁ ତାଙ୍କୁ ଜାଣି ନଥିଲି ଏବଂ ଭୁଲରେ ଏଭଳି କହିଦେଇଛି’ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ‘ସ୍ବାଧୀନତା ସଂଗ୍ରାମୀଙ୍କ ବିଷୟରେ ସରକାର ଲୋକଙ୍କୁ ଜଣାଇବା ଉଚିତ। ପାଠ୍ୟପୁସ୍ତକରେ ପିଲାଏ ପଢ଼ିବା ଆବଶ୍ୟକ ରହିଛି’। ଏହା ସହିତ ସେ ସହିଦ ମାଧୋ ସିଂଙ୍କ ନାଁରେ ରହିଥିବା ଯୋଜନା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପ୍ରଶଂସା କରିଛନ୍ତି।