ଯାଜପୁର: ନୂଆ ସରକାର ଗଠନ ପରେ ବିଜେଡି ଗଡ଼ରେ ବଡ଼ ଗଡ଼ବଡ଼। ଶାସନକଳ ଆଉ ପ୍ରଭାବଶାଳୀ ବିଜେଡି ନେତାଙ୍କ କଥାରେ ଉଠ ବସ ହେଉନି। ଏଭଳି ସ୍ଥିତିରେ ବିଜେଡି ନେତାମ‌ାନେ ସଂଗଠିତ ହେବା ବଦଳରେ ଦୁଇ ଭାଗରେ ବିଭକ୍ତ ହୋଇଛନ୍ତି। ଯାଜପୁର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) ନିଜର ବଳ ଗୋଟାଇବାକୁ ଯାଇ ଦଳକୁ ସଙ୍କଟରେ ପକାଇଥିବା ଚର୍ଚ୍ଚା ହେଉଛି। କିଛିଦିନ ତଳେ ପ୍ରମିଳାଙ୍କ ଜରିଆରେ ଜିଲ୍ଲାପାଳ, ଏସ୍‌ପିଙ୍କୁ ସର୍କିଟ ହାଉସ୍‌କୁ ଡାକି ନିଜ ଗୋଷ୍ଠୀର ନେତାଙ୍କ ସୁରକ୍ଷା ପାଇଁ ଯୋଜନା କରିଥିଲେ। ହେଲେ ଏହି ଘଟଣାଟି ଦଳକୁ ଏକାଠି କରିବା ବଦଳରେ ବିଭାଜନ ଆଡ଼କୁ ମୋ଼ଡ଼ି ଦେଇଥିବା ଚର୍ଚ୍ଚା ହେଉଛି।

Advertisment

୨୪ବର୍ଷର ବିଜେଡି ସରକାର ପତନ ହେବାର ୨ମାସ ପୂରିନାହିଁ। ଅଥଚ ରାଜ୍ୟର ନେତୃତ୍ବ ନେଉଥିବା ଯାଜପୁରର ପ୍ରଭାବଶାଳୀ ନେତାମା‌ନେ ନିଜ ଅଞ୍ଚଳରେ ନିଜର ସୁରକ୍ଷା ଲୋଡୁଛନ୍ତି। ଜିଲ୍ଲା ପ୍ରଶାସନର ସହାୟତା ପାଇଁ ଆଶ୍ରୟ ଖୋଜୁଛନ୍ତି। ଯାହାକି ଦଳର ତୃଣମୂଳରେ ଥିବା ସମର୍ଥକ ଓ କର୍ମୀଙ୍କୁ ଅଧିକ ହତାଶ କରିଛି। ପଞ୍ଚାୟତ, ବ୍ଲକ୍ ଓ ପୌରାଞ୍ଚଳର ଜନପ୍ରତିନିଧିମାନେ ଏବେ ବିଜେପି ମୁହାଁ ହେବାକୁ ଆରମ୍ଭ କଲେଣି। ଗତ ନିର୍ବାଚନ ବେଳେ ଟିକଟ ବଣ୍ଟନ ବିଭ୍ରାଟ ସହିତ ପରସ୍ପରକୁ ହରାଇବାକୁ ହୋଇଥିବା ଷଡ଼୍‌ଯନ୍ତ୍ରକୁ ନେଇ ଦଳୀୟ ବିବାଦ ଏବେ ଉଗ୍ରରୂପ ଧାରଣ କରିଛି। ଗତ ୧୯ ତାରିଖରେ ସର୍କିଟ୍‌ହାଉସରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଓ ଏସ୍‌ପି ଭିନିତ ଅଗ୍ରୱାଲଙ୍କ ସହ ହୋଇଥିବା ଗୁପ୍ତ ବୈଠକରେ ପ୍ରମିଳାଙ୍କ ସହିତ ବବି, ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ(ଜିତୁ), ଯାଜପୁର ବିଧାୟିକା ସୁଜାତା ସାହୁ, ବରୀ ବିଧାୟକ ବିଶ୍ବରଞ୍ଜନ ମଲ୍ଲିକ, ବିଜେଡି ଜିଲ୍ଲା ସଭାପତି ସରୋଜ କୁମାର ମହାପାତ୍ର, ବବିଙ୍କ ଭାଇ ତଥା ଯାଜପୁରର ପୂର୍ବତନ ପୌରାଧ୍ୟକ୍ଷ ଭବପ୍ରକାଶ ଦାସ, ବଡ଼ଚଣା ବିଜେଡି ସଭାପତି ଅରବିନ୍ଦ ସାମଲ ପ୍ରମୁଖ ସାମିଲ ହୋଇଥିଲେ। ଅଥଚ ଯାଜପୁର ଜିଲ୍ଲାର ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଅମର ପ୍ରସାଦ ଶତପଥୀ, ପୂର୍ବତନ ମନ୍ତ୍ରୀ ତଥା ସୁକିନ୍ଦାର ପୂର୍ବତନ ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ(ଡାନି), କୋରେଇର ପୂର୍ବତନ ବିଧାୟକ ଅଶୋକ ବଳ ଓ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ବୈଠକରେ ନଥିଲେ।

ଏହି ୪ଜଣ ପୂର୍ବତନ ବିଧାୟକଙ୍କ ଅନୁପସ୍ଥିତିକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ସାଧାରଣ ନିର୍ବାଚନରେ ଅମର, ସୁନନ୍ଦା ଓ ଅଶୋକଙ୍କୁ ଦଳୀୟ ଟିକଟରୁ ବଞ୍ଚିତ କରାଯିବା ଘଟଣାରେ ବବିଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା। ଏପରିକି ଡାନିଙ୍କୁ ହରାଇବାରେ ବବିଙ୍କ ଭୂମିକା ରହିଥିଲା ବୋଲି ନବୀନ ନିବାସରେ ଉଭୟ ମୁହାଁମୁହିଁ ହୋଇଥିବା ଚର୍ଚ୍ଚା ହେଉଛି। ଯାଜପୁର ଜିଲ୍ଲାରେ ବିଜେପି ବିଧାୟକ ଓ ନେତାମାନେ ଶାଣିତ ରାଜନୀତି କରୁଥିବା ବେଳେ ବିଜେଡି ଦୁଇଭାଗରେ ବାଣ୍ଟି ହୋଇଥିବାରୁ ମୁକାବିଲା କିଭଳି କରିବେ ବୋଲି ପ୍ରଶ୍ନ ଉଠୁଛି।