ବ୍ରହ୍ମପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ: ପ୍ରଥମ ଥର ପାଇଁ ୧୯୩୭ରେ ବସିଥିଲା ସର୍କିଟ୍‌ ବେଞ୍ଚ

ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ଠାରେ ଓଡ଼ିଶା ହାଇକୋର୍ଟର ଏକ ବେଞ୍ଚ ପ୍ରତିଷ୍ଠା କରିବା ପାଇଁ ଗଂଜାମ ଓକିଲ ସଂଘ ଦୀର୍ଘ ଆଠ ଦଶନ୍ଧୀରୁ ଊର୍ଦ୍ଧ୍ବ ହେବ ଆନ୍ଦୋଳନ କରିଆସୁଛି। କୋର୍ଟ ବର୍ଜନ, ଧାରଣା, ସତ୍ୟାଗ୍ରହ, ରାଲି ଜରିଆରେ ନିଜ ଦାବି ହାସଲ ପାଇଁ ନିରବଚ୍ଛିନ୍ନ ଭାବେ ଉଦ୍ୟମ ଜାରି ରଖିଛନ୍ତି। ଦକ୍ଷିଣ ଓଡ଼ିଶାର ଜନସାଧାରଣ, ବୁଦ୍ଧିଜୀବୀ ଓ ଲୋକ ପ୍ରତିନିଧି ଏହାର ଗୁରୁତ୍ବ ଉପଲବ୍ଧି କରି ସଂଘର ଆନ୍ଦୋଳନକୁ ଆକୁଣ୍ଠ ସମର୍ଥନ କରିଆସୁଛନ୍ତି। ଏହାମଧ୍ୟରେ କେନ୍ଦ୍ର ଆଇନ୍ ମନ୍ତ୍ରୀଙ୍କ ପକ୍ଷରୁ ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ସବୁଜ ସଂକେତ ମିଳିବା ପରେ ଏକ ନୂଆ ଆଶା ସଂଚାର ହୋଇଛି। ଇତିହାସକୁ ଦେଖିଲେ
୧୯୩୩ ମସିହାରେ ବ୍ରହ୍ମପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ପ୍ରଥମେ ପ୍ରସ୍ତାବ ଆଗତ ହୋଇଥିବା ବେଳେ ୧୯୩୭ମସିହାରେ ପ୍ରଥମ ଥର ପାଇଁ ବ୍ରହ୍ମପୁରରେ ହାଇକୋର୍ଟର ସର୍କିଟ୍ ବେଞ୍ଚ ବସିଥିବା ନେଇ ବରିଷ୍ଠ ଆଇନଜୀବୀ ତଥା ଗଂଜାମ ଓକିଲ ସଂଘର ପୂର୍ବତନ ସମ୍ପାଦକ ଜ୍ୟୋତିପ୍ରକାଶ ଛୋଟରାୟ ସୂଚନା ଦେଇଛନ୍ତି।

ଆଇନଜୀବୀ ଛୋଟରାୟଙ୍କ ପ୍ରଦତ୍ତ ତଥ୍ୟ ମୁତାବକ, ଓଡ଼ିଶା ଏକ ଭାଷାଭିତ୍ତିକ ପ୍ରଦେଶ ଗଠନ ହେବା ପୂର୍ବରୁ ୧୯୩୩ ମସିହାରେ ତତ୍କାଳୀନ କେନ୍ଦ୍ର ସରକାର ଜଷ୍ଟିନ୍ ହାବାକ୍‌ଙ୍କ ଅଧ୍ୟକ୍ଷତାରେ ଏକ କମିଟି (ଦି ଓଡ଼ିଶା ଆଡମିନିଷ୍ଟ୍ରେସନ୍ କମିଟି) ଗଠନ କରିଥିଲେ। ଏହି କମିଟି ଓଡ଼ିଶା ପାଇଁ ୪ଜଣ ବିଚାରପତିଙ୍କୁ ନେଇ ଏକ ହାଇକୋର୍ଟ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ପ୍ରଦାନ କରିଥିଲେ। ଉକ୍ତି କମିଟି ପ୍ରଦତ୍ତ ୫୦ପାରାଗ୍ରାଫ୍‌ରେ କୁହାଯାଇଥିଲା ଯେ, ମୁଖ୍ୟ ବିଚାରପତି ଓ ଜଣେ ବିଚାରପତି ପ୍ରାଦେଶିକ ରାଜଧାନୀ କଟକ ଠାରେ ଅବସ୍ଥାପିତ ହେବେ। ତୃତୀୟ ବିଚାରପତି ଜଣକ ଗଂଜାମର ବ୍ରହ୍ମପୁର ଠାରେ ଓ ଚତୁର୍ଥ ବିଚାରପତି ଜଣକ ସମ୍ବଲପୁର ଠାରେ ଅବସ୍ଥାପିତ‌ ‌ହେବେ। ତେବେ ୧୯୩୬ ମସିହା ଏପ୍ରିଲ୍ ପହିଲାରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଗଠନ ହୋଇଥିଲେ ସୁଦ୍ଧା ଏହାର ନିଜସ୍ବ ଏକ ହାଇକୋର୍ଟ ନଥିଲା। ଏହାର ୧୨ବର୍ଷ ପରେ  ‌୧୯୩୩ମସିହାରେ ଓଡ଼ିଶା ପ୍ରଶାସନ କମିଟି ରିପୋର୍ଟରେ ପ୍ରଦତ୍ତ ପ୍ରସ୍ତାବ ମୁତାବକ, ୧୯୪୮ମସିହା ଜୁଲାଇ ୨୬ରେ ମୁଖ୍ୟବିଚାରପତିଙ୍କ ସମେତ ୪ଜଣ ବିଚାରପତିଙ୍କୁ ନେଇ କଟକ ଠାରେ ଓଡ଼ିଶା ହାଇକୋର୍ଟ ସ୍ଥାପନ ହୋଇଥିଲା।

ଅନ୍ୟପକ୍ଷେ ଜଷ୍ଟିସ୍ ଜେମ୍ସଙ୍କ ଅଧ୍ୟକ୍ଷତାରେ ବ୍ରହ୍ମପୁର ଠାରେ ୧୯୩୭ମସିହା ଜାନୁଆରି ୪ରେ ପ୍ରଥମଥର ପାଇଁ ହାଇକୋର୍ଟର ସର୍କିଟ୍ ବେଞ୍ଚ ବସି କେତେକ ଫୌଜଦାରୀ ମକଦ୍ଦମା ଗୁଡ଼ିକର ବିଚାରଣା ହୋଇଥିଲା। ଏହାପରେ ୧୯୩୩ ରିପୋର୍ଟକୁ ଭିତ୍ତିକରି ଗଂଜାମ ଓକିଲ ସଂଘର କର୍ମକର୍ତ୍ତା ଓ ସଦସ୍ୟମାନେ ବ୍ରହ୍ମପୁରରେ  ସର୍କିଟ୍ ବେଞ୍ଚ ସ୍ଥାପନ ପାଇଁ ତତ୍କାଳୀନ ଓଡ଼ିଶାର ରାଜ୍ୟପାଳ ସାର୍‌ ଜନ୍ ଅଷ୍ଟଇନ୍ ହବାକ୍‌ ଓ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ସାର୍‌ କର୍ଟନି ଫେରେଲ୍‌ଙ୍କୁ ଏକ ତଥ୍ୟସମ୍ବଳିତ ଦାବିପତ୍ର ପ୍ରଦାନ କରିଥିବା ଜଣାଯାଏ। କିନ୍ତୁ ଏହାର ଉତ୍ତରରେ ମାନ୍ୟବର ରାଜ୍ୟପାଳ ଗଂଜାମ ଓକିଲ ସଂଘକୁ ଜଣାଇ ଦେଇଥିଲେ ଯେ, ‘ବର୍ତ୍ତମାନ ପାଟନା ହାଇକୋର୍ଟର ସର୍କିଟ୍‌ କଟକ ଠାରେ ଚାଲୁଥିବାରୁ ବ୍ରହ୍ମପୁର ଠାରେ ଆଉ ଏକ ସର୍କିଟ୍ କୋର୍ଟ ସ୍ଥାପନ  କରିବା ସମ୍ଭବପର ନୁହେଁ।’  ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଠାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ବହୁ ବର୍ଷରୁ ହୋଇଆସୁଥିବା ବେଳେ ରାଜ୍ୟସରକାର ଏଦିଗରେ ତୁରନ୍ତ ନିଷ୍ପତ୍ତି ନେବା ଆବଶ୍ୟକ ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର