ରାଉରକେଲା: ପର୍ଯ୍ୟାପ୍ତ ଭିତ୍ତିଭୂମି ଉପଲବ୍ଧ। ମୋଟ୍ ରାଜସ୍ବର ସିଂହଭାଗ ରାଉରକେଲାରୁ ହିଁ ଆଦାୟ ହେଉଛି। ମାତ୍ର ତଦନୁଯାୟୀ, ରାଉରକେଲାକୁ ଭାଗ ମିଳୁନି। ଏଠାରେ ରେଳ ସେବାର ଯେଭଳି ବିକାଶ କରାଯିବା କଥା ତାହା ଦେଖିବାକୁ ମିଳୁନି। ରାଉରକେଲା ପ୍ରତି ଦକ୍ଷିଣପୂର୍ବ ରେଳବାଇର ଅଣଦେଖାର ତାଲିକା ଢ଼େର୍ ଲମ୍ବା। ରାଉରକେଲାରେ ସ୍ବତନ୍ତ୍ର ରେଳ ଡିଭିଜନ ସ୍ଥାପନ ପାଇଁ ଯେଉଁ ଦାବି ହେଉଥିଲା, ତାକୁ ରେଳବାଇ ବୋର୍ଡ ଅଧ୍ୟକ୍ଷ ଭି.କେ. ତ୍ରିପାଠୀ ସିଧାସଳଖ ଅଗ୍ରାହ୍ୟ କରିବା; ପୁନର୍ବାର ରାଉରକେଲା ପ୍ରତି ରେଳ କର୍ତ୍ତୃପକ୍ଷ ଉଦାସୀନତା ମନୋଭାକୁ ପ୍ରମାଣିତ କରିଛି। ବିଭାଗର ଚିରାଚରିତ ଅବହେଳା ଜାରି ରହୁଥିଲେ ସୁଦ୍ଧା ସ୍ଥାନୀୟ ଲୋକ ପ୍ରତିନିଧି, ବିଭିନ୍ନ ସ୍ବେଚ୍ଛାସେବୀ ଓ ସାମାଜିକ ସଂଗଠନ ନିରବଦ୍ରଷ୍ଟା ସାଜିଛନ୍ତି; ଯାହାକୁ ବୁଦ୍ଧିଜୀବୀ ସହଜରେ ଗ୍ରହଣ କରିପାରିନାହାନ୍ତି।
ରାଉରକେଲାବାସୀଙ୍କ ଏହି ଦାବି ନ୍ୟାଯ୍ୟ ଓ ଯୁକ୍ତି ମଧ୍ୟ ବେଶ୍ ବଳିଷ୍ଠ। ଏକାଧିକ କାରଣ ଯୋଗୁଁ ଏଠାରେ ରେଳ ଡିଭିଜନ ସ୍ଥାପନ ହେବା ଆବଶ୍ୟକ। ପ୍ରଥମତଃ, ସୁନ୍ଦରଗଡ଼ ଜିଲ୍ଲାରୁ ବାର୍ଷିକ ପ୍ରାୟ ୮ଶହ କୋଟି ରାଜସ୍ବ ସୃଷ୍ଟି ହେଉଛି। ଏହା ହେଉଛି ଦକ୍ଷିଣ ପୂର୍ବ ରେଳବାଇ ଅନ୍ତର୍ଗତ ଚକ୍ରଧରପୁର ଡିଭିଜନର ମୋଟ୍ ରାଜସ୍ବର ୪୦ ପ୍ରତିଶତ। ତଥାପି, ସ୍ଥାନୀୟ ଅଞ୍ଚଳରେ ରେଳସେବାର ଯେଭଳି ବିକାଶ ହେବା କଥା, ତାହା କରାଯାଉନି। ଏଣୁ ନୂଆ ରେଳ ଡିଭିଜନ ସହ ଝାରସୁଗୁଡ଼ା, କେନ୍ଦୁଝରକୁ ସାମିଲ କରି ରାଉରକେଲାକୁ ପୂର୍ବତଟ ରେଳବାଇ ଅଧିନକୁ ଅଣାଯିବା ଶ୍ରେୟସ୍କର। ଇତିମଧ୍ୟରେ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍(ସେଲ୍)ର କଞ୍ଚାମାଲ୍ ଡିଭିଜନ(ଆର୍ଏମ୍ଡି) ରାଉରକେଲାକୁ ସ୍ଥାନାନ୍ତର ହୋଇସାରିଲାଣି। ଏହାଦ୍ବାରା ଓଡ଼ିଶାରେ ଥିବା ସମସ୍ତ ଖଣି ଆର୍ଏମ୍ଡି ଅଧୀନରେ ରହିବାରୁ ମାଲ୍ ପରିବହନରୁ ଅଧିକ ରାଜସ୍ବ ସୃଷ୍ଟି ହେବ। ଏହାସହ ରାଉରକେଲା ଓ ଆଖପାଖ ଅଞ୍ଚଳରେ ଏକାଧିକ ପ୍ରତିଷ୍ଠିତ ଶିଳ୍ପ ପ୍ରତିଷ୍ଠାନ, ଯଥା- ଓସିଏଲ(ରାଜଗାଙ୍ଗପୁର), ଟାଟା ରିଫ୍ରାକ୍ଟୋରିଜ୍(ବେଲପାହାଡ଼), ଲିବର୍ଟି ହାଉସ୍(କୁଆରମୁଣ୍ଡା), ଏଲ୍ ଆଣ୍ଡ୍ ଟି(କାଂଶବାହାଲ), ଭୂଷଣ ଷ୍ଟିଲ ଆଣ୍ଡ୍ ପାୱାର(ଝାରସୁଗୁଡ଼ା), ବେଦାନ୍ତ(ଝାରସୁଗୁଡ଼ା), ଜିଓସିଏଲ୍(ରାଉରକେଲା) ରହିଛି। ଏସବୁ ଶିଳ୍ପକାରଖାନାରୁ ପରିବହନ ବାବଦକୁ ବହୁମାତ୍ରାରେ ରାଜସ୍ବ ସୃଷ୍ଟି ହେଉଛି। ଦ୍ବିତୀୟତଃ, ଦେଶର ତୃତୀୟ ବୃହତ୍ତମ ରେଲୱେ ୟାର୍ଡ୍ ହେଉଛି ରାଉରକେଲା ଉପକଣ୍ଠସ୍ଥ ବନ୍ଧମୁଣ୍ଡା ରେଲୱେ ୟାର୍ଡ୍।
ଦକ୍ଷିଣପୂର୍ବ ରେଳବାଇ ଅନ୍ତର୍ଗତ ସମସ୍ତ ୭ଟି ରେଲୱେ ୟାର୍ଡ୍, ଯଥା- ଖଡ଼ଗପୁର, ଟାଟା, ଚକ୍ରଧରପୁର, ହାୱଡ଼ା, ରାଞ୍ଚି, ଆଗ୍ରା ମଧ୍ୟରୁ ବନ୍ଧମୁଣ୍ଡ ୟାର୍ଡ୍ ହେଉଛି ଅନ୍ୟତମ ସର୍ବୋତ୍କୃଷ୍ଟ। ଏଠାରେ ଇଲେକ୍ଟ୍ରିକ୍ ଇଞ୍ଜିନ ସମେତ ଡିଜେଲ ଇଞ୍ଜିନ ମରାମତି, ବଗି ମରାମତି, ରିଲିଫ୍ ଟିମ୍, ୱାସିଂ ଲାଇନ୍ ଆଦି ସମସ୍ତ ପ୍ରକାର ସୁବିଧା ଉପଲବ୍ଧ। ଏହାସହ ଏଠାରେ ରେଳବାଇର ବହୁ ପରିମାଣର ଅବ୍ୟବହୃତ ଜମି ରହିଛି। ଉକ୍ତ ଖୋଲା ଜମିରେ ଡିଭିଜନ ପାଇଁ ଆବଶ୍ୟକୀୟ କାର୍ଯ୍ୟାଳୟ ସମେତ ଅନ୍ୟାନ୍ୟ ଭିତ୍ତିଭୂମିର ବିକାଶ, ସମ୍ପ୍ରସାରଣ କରାଯାଇପାରିବ। ନୂଆ ଡିଭିଜନ ସ୍ଥାପନ ହେଲେ ବହୁ ସଂଖ୍ୟକ ଅଧିକାରୀ, କର୍ମଚାରୀ ନିଯୁକ୍ତ ହେବେ।
ସେମାନଙ୍କ ରହଣୀ ପାଇଁ କୌଣସି ଅସୁବିଧା ହେବନି। କାରଣ ଏଠାରେ ବହୁସଂଖ୍ୟକ ରେଲୱେ କ୍ବାର୍ଟର ଖାଲି ପଡ଼ିଛି। ଉକ୍ତ କ୍ବାର୍ଟରରେ ନବନିଯୁକ୍ତ ଅଧିକାରୀ, କର୍ମଚାରୀଙ୍କୁ ଥଇଥାନ ସହଜ ହେବ। ତୃତୀୟରେ, ରାଜ୍ୟରେ ୨୪୯୫ କିଲୋମିଟର ରେଳପଥ ଥିବାବେଳେ ସୁନ୍ଦରଗଡ଼ ଜିଲ୍ଲାରେ ୩୩୭ କିଲୋମିଟର ରେଳପଥ ରହିଛି। ଏହାସହ ଚକ୍ରଧରପୁର ଡିଭିଜନ ଅନ୍ତର୍ଗତ ମୋଟ୍ ୭୪୧.୭୦୫ କିଲୋମିଟର ରେଳପଥ ମଧ୍ୟରୁ ସମୁଦାୟ ୪୦୫.୯୦୭ କିଲୋମିଟର ରେଳପଥ ଓଡ଼ିଶାରେ। ଏହାବାଦ୍ ଚକ୍ରଧରପୁର ଡିଭିଜନର ମୋଟ୍ ୮୭ଟି ରେଳ ଷ୍ଟେସନ ମଧ୍ୟରୁ ୫୦ଟି ରେଳ ଷ୍ଟେସନ ଓ ଡିଭିଜନର ମୋଟ୍ ୩ଟି ଏ’ କ୍ଲାସ୍ ରେଳ ଷ୍ଟେସନ ମଧ୍ୟରୁ ଦୁଇଟି ଓଡ଼ିଶାରେ ଅବସ୍ଥିତ। ଚତୁର୍ଥରେ, ରାଉରକେଲା ସମେତ ଝାରସୁଗୁଡ଼ା, କେନ୍ଦୁଝର ଜିଲ୍ଲାକୁ ନେଇ ଏହି ଡିଭିଜନ ସ୍ଥାପନ ହେଲେ ସବୁ କ୍ଷେତ୍ରର ବିକାଶ ସମ୍ଭବପର। ଏହି ଅଞ୍ଚଳର ୬୩ଟି ରେଳ ଷ୍ଟେସନ ପ୍ରସ୍ତାବିତ ରାଉରକେଲ ରେଳ ଡିଭିଜନ ଅଧିନରେ ରହିବ। ପୂର୍ବତଟ ରେଳପଥ ଅନ୍ତର୍ଗତ ସମ୍ବଲପୁର ଡିଭିଜନ ପଶ୍ଚିମ ଓଡ଼ିଶାର ଏକାଧିକ ଅଞ୍ଚଳକୁ ନେଇ ଗଠିହୋଇଥିଲେ ସୁଦ୍ଧା ସେଠାରେ ବାର୍ଷିକ ମାତ୍ର ୩୨୨ କୋଟି ହିଁ ରାଜସ୍ବ ସୃଷ୍ଟି ହେଉଛି। କିନ୍ତୁ ରାଉରକେଲା, ଝାରସୁଗୁଡ଼ା ଓ କେନ୍ଦୁଝର ଜିଲ୍ଲାକୁ ମିଶାଇଲେ, ବାର୍ଷିକ ରାଜସ୍ବ ସୃଷ୍ଟି ୨ ହଜାର କୋଟି ଟପିବ। ନୂଆ ରେଳ ଡିଭିଜନ ସ୍ଥାପନ ହେଲେ ରାଜସ୍ବ ବଢ଼ିବାର ସମ୍ଭାବନା ଅଧିକ।
ଏତେସବୁ ସୁବିଧା ସତ୍ତ୍ବେ ପ୍ରସ୍ତାବକୁ ରେଳ କର୍ତ୍ତୃପକ୍ଷ ଆରମ୍ଭରୁ ପ୍ରତ୍ୟାଖାନ କରିବା, ନିଶ୍ଚିତଭାବେ ଅଗ୍ରହଣୀୟ। ତେବେ ଏହା ବି ସତ ଯେ, ଏହି ଦାବିକୁ ନେଇ ସହରରେ ଯେଭଳି ସଂଘବଦ୍ଧ ଲଢ଼େଇର ଆବଶ୍ୟକତା ଥିଲା, ତାହା ଦେଖିବାକୁ ମିଳୁନି। ରେଳ ଡିଭିଜନ ପ୍ରତିଷ୍ଠା ନେଇ ସହରର ହାତଗଣତି କେତୋଟି ସଂଗଠନ ଆଗେଇ ଆସିଥିଲେ। ସର୍ବଦଳୀୟ ବୈଠକ ବି ଆୟୋଜିତ ହୋଇଥିଲା। କିନ୍ତୁ ଆରମ୍ଭରୁ ଆନ୍ଦୋଳନ ଯେଭଳି ବ୍ୟାପକ ହେବା କଥା, ତାହା ହୋଇପାରିନଥିଲା। ବିଗତ ଦିନରେ ଇଏସ୍ଆଇ ହସପିଟାଲ, ଆଇଆଇଏମ୍ ସ୍ଥାପନ ଦାବିରେ ଯେଭଳି ସଂଘବଦ୍ଧ ଦୁର୍ବାର ଆନ୍ଦୋଳନ ଦେଖିବାକୁ ମିଳିଥିଲା; ଏଥର ତା’ର ପୁନରାବୃତ୍ତି ହୋଇନଥିଲା। ସମ୍ଭବତଃ ସ୍ଥାନୀୟ ଜନ ପ୍ରତିନିଧି, ନେତାଙ୍କ ଆନ୍ତରିକତା ଅଭାବ ଦାବିକୁ ଆରମ୍ଭରୁ ଦୁର୍ବଳ କରିଥିଲା। ଅବଶ୍ୟ, କିଛି ଲୋକପ୍ରତିନିଧି ଦାବିକୁ ସମର୍ଥନ ଜଣାଇଥିଲେ, କିନ୍ତୁ ତାହା ପର୍ଯ୍ୟାପ୍ତ ନଥିଲା।