ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ପ୍ରସଙ୍ଗ: ସରକାରଙ୍କ ଚିଠି ଖେଳ, ସବୁ ଖେଳ ବିଗାଡ଼ି ଦେଇପାରେ!

ସମ୍ବଲପୁର : ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ରାଜ୍ୟ ସରକାର ସବୁବେଳେ ପଶ୍ଚିମ ଓଡ଼ିଶାର ଜନସାଧାରଣଙ୍କ ଭାବନା ସହିତ ଖେଳ ଖେଳୁଥିବା ଅଭିଯୋଗ ହୋଇଆସୁଛି। ହାଇକୋର୍ଟ ବେଞ୍ଚ ସ୍ଥାପନ ପ୍ରସଙ୍ଗ ରାଜ୍ୟ ସରକାର ସହୃଦୟତାର ସହିତ ବିଚାର କରୁଥିବା କହୁଥିବା ବେ‌‌ଳେ ବାସ୍ତବତା କିନ୍ତୁ ଭିନ୍ନ କିଛି କଥା କହୁଛି। ଗତ ୩ ଦିନ ତଳେ ରାଜ୍ୟ ସରକାରଙ୍କ ଆଇନ ବିଭାଗ ପକ୍ଷରୁ ଗୃହ ବିଭାଗକୁ ଦିଆଯାଇଥିବା ପତ୍ର ସମଗ୍ର ପ୍ରକ୍ରିୟାକୁ ବିଳମ୍ବ କରିବାର ଏବେ ଅଂଶବିଶେଷ ବୋଲି ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି(ସିଏସି) ସନ୍ଦେହ ବ୍ୟକ୍ତ କରୁଛି।

ଗତ ୧୯୫୯ ମସିହାରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ଆନ୍ଦୋଳନର ମୂଳଦୂଆ ପଡ଼ିଥିଲା। ୨୦୦୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ସଂପର୍କରେ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ପତ୍ର ଦେଇଥିଲେ। ହାଇକୋର୍ଟ ମୁଖ୍ୟ ବିଚାରପତି କିନ୍ତୁ ଏନେଇ ମନାକରିବା ପରେ ୧୧ ମାର୍ଚ ୨୦୦୮ରେ ସରକାରଙ୍କ ପାଲ୍‌ କମିସନ ଗଠନ କରିଥିଲେ। ଗତ ୨୮ ସେପ୍‌ଟେମ୍ବର ୨୦୧୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟରେ ସ୍ଥାୟୀ ବେଞ୍ଚ୍‌ ସ୍ଥାପନ ସକାଶେ ତତ୍କାଳୀନ କେନ୍ଦ୍ରର ୟୁପିଏ ସରକାରଙ୍କୁ ଚିଠି ଲେଖିଥିଲେ। ସେହିସମୟରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ କେବଳ ଚିଠି ଦିଆନିଆ ଖେଳଚାଲିଛି। ଗତ ୨୦ ଏପ୍ରିଲ ୨୦୨୨ରେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ। ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଆବଶ୍ୟକ ପରାମର୍ଶ ନେଇ ହାଇକୋର୍ଟ ବେଞ୍ଚ୍‌ ସ୍ଥାପନ ନେଇ ଭିତ୍ତିଭୂମି, ଜଜ୍ ଓ କର୍ମଚାରୀମାନଙ୍କ ରହଣି ବ୍ୟବସ୍ଥା ଆଦି ସଂକ୍ରାନ୍ତରେ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ଦେବାକୁ କହିଥିଲେ। ଏପର୍ଯ୍ୟନ୍ତ ଏଦିଗରେ କୌଣସି ଅଗ୍ରଗତି ହୋଇପାରିନାହିଁ।

ଏହି ପ୍ରସଙ୍ଗରେ ଗତ ୩୦ ଜୁନ୍‌ ପର୍ଯ୍ୟନ୍ତ ମହଲତ ଦିଆଯିବା ପରେ ବି କୌଣସି ପଦକ୍ଷେପ ନିଆନଯିବାରୁ ସିଏସି ପର୍ଯ୍ୟାୟ କ୍ରମେ ପୁଣି ଆନ୍ଦୋଳନ କରିଆସୁଛି। ଗତ ସେପ୍ଟେମ୍ବର ୨୮ ତାରିଖରେ ଏସି ସଭ୍ୟମାନେ ଭୁବନେଶ୍ବରରେ ପହଞ୍ଚି ଆନ୍ଦୋଳନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ରାଜ୍ୟ ସରକାରଙ୍କ ୩ଜଣ ମନ୍ତ୍ରୀଙ୍କ ସହିତ ଉଚ୍ଚପଦସ୍ଥ ଅଧିକାରୀମାନେ ଲମ୍ବା ସମୟ ପର୍ଯ୍ୟନ୍ତ ଆଲୋଚନା କରିଥିଲେ। ପୂର୍ବ ନିଷ୍ପତ୍ତି ଅନୁଯାୟୀ ପଶ୍ଚିମ ଓଡ଼ିଶାର ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ସିଏସି ସ୍ପଷ୍ଟ ମତ ରଖିଥିଲେ। ମୁଖ୍ୟମନ୍ତ୍ରୀ ଓଡ଼ିଶା ଫେରିବାପରେ ଶୀଘ୍ର ପୂର୍ଣ୍ଣାଙ୍ଗ ପ୍ରସ୍ତାବ କେନ୍ଦ୍ରକୁ ପଠାଇବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲେହେଁ ପୁଣି ସରକାର ନିରବ ରହିଥିଲେ। ଗତ ୧୪ ଅକ୍ଟୋବରରେ ସିଏସି ପୁଣି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣକରି କେନ୍ଦ୍ରକୁ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ପଠାଇବା ଦିଗରେ ପଦକ୍ଷେପ ନେବାପାଇଁ ଉନ୍ନୟନ କମିସନରଙ୍କୁ ଚିଠି ଲେଖିଥିଲେ। ହେଲେ, ଉନ୍ନୟନ କମିସନର ସେଭଳି ପଦକ୍ଷେପ ନନେଇ ଏହି ଚିଠିକୁ ଆଇନ ବିଭାଗକୁ ପଠାଇଥିବା ବେଳେ ଆଇନ ବିଭାଗ ଏବେ ଗୃହ ବିଭାଗକୁ ପଠେଇଛି। ଏହାଦ୍ବାରା ମାମଲାକୁ ବିଳମ୍ବ କରିବାକୁ ଚେଷ୍ଟା କରାଯାଉଥିବା ସିଏସି ଅଭିଯୋଗ କରିଛି।

ସିଏସି ସଂପାଦକ ବିଜିତେନ୍ଦ୍ରୀୟ ପ୍ରଧାନ କହିଛନ୍ତି, ପ୍ରକ୍ରିୟାକୁ ବିଳମ୍ବ କରିବା ପାଇଁ ଏଭଳି ବିଭାଗୀୟ ଚିଠି ଖେଳ ଚାଲିଛି। ଚିଠି ନୁହେଁ, ପୂର୍ଣ୍ଣାଂଗ ପ୍ରସ୍ତାବ ପଠାଯିବା ଦରକାର।

ସମ୍ବନ୍ଧିତ ଖବର