ସୋନିଆଙ୍କୁ ଇଡି ଜେରା ପ୍ରସଙ୍ଗ: ବିଧାନସଭା ଗୃହ କମ୍ପାଇଲେ କଂଗ୍ରେସ ବିଧାୟକ

ବିଜେପି-କଂଗ୍ରେସ ମୁହାଁମୁହିଁ, ଗୃହ କାର୍ଯ୍ୟ ବାଧାପ୍ରାପ୍ତ, ବାରମ୍ବାର ମୁଲତବୀ

ଭୁବନେଶ୍ବର : ସୋନିଆ ଗାନ୍ଧୀଙ୍କୁ ଇଡିର ଜେରାକୁ ବିରୋଧ କରି ସାରା ଦେଶରେ କଂଗ୍ରେସ ଗୁରୁବାର ଦିନ ଆନ୍ଦୋଳନକୁ ଓହ୍ଲାଇଥିଲା। ରାଜ୍ୟ ବିଧାନସଭାରେ ବି ଗୁରୁବାର ଦିନ ଏହି ପ୍ରସଙ୍ଗ ଉଠିଛି। କଂଗ୍ରେସ ବିଧାୟକମାନେ ଏହାର ପ୍ରତିବାଦ କରି ଗୃହ କମ୍ପାଇଥିଲେ। କଂଗ୍ରେସ ଉପରେ ପାଲଟା ଆକ୍ରମଣ କରିଥିଲା ବିଜେପି। ଏହି ପରିସ୍ଥିତିରେ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଫଳରେ ଗୃହକୁ ମୁଲତବୀ ରଖିବାକୁ ବାଚସ୍ପତି ବାଧ୍ୟ ହୋଇଥିଲେ।

ଗୁରୁବାର ଶୂନ୍ୟକାଳରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଏହି ପ୍ରସଙ୍ଗ ଉଠାଇ କ‌ହିଲେ, ଗୁରୁବାର ସାରା ଭାରତରେ କଳା ଦିବସ। କେନ୍ଦ୍ରରେ ବିଜେପି ସରକାର ଆସିବା ଠାରୁ ଗାନ୍ଧୀ ପରିବାରକୁ ଇଡି ଜାଣିଶୁଣି ନୋଟିସ୍‌ ଦେଇ ହଇରାଣ କରୁଛି। କଂଗ୍ରେସ ଏହାକୁ ବରଦାସ୍ତ କରିବ ନାହିଁ। ଭାରତର ପ୍ରଧାନମନ୍ତ୍ରୀ ନିରପେକ୍ଷ ହେବା ଉଚିତ।

ଶ୍ରୀ ବାହିନୀପତି କହୁଥିଲା ବେଳେ ବିଜେପି ସଭ୍ୟମାନେ ଠିଆ ହୋଇ ଏହାର ପ୍ରତିବାଦ କରିଥିଲେ। ଏହି ପ୍ରସଙ୍ଗ ସହ ବିଧାନସଭାର କୌଣସି ସମ୍ପର୍କ ନ ଥିବାରୁ ଆଲୋଚନା ହୋଇପାରିବ ନାହିଁ ବୋଲି କହିଥିଲେ। ଫଳରେ କଂଗ୍ରେସ ସଭ୍ୟମାନେ ଉତ୍ତ୍ୟକ୍ତ ହୋଇ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଥିଲେ। କେନ୍ଦ୍ର ସରକାର ଓ ଇଡି ବିରୋଧରେ ନାରାବାଜି କରିଥିଲେ। ବାଚସ୍ପତି ବାରମ୍ବାର ଅନୁରୋଧ କରିବା ସତ୍ତ୍ବେ ଗୃହ ସ୍ବାଭାବିକ ଅବସ୍ଥାକୁ ଫେରି ନ ଥିଲା। ଏହା ପରେ ବାଚସ୍ପତି ଗୃହକୁ ଦୁଇଟି ପର୍ଯ୍ୟାୟରେ ୨୫ ମିନିଟ୍‌ ମୁଲତବୀ ରଖିଥି‌ଲେ।

ଗୃହ କାର୍ଯ୍ୟ ଆରମ୍ଭ ହେଲା ପରେ ପୁଣି କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗରେ ହୋହଲ୍ଲା ଆରମ୍ଭ କରିଥିଲେ। ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କୁ ବାଚସ୍ପତି କହିବା ପାଇଁ ସୁଯୋଗ ଦେଲେ। ଶ୍ରୀ ସେଠୀ କହିଲେ, ଯେଉଁ ପ୍ରସଙ୍ଗ ଗୃହର ନୁହେଁ ତାହା ଏଠାରେ କାହିଁକି ଉଠାଯାଉଛି। ଇଡି, ସୋନିଆ ଗାନ୍ଧୀ ପ୍ରସଙ୍ଗ ଏଠାରେ ଉଲ୍ଲେଖ କରିବା ପରିତାପର ବିଷୟ। ଏଠାରେ ଏହି ଆଲୋଚନା ବନ୍ଦ ହେଉ। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ମଧ୍ୟ ଏହାକୁ ବିରୋଧ କରିଥିଲେ।

ହୋହଲ୍ଲା ଭିତରେ ବାଚସ୍ପତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ କହିବା ପାଇଁ ସୁଯୋଗ ଦେଲେ। ଶ୍ରୀ ମିଶ୍ର କହିଲେ, ଗୋଟିଏ ଅତି ସମ୍ବେଦନଶୀଳ ପ୍ରସଙ୍ଗ ଗୃହରେ ଉଠାଯାଇଛି। ଉଭୟ କେନ୍ଦ୍ର ଓ ରାଜ୍ୟରେ ସମ୍ବିଧାନ ଓ ଗଣତନ୍ତ୍ର ଭୁଶୁଡ଼ିବାକୁ ବସିଛି। ସେଠାରେ ପ୍ରଧାନମନ୍ତ୍ରୀ ଯାହା କରୁଛନ୍ତି, ଏଠାରେ ମୁଖ୍ୟମନ୍ତ୍ରୀ ତାହାକୁ ଅନୁକରଣ କରୁଛନ୍ତି। ସମ୍ମାନର ସହ ବଞ୍ଚିବା ପାଇଁ ଲୋକଙ୍କୁ ମିଳିଥିବା ମୌଳିକ ଅଧିକାରକୁ ଛଡ଼ାଇ ନିଆଯାଉଛି। ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି ଦେଶରେ ବିରୋଧୀ ଦଳ ନ ରୁହନ୍ତୁ। ସେଥିପାଇଁ ସିବିଆଇ, ଇଡିକୁ ବ୍ୟବହାର କରାଯାଉଛି। ଶ୍ରୀ ମିଶ୍ର କହୁଥିଲା ବେଳେ ବିଜେପି ସଭ୍ୟମାନେ ହୋହଲ୍ଲା କରିଥିଲେ। ସେପଟେ ଗୃହ ମଧ୍ୟ ଭାଗରେ କଂଗ୍ରେସ ସଭ୍ୟମାନେ କେନ୍ଦ୍ର ବିରୋଧରେ ନାରାବାଜି କରୁଥିଲେ। ଫଳରେ ଗୃହ ଚଳାଇବା ସମ୍ଭବ ହୋଇ ନ ଥିଲା। ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଲେ। ଆଜି ଚିଲିକା ଉପରେ ଆସିଥିବା ଏକ ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇପାରି ନ ଥିଲା।

ସମ୍ବନ୍ଧିତ ଖବର