ଖଣ୍ଡପଡ଼ା: ଖଣ୍ଡପଡ଼ା ବ୍ଲକ୍‌ କିଆଝର ପଞ୍ଚାୟତରେ ରାସନ କାର୍ଡ ଦେଇ ଫେରାଇନେବା ଘଟଣାକୁ ଇତି ମଧ୍ୟରେ ୮ ମାସ ବିତିଯାଇଥିବା ବେଳେ କାର୍ଡ ପାଇବାରୁ ହିତାଧିକାରୀ ବଞ୍ଚିତ ରହିଥିବା ଅଭିଯୋଗ ହୋଇଛି। ଫଳରେ ଯୋଗାଣ ବିଭାଗ ଉପରେ ଜନଅସନ୍ତୋଷ ତୀବ୍ର ହେଉଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଗତବର୍ଷ ରାସନ କାର୍ଡ ନିମନ୍ତେ ପଞ୍ଚାୟତ ଅଧୀନ ବିଭିନ୍ନ ଗ୍ରାମରୁ ହିତାଧିକାରୀ ଆବେଦନ କରିଥିଲେ। ପ୍ରଶାସନ ପକ୍ଷରୁ ପିଇଓଙ୍କ ଜରିଆରେ ମଧ୍ୟ ସେତେବେଳେ ୧୪୧ ଜଣ ଲୋକଙ୍କଠାରୁ ଆଧାର ସହ ଅନ୍ୟ କାଗଜପତ୍ର ସଂଗ୍ରହ କରାଯାଇଥିଲା।

Advertisment

 ଗତବର୍ଷ ନଭେମ୍ବରରେ ପ୍ରାୟ ୩୮ ଜଣ ହିତାଧିକାରୀଙ୍କର କାର୍ଡ ହୋଇଥିବା ତାଲିକା ସ୍ଥାନୀୟ ସରପଞ୍ଚଙ୍କ ଅଗୋଚରରେ ଖାଉଟି ବିଭାଗ ପକ୍ଷରୁ ଜାରି କରାଯିବା ସହ ଲୋକଙ୍କଠାରୁ ଅର୍ଥ ଆଦାୟ କରିଥିଲେ ଦଲାଲ। ଏ ନେଇ ସରପଞ୍ଚ ଦୀପାଞ୍ଜଳି ମହାନ୍ତି ବ୍ଲକ୍‌ ପ୍ରଶାସନ ସହ ଯୋଗାଯୋଗ କରିବାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରବାସୀ ଶ୍ରମିକଙ୍କୁ ହିତାଧିକାରୀ ଭାବେ ଏହି କାର୍ଡରେ ସାମିଲ କରାଯାଇଥିବା ସୂଚନା ଦିଆଯାଇଥିଲା। ତେବେ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇଥିବା ସମସ୍ତ ହିତାଧିକାରୀଙ୍କୁ ୨୦୨୪ ନଭେମ୍ବର ମାସରେ ତିନି ମାସର ରାସନ ସାମଗ୍ରୀ ମଧ୍ୟ ଯୋଗାଇ ଦିଆଯାଇଥିଲା। ମାତ୍ର ପର ମୁହୂର୍ତ୍ତରେ ବିନା ସୂଚନାରେ ୯ ଜଣଙ୍କ ରାସନ କାର୍ଡ କାଟିଦେଇଥିଲା ସ୍ଥାନୀୟ ପ୍ରଶାସନ। କେଉଁ ମାନଦଣ୍ଡ ତଥା କାରଣ ଯୋଗୁ ଏମାନଙ୍କୁ ବାଦ୍‌ ଦିଆଗଲା ସେ ନେଇ ହିତାଧିକାରୀ ପ୍ରଶ୍ନ କରିଥିବା ବେଳେ ପିଇଓ କିମ୍ବା ବ୍ଲକ୍‌ ପ୍ରଶାସନ ପକ୍ଷରୁ ଆଜି ଯାଏଁ କୌଣସି ଉତ୍ତର ମିଳୁନାହିଁ।

କିଆଝର ପଞ୍ଚାୟତ ଅଧୀନ କୋଦୁଆଁପଲ୍ଲୀ ଗ୍ରାମର ଭାସ୍କର ସାହୁଙ୍କ ପରେ ମଙ୍ଗରାଜପୁର ଗ୍ରାମର ହରପ୍ରିୟା ସାହୁ, କିଆଝର ଗ୍ରାମର ଅଲେଖା ସାହୁ, ରାଜେନ୍ଦ୍ର ମାହାଳିକ, ରଞ୍ଜୁଲତା ମାହାଳିକ, ସୂର୍ଯ୍ୟମଣି ସ୍ୱାଇଁ, ହୃଷୀକେଶ ସ୍ୱାଇଁ, ଭରତ ମହାନ୍ତି ପ୍ରମୁଖଙ୍କୁ କାର୍ଡ ଦେଇ ଫେରାଇ ନିଆଯାଇଥିବା ବେଳେ ଆଜିଯାଏଁ ଏ ସମସ୍ୟାର ସମାଧାନ କରିନି ଯୋଗାଣ ବିଭାଗ। ବିନା ତଦନ୍ତରେ ବିନା ଅଭିଯୋଗରେ ଏମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍‌ ଦିଆଯାଇଥିବା ନେଇ ଅଭିଯୋଗ ହୋଇଥିଲେ ମଧ୍ୟ ପ୍ରଶାସନ ଚୁପ୍‌ ବସିଛି।

କିଆଝର ଗ୍ରାମର ଭରତ ମହାନ୍ତି ଗୋଡ଼ ହରାଇଥିବା ତଥା ଜଣେ ଭିନ୍ନକ୍ଷମ ବ୍ୟକ୍ତି ହୋଇଥିବା ବେଳେ ତାଙ୍କୁ କାର୍ଡ ଦେଇ ପ୍ରଶାସନ ଫେରାଇନେଇଥିବା ସେ କ୍ଷୋଭର ସହ କୁହନ୍ତି। ଏଭଳି ଚଞ୍ଚକତା ତଥା ଜାଲିଆତି ପାଇଁ ପୂର୍ବ ଯୋଗାଣ ନିରୀକ୍ଷକ ସୁବାସ ବିଶ୍ୱାଳଙ୍କୁ ଦାୟୀ କରିଛନ୍ତି ଭାରତୀୟ ବିକାଶ ପରିଷଦ ଉପସଭାପତି ନିରଞ୍ଜନ ଦାସ। ଶ୍ରୀ ଦାସଙ୍କ ଅଭିଯୋଗ ଅନୁଯାୟୀ ଶହ ଶହ ଅଯୋଗ୍ୟଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିଥିବା ପ୍ରଶାସନ ବିନା ତଦନ୍ତ ତଥା ଅଭିଯୋଗରେ ଯୋଗ୍ୟଙ୍କୁ ବାଦ୍‌ ଦେବା ନିନ୍ଦନୀୟ। ପୂର୍ବ ଯୋଗାଣ ନିରୀକ୍ଷକ ପ୍ରାୟ ୭ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବ୍ଲକ୍‌ ଅଞ୍ଚଳରେ ରହିଥିବା ବେଳେ ଏଭଳି ବେନିୟମ କାର୍ଯ୍ୟ କରି ଏଠାରୁ ଚାଲିଯାଇଥିବା ନେଇ ଶ୍ରୀ ଦାସ ଅଭିଯୋଗ ଆଣିଛନ୍ତି। ପ୍ରାୟ ୮ ମାସ ପରେ ମଧ୍ୟ ହିତାଧିକାରୀଙ୍କୁ ନ୍ୟାୟ ନ ମିଳିବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ଦାସ କହିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ବିଧିବଦ୍ଧ ତଦନ୍ତ ସହ ତୁରନ୍ତ କାର୍ଡ ପ୍ରଦାନ ନିମନ୍ତେ ପଦକ୍ଷେପ ନେବାକୁ ଶ୍ରୀ ଦାସ ଦାବି କରିଛନ୍ତି।