ପୁରୀ : ଶ୍ରୀମନ୍ଦିର ଚାରିପଟେ ଦ୍ବିତୀୟ ମେଘନାଦ ପାଚେରି ନିର୍ମାଣ ପ୍ରସଙ୍ଗରେ ଗତକାଲି ଓଡ଼ିଶା ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ସାମାଜିକ କର୍ମୀ ଦିଲୀପ କୁମାର ବରାଳ ଏହି ଜନସ୍ବାର୍ଥ ମାମଲା କରିଛନ୍ତି। ଅଭିଯୋଗରେ ସେ ମୁଖ୍ୟ ଶାସନ ସଚିବ, ଆଇନ ବିଭାଗ ସଚିବ, ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଡିଜି, ପ୍ରତ୍ନତତ୍ତ୍ବ ବିଭାଗ ଭୁବନେଶ୍ବର ସର୍କଲ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଶ୍ରୀମନ୍ଦିର ପରିଚାଳନା କମିଟି, ଏନ୍ଏମ୍ଏଙ୍କୁ ପକ୍ଷଭୁକ୍ତ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରୀ ବରାଳ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ନିଷିଦ୍ଧାଞ୍ଚଳରେ ଯେଉଁ ଦ୍ବିତୀୟ ପାଚେରି ନିର୍ମାଣ କରାଯାଉଛି, ସେ ନେଇ ଏନ୍ଏମ୍ଏ କିମ୍ବା ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଅନୁମତି ପ୍ରଦାନ କରିନାହାନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଯେଉଁ ନିର୍ମାଣକୁ ଅନୁମତି ମିଳିଛି, ପାଚେରି ନିର୍ମାଣ ତାହାର ବର୍ହିଭୂତ। ଏହା ଆମ୍ସାର୍ ଆଇନ-୨(ଏ)କୁ ଉଲ୍ଲଂଘନ କରୁଛି। ସୁପ୍ରିମକୋର୍ଟ ବି ରାୟରେ ଯେଉଁ ନିର୍ମାଣ କଥା କହିଥିଲେ, ସେଥିରେ ପାଚେରି କଥା ଉଲ୍ଲେଖ ନାହିଁ। ତଥାପି ବେଆଇନ୍ ଭାବେ ଏହି ପାଚେରି ନିର୍ମାଣ କରାଯାଉଛି। ଯଦି ଭବିଷ୍ୟତରେ ଏହି ପାଚେରି ପ୍ରତ୍ନତତ୍ତ୍ବ ବିଭାଗ ବା ଏନ୍ଏମ୍ଏ ଦ୍ବାରା ବେଆଇନ୍ ଘୋଷିତ ହୁଏ, ନିର୍ମାଣ ଚାଲିଥିବା ପାଚେରି ଭଙ୍ଗାଯାଏ, ତେବେ ସରକାରୀ ଅର୍ଥ ଅପବ୍ୟୟ ହେବ। ଏହା ପୂର୍ବରୁ ପାଚେରି ନିର୍ମାଣ ଅଟକାଇବାକୁ ଶ୍ରୀ ବରାଳ ହାଇକୋର୍ଟଙ୍କୁ ନିବେଦନ କରିଛନ୍ତି।
ମିଳିଥିବା ସୂଚନା ମୁତାବକ, ଶ୍ରୀମନ୍ଦିର ପ୍ରଶାସନ ଓବିସିସି ଓ ଟାଟା ପ୍ରୋଜେକ୍ଟ ଜରିଆରେ ଶ୍ରୀମନ୍ଦିର ଚାରିପଟେ ୫୫ ମିଟର ପରିଧିରେ ଆଉ ଏକ ପାଚେରି ନିର୍ମାଣ କରୁଛି। ଏହି ପାଚେରି ନିର୍ମାଣ ପାଇଁ ପ୍ରତି ୪ରୁ ୫ ଫୁଟ ଦୂରତାରେ ଏକ କଂକ୍ରିଟ୍ ଖୁଣ୍ଟ ନିର୍ମାଣ କରାଯାଇଛି। ଯେଉଁ ଖୁଣ୍ଟରେ ୧୬ଟି ରଡ୍ ବ୍ୟବହାର କରାଯାଇ ସୁଦୃଢ଼ କରାଯାଉଛି। ଅଧିକାରୀଙ୍କ ମତରେ ଏହି ପାଚେରି ଭିତରେ ଭକ୍ତମାନେ ଚଳପ୍ରଚଳ କରିବେ। ଗାଡ଼ିମୋଟର ଏହା ଭିତରେ ନିଷେଧ କରାଯିବ। ଏହା ଭିତରକୁ ପଶିବା ପାଇଁ ଚାରିଦ୍ବାରରେ ଚାରିଟି ଦ୍ବାର ବା ଜେବ୍ରା କ୍ରସିଂ ରହିବ।