କଟକ: ମହାପ୍ରଭୁଙ୍କ ସଂପତ୍ତିର ଭୂକ୍ଷରଣ କେବଳ ଆଇନଗତ ବ୍ୟତିକ୍ରମ ନୁହେଁ, ଏହା ଆଧ୍ୟାତ୍ମିକ ଅପମାନ ଓ ସାଂସ୍କୃତିକ କ୍ଷତି ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ସମ୍ପତ୍ତିର ଅଧିକାର ଅକ୍ଷୁଣ୍ଣ ରଖିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ଶ୍ରୀଜିଉଙ୍କ ସଂପତ୍ତିର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ତଥା ଏ ସମ୍ପର୍କିତ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଦିଗରେ ଫଳପ୍ରଦ ଓ ପ୍ରଭାବୀ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ଶ୍ରୀମନ୍ଦିର ରେକର୍ଡପତ୍ରର ଡିଜିଟାଇଜେସନ୍ ସହ ମନ୍ଦିର ସମ୍ପତ୍ତି ମ୍ୟୁଟେସନ୍ ଓ ହସ୍ତାନ୍ତର ପ୍ରସଙ୍ଗରେ ମାର୍ଗଦର୍ଶିକା ପ୍ରଣୟନ କରିବାକୁ ହାଇକୋର୍ଟ କହିଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିରର ସଂପତ୍ତି ବିବାଦ ସଂପର୍କିତ ମାମଲାର ଶୁଣାଣି କରି ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି ଯେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାଁରେ ଥିବା ସଂପତ୍ତି ସଂକ୍ରାନ୍ତୀୟ ତଥ୍ୟ ଠିକ୍ ଭାବେ ରେକର୍ଡ କରିବାକୁ ରାଜସ୍ବ ଓ ଭୂମି ରେକର୍ଡ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ। ଶ୍ରୀଜଗନ୍ନାଥ ମନ୍ଦିର ଆଇନ(ଏସ୍ଜେଟିଏ)ରେ ଥିବା ବ୍ୟବସ୍ଥା ସହିତ ପ୍ରକୃତ ଆଇନଗତ ସ୍ଥିତି ସଂକ୍ରାନ୍ତରେ ଶ୍ରୀଜିଉଙ୍କ ସଂପତ୍ତି ସଂପର୍କିତ ତଥ୍ୟ ରେକର୍ଡରେ ଉଲ୍ଲେଖ କରାଯିବ। ଆଇନର ବିରୁଦ୍ଧାଚରଣ କରୁଥିବା ତଥା ଏହି ରାୟ ଅନୁସାରେ ନଥିବା ଯେ କୌଣସି ମ୍ୟୁଟେସନ୍ ବା ଜମି ରେକର୍ଡରେ ସଂଶୋଧନକୁ ବାଦ ଦିଆଯିବ। ସେହିପରି ଏସ୍ଜେଟିଏ ଅଧୀନ ବର୍ତ୍ତମାନର ପ୍ରକ୍ରିୟା ଓ ବ୍ୟବସ୍ଥାର ସମୀକ୍ଷା କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ଧାରା ୧୬(୨)ସମୀକ୍ଷା କରାଯିବ ବୋଲି ହାଇକୋର୍ଟ କହିଛନ୍ତି। ଏହା ଦ୍ୱାରା ମନ୍ଦିର ସମ୍ପତ୍ତିର ଅନଧିକୃତ ହସ୍ତାନ୍ତର ତଥା ମ୍ୟୁଟେସନକୁ ଅନୁମତି ପ୍ରଦାନ କ୍ଷେତ୍ରରେ ରହୁଥିବା ବ୍ୟତିକ୍ରମକୁ ଦୂର କରାଯାଇପାରିବ ବୋଲି ହାଇକୋର୍ଟ କହିଛନ୍ତି।
ଶ୍ରୀଜିଉ ଓ ଶ୍ରୀମନ୍ଦିରର ସଂପତ୍ତି ଅଧିକାରକୁ ସୁରକ୍ଷା ଦେବା ଲାଗି ଓ ଅନିୟମିତତା ରୋକିବା ପାଇଁ ସାମ୍ପ୍ରତିକ ବ୍ୟବସ୍ଥାକୁ ଅଧିକ କଠୋର କରିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ସେହିଭଳି ଶ୍ରୀମନ୍ଦିର ସଂପତ୍ତି ହସ୍ତାନ୍ତର, ଲିଜ୍, ମ୍ୟୁଟେସନ୍ ସମ୍ପର୍କିତ ପ୍ରସଙ୍ଗରେ ଆଇନ ବିଭାଗ ଓ ମନ୍ଦିର ପ୍ରଶାସନ ଉପଯୁକ୍ତ ସମନ୍ବୟ ରଖିବେ। ବୈଧାନିକ ଆବଶ୍ୟକତା ଅନୁପାଳନ ହୋଇନଥିଲେ ତଥା ପ୍ରାଧିକୃତ ସମ୍ପତ୍ତି କମିଟିର ପୂର୍ବ ସୁପାରିସ ନଥିଲେ ତଥା ଜିଲ୍ଲା ସବରେଜିଷ୍ଟ୍ରାରଙ୍କ ଦ୍ୱାରା ମୂଲ୍ୟାୟନ ହୋଇନଥିଲେ କୋଣସି ଅନୁମୋଦନ ବା ମଞ୍ଜୁରିକୁ ବୈଧ ବୋଲି ବିବେଚନା କରାଯିବ ନାହିଁ। ଯଦି କୌଣସି ପ୍ରଶାସନିକ ଅନିୟମିତତା ଓ ଅବହେଳା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ସମ୍ପତ୍ତିର ବେଆଇନ ହସ୍ତାନ୍ତର କିମ୍ବା ମ୍ୟୁଟେସନ୍ ହୋଇଥାଏ ତେବେ ଏଭଳି ଘଟଣାକୁ ଚିହ୍ନଟ କରି ଆବଶ୍ୟକ ପଦକ୍ଷେପ ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।