ସମ୍ବଲପୁର/ବୁର୍ଲା/ଭୁବନେଶ୍ବର : ଭିସୁଟ୍ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତ୍ୟୁ ଘଟଣାରେ ବୁର୍ଲା ପୁଲିସର ଏକ ପାଞ୍ଚଜଣିଆ ଟିମ୍ ଶୁକ୍ରବାର ଭୁବନେଶ୍ବର ବିଜେବି ନଗରରେ ଚିନ୍ମୟୀ ରହୁଥିବା ଭଡ଼ା ଘରକୁ ଯାଇ ଛାନଭିନ୍ କରିଛି। ଘର ମାଲିକାଣୀ ଓ ପଡ଼ୋଶୀଙ୍କୁ ପଚରାଉଚରା କରିଛି। ଚିନ୍ମୟୀ ମାସରେ କେତେ ଦିନ ଏଠାରେ ରହୁଥିଲେ, ତାଙ୍କ ସହ ଆଉ କିଏ କିଏ ରହୁଥିଲେ, ତାଙ୍କ ପାଖକୁ କିଏ କିଏ ଆସୁଥିଲେ, ପରିବାରଲୋକ ଭେଟିବାକୁ ଆସୁଥିଲେ ନା ନାହିଁ ଆଦି ସଂପର୍କରେ ପୁଲିସ ପଚରାଉଚରା କରିଥିବା ଜଣାଯାଇଛି। କେବଳ ସେତିକି ନୁହେଁ, ସେଠାରୁ ଗୋଟିଏ ଲାପ୍ଟପ୍, ଡାଏରି, ପେନ୍ଡ୍ରାଇଭ୍, ହାର୍ଡଡିସ୍କ ସହ ବିଭିନ୍ନ ଖାତା ଓ ବହି ଜବତ କରାଯାଇଛି। ସେପଟେ ବୁର୍ଲାରେ ସାଇଣ୍ଟିଫିକ୍ ଟିମ୍ ଶୁକ୍ରବାର ପୁଣିଥରେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛି।
ପ୍ରୀତିମାନଙ୍କ ମା’ କହିଛନ୍ତି ଯେ ତାଙ୍କ ପୁଅ ପିଲାଟି ବେଳୁ ଦୟାଳୁ। ସେ ବି.ଟେକ୍ ପାସ୍ ପରେ ଘରକୁ ଆସିଥିଲା। ଗେଟ୍ କ୍ବାଲିଫାଏ ମଧ୍ୟ କରିଥିଲା। ତା’ ହାତରେ ୩ବର୍ଷ ସମୟ ଥିବାରୁ ସେ ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତି ହେଉଥିଲା। ଭଡ଼ାରେ ଘରଟିଏ ଖୋଜିଦେବା ପାଇଁ ଚିନ୍ମୟୀ ତାକୁ ବାରମ୍ବାର ଫୋନ୍ କରିବାରୁ ସେ ତା’ ପିଲାବେଳର ଶିକ୍ଷୟିତ୍ରୀଙ୍କ ଘରକୁ ଠିକ୍ କରିଥିଲା। ଏଥିରେ ତା’ର କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା। ଯଦି ସେମିତି ହୋଇଥାଆନ୍ତା, ସେ ତାକୁ ଅନ୍ୟ କୌଣସି ସ୍ଥାନରେ ବି ରଖି ପାରିଥାଆନ୍ତା। ଘର ସାମ୍ନାରେ ବାପା ମା’ଙ୍କ ଅବଗତରେ ବାନ୍ଧବୀ ରହିବା କ’ଣ ଖରାପ ଉଦ୍ଦେଶ୍ୟରେ ହୋଇପାରେ ବୋଲି ସେ ପ୍ରଶ୍ନ କରିଛନ୍ତି।
ସେ ଆହୁରି କହିଛନ୍ତି ଯେ ଚିନ୍ମୟୀ ତାଙ୍କ ଘରକୁ ମଧ୍ୟ ଆସେ। ଭଡ଼ା ଘର ଛାତ କାମ ବେଳେ ଚିନ୍ମୟୀ ତାଙ୍କ ଘରେ ଖାଇଥିଲା। ସରସ୍ୱତୀ ପୂଜାରେ ବି ଘରକୁ ଆସି ପ୍ରସାଦ ଖାଇଥିଲା। ଦୁହିଁଙ୍କ ଭିତରେ ବହୁତ ଭଲ ସଂପର୍କ ଥିଲା। ତେଣୁ ପ୍ରୀତିମାନ ଯେ ତାକୁ ହତ୍ୟା କରିଥିବ, ତାହା ସମ୍ଭବ କିମ୍ବା ବିଶ୍ବାସଯୋଗ୍ୟ ନୁହେଁ। ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ପୁଲିସ ଠିକ୍ ଦିଗରେ ତଦନ୍ତ କରୁ। ଆମେ ସମସ୍ତ ପ୍ରକାର ସହଯୋଗ କରିବାକୁ ରାଜି ଅଛୁ ବୋଲି ସେ କହିଛନ୍ତି।
ଏପଟେ ଏହି ଘଟଣାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପ୍ରତିକ୍ରିୟା ରଖି ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଶ୍ରୀ ମିଶ୍ର କହିଛନ୍ତି ଯେ ଓଡ଼ିଶା ପୁଲିସ ଉପରେ ତାଙ୍କର ସନ୍ଦେହ ହେଉଛି। କାରଣ ସେମାନେ ଲୋକଙ୍କ ସନ୍ଦେହ ହେବା ଭଳି କାମ କରୁଛନ୍ତି। ସରକାରୀ ଦଳ ସବୁବେଳେ ନିଜ ସ୍ବାର୍ଥ ପାଇଁ ପୁଲିସର ବ୍ୟବହାର କରିଆସିଛି। ଚିନ୍ମୟୀଙ୍କ ପରିବାର ଯେଉଁ ସନ୍ଦେହ କରୁଛନ୍ତି, ତାକୁ ଦୂର କରିବାକୁ ପୁଲିସ ଉଦ୍ୟମ କରିବା ଆବଶ୍ୟକ। ପୁଲିସ ଠିକ୍ ପଦକ୍ଷେପ ନ ନେଲେ ଏ ପ୍ରସଙ୍ଗ ବିଧାନସଭାରେ ଉଠିବ।
ମିଳିଥିବା ସୂଚନା ଅନୁସାରେ, ଅଘଟଣ ଘଟିବା ରାତି ୯ଟାରେ ଚିନ୍ମୟୀ ବସ୍ରେ ଭୁବନେଶ୍ବର ଫେରିଥାନ୍ତେ। ଏହା ପୂର୍ବରୁ ସଂଧ୍ୟାରେ ମାଆଙ୍କ ସହ ସେ ହ୍ବାଟ୍ସଆପ୍ ଚାଟ୍ରେ କଥା ହୋଇଥିଲେ। ରାତି ୯ଟାରେ ବସ୍ର ୮ ନମ୍ବର ସ୍ଲିପର୍ ସିଟ୍ ବୁକ୍ କରିଥିବା କଥା ଚିନ୍ମୟୀ ଚାଟ୍ରେ ଉଲ୍ଲେଖ କରିଥିଲେ। ସମାବର୍ତ୍ତନ ଉତ୍ସବ ଅବସରରେ ସାଙ୍ଗମାନଙ୍କ ସହ ଉଠାଇଥିବା ଫଟୋକୁ ମଧ୍ୟ ଚିନ୍ମୟୀ ତାଙ୍କ ମାଆଙ୍କ ପାଖକୁ ପଠାଇଥିଲେ। ସଂଧ୍ୟା ୫ଟା ୫୦ ରୁ ୬ ଟା ୪୭ ଯାଏ ସେ ହ୍ବାଟ୍ସଆପ୍ରେ ଚାଟ୍ କରିଥିବା ଜଣାପଡ଼ିଛି।
ସେପଟେ ଚିନ୍ମୟୀଙ୍କ ମୋବାଇଲ୍ ତାଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେଙ୍କ ଠାରୁ ପୁଲିସ ଜବତ କରିଥିବାବେଳେ ପ୍ରୀତିମାନଙ୍କ ମୋବାଇଲ୍ ଫୋନ୍ ତାଙ୍କ ପାଖରେ ନଥିଲା। ପୁଲିସ ପ୍ରୀତିମାନଙ୍କ ମୋବାଇଲ୍କୁ ତାଙ୍କ ସାଙ୍ଗମାନଙ୍କ ପାଖରୁ ଘଟଣା ଘଟିବାର ୪ ଘଣ୍ଟା ପରେ ଜବତ କରିଥିଲା। ଏହାକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର୍ ଧରିଛି। ପ୍ରୀତିମାନଙ୍କ ମୋବାଇଲ୍ ଫୋନ୍ ତାଙ୍କ ସାଙ୍ଗମାନଙ୍କ ପାଖକୁ କିଭଳି ଗଲା, ସେମାନେ ମୋବାଇଲ୍ରୁ କିଛି ଡିଲିଟ୍ କରିଛନ୍ତି କି ନାହିଁ, ସେଭଳି ଅନେକ ପ୍ରଶ୍ନ ଉପରେ ଏବେ ପୁଲିସ ତଦନ୍ତ ଜାରି ରଖିଛି।