ଜାଗା ମିସନ୍‌ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ: ୫୨ଟି ସହର ପାଇଁ ୮,୨୭୩ ଘର ମଞ୍ଜୁର

ସହରୀ ଆବାସ ଯୋଜନାରେ ଦିଆଯାଇଛି ୧.୩୯ ଲକ୍ଷ ବାସଗୃହ

ଭୁବନେଶ୍ବର: ସହରାଞ୍ଚଳ ଗରିବମାନଙ୍କ ପାଇଁ ଓଡ଼ିଶା ସହରୀ ଆବାସ ଯୋଜନାରେ ୧,୩୯,୧୪୯ଟି ଗୃହ ଯୋଗାଇ ଦିଆଯାଇଛି। ୫୨ଟି ସହରାଞ୍ଚଳ ପାଇଁ ନୂଆ ୮୨୭୩ଟି ନୂଆ ଗୃହ ନିର୍ମାଣ ପ୍ରସ୍ତାବକୁ ଆଜି ଅନୁମୋଦନ ଦିଆଯାଇଛି। ଏଥି ପାଇଁ ୨୪,୮୨୮.୦୪ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଉନ୍ନୟନ କମିସନର୍‌ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ମଞ୍ଜୁରୀ ଓ ପରିଚାଳନା କମିଟି ବୈଠକରେ ଏହି ଅନୁମୋଦନ ଦିଆଯାଇଛି। ପୂର୍ବରୁ ପ୍ରାୟ ୭ ହଜାର ଗୃହ ନିର୍ମାଣ ନିମନ୍ତେ ଚୂଡ଼ାନ୍ତ ଅନୁମୋଦନ ପାଇଁ ଭାରତ ସରକାରଙ୍କୁ ପ୍ରସ୍ତାବ ପଠାଯାଇଛି। ବର୍ତ୍ତମାନର ସୁପାରିସ୍‌ ସହ ଅନୁମୋଦନ ମିଳିଲେ ଆହୁରି ୧୫,୨୭୩ ପରିବାରଙ୍କୁ ବାସଗୃହ ଯୋଗାଇ ଦିଆଯିବ। ଏହି ଯୋଜନାରେ ହିତାଧିକାରୀ ନିଜେ ନିଜର ବାସଗୃହ ନିର୍ମାଣ କରନ୍ତି। ପ୍ରାୟ ୨୧ରୁ ୩୧ ବର୍ଗ ମିଟର ପରିମିତ ଘର ପାଇଁ ପ୍ରାୟ ୩ ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳ ହୁଏ। ହିତାଧିକାରୀଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ମିଳିତ ଭାବେ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯାଏ। ହିତାଧିକାରୀ ନିଜର ଅଂଶଧନ ଭାବେ ନିଜର ଶ୍ରମ ଦେଇ ଘର ନିର୍ମାଣ କରିଥା’ନ୍ତି। ଆବଶ୍ୟକ ହେ‌େଲ ହିତାଧିକାରୀ ନିଜ ଅଂଶଧନ ବ୍ୟାଙ୍କରୁ ଋଣ ଆକାରରେ ଆଣିପାରିବାର ବ୍ୟବସ୍ଥା କରାଯାଇଛି।

ବିଭିନ୍ନ ସହରାଞ୍ଚଳରେ ସହରୀ ଆବାସ ଯୋଜନାର ଅଗ୍ରଗତି ସମୀକ୍ଷା କରି ଜାଗା ମିସନ୍‌ କାର୍ଯ୍ୟକ୍ରମକୁ ଅଧିକ ସଘନ ଓ ବ୍ୟାପକ କରିବାକୁ ଉନ୍ନୟନ କମିସନର୍‌ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ଯେ ଘର ଡିହ ସହରାଞ୍ଚଳ ଗରିବଙ୍କୁ ଆବାସ ଯୋଗାଣ ନିମନ୍ତେ ଯୋଗ୍ୟ କରାଇବା ସହ ସେମାନଙ୍କର ଆତ୍ମ ବିଶ୍ବାସ ଓ ଆତ୍ମ ସମ୍ମାନ ବଢ଼ାଇବ। ବିଭିନ୍ନ ସହରରେ ବାସଗୃହ ନିର୍ମାଣ ପାଇଁ ଅଧିକରୁ ଅଧିକ ଜାଗା ଚିହ୍ନଟ କରିବା ସହ ସେସବୁକୁ ଜବରଦଖଲମୁକ୍ତ ରଖିବା ପାଇଁ ଶ୍ରୀ ମହାପାତ୍ର ରାଜସ୍ବ ବିଭାଗ ଓ ପୌରପାଳିକା କର୍ତ୍ତୃପକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜଙ୍ଗଲ ଅଧିକାର ନିୟମ ବଳରେ ଜାଗା ପାଇବାକୁ ଯୋଗ୍ୟ ବସ୍ତିବାସିନ୍ଦାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଘର ଡିହ ଯୋଗାଇବା ପାଇଁ ସେ କହିଥିଲେ। ଲୋକସେବା ଭବନରୁ ଡିଜିଟାଲ୍‌ ମୋଡ୍‌ରେ ଅନୁଷ୍ଠିତ ଏହି ବୈଠକରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି ମାଥିଭାଥାନନ୍‌ ଯୋଜନା ସମ୍ବନ୍ଧିତ ଆର୍ଥିକ ଓ ପ୍ରଶାସନିକ ବିଷୟରେ ଆଲୋଚନା କରିଥିଲେ। ସହରୀ ଆବାସ ମିସନ୍ ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ଦଳାଇ ସୂଚନା ଦେଇଥିଲେ ଯେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୧୪ଟି ସହରାଞ୍ଚଳରେ ୧,୩୯,୧୪୯ ବାସହୀନ ପରିବାରଙ୍କ ପାଇଁ ଗୃହ ମଞ୍ଜୁର କରାଯାଇଛି। ସେଥି ମଧ୍ୟରୁ ୧,୦୪,୮୩୮ ଘର ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ଦିଆଯାଇଛି ଓ ୫୪,୦୩୪ଟି ଗୃହ ନିର୍ମାଣ ସରିଛି। ଅବଶିଷ୍ଟ ଗୃହ ନିର୍ମାଣ କାର୍ଯ୍ୟ ବିଭିନ୍ନ ପର୍ଯ୍ୟାୟରେ ଚାଲୁ ରହିଛି। ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା, ରାଜସ୍ବ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ, ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା, ସହରୀ ଆବାସ ମିସନ୍‌ ଯୁଗ୍ମ ନିର୍ଦ୍ଦେଶକ ସୁଶାନ୍ତ ମିଶ୍ରଙ୍କ ସମେତ ରାଜ୍ୟ ବ୍ୟାଙ୍କ ସମନ୍ବୟ ସମିତି ଓ ଓଡ଼ିଶା ସହରାଞ୍ଚଳ ଆବାସ ‌ମିସନ୍‌ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର