ରାତିରେ ଝଲସିବ ଶ୍ରୀମନ୍ଦିର, ଅଁଳାବେଢ଼ାରୁ ମେଘନାଦ ପାଚେରି, ସବୁଠି ଲାଗିବ ଦାମୀ ଥ୍ରିଡି ଲାଇଟ୍‌

ଦୂରରୁ ସ୍ପଷ୍ଟ ଦୃଶ୍ୟମାନ ହେବ ଶ୍ରୀମନ୍ଦିର, ଦେଢ଼ କୋଟି ଖର୍ଚ୍ଚ କରିବ ପ୍ରତ୍ନତତ୍ତ୍ବ ବିଭାଗ

ପୁରୀ: ଆହୁରି ସୁନ୍ଦର ଦିଶିବ ଶ୍ରୀମନ୍ଦିର। ସନ୍ଧ୍ୟାରେ ଆଲୋକମାଳା(ଫେକେଡ୍‌ ଇଲୁମିନେସନ୍‌)ରେ ଝଲସିବ ଅଁଳାବେଢ଼ଠାରୁ ଆରମ୍ଭ କରି ମେଘନାଦ ପା‌ଚେରି। ଚାରିଆଡ଼େ ଦାମୀ ଥ୍ରିଡି ଲାଇଟ୍‌ ସଂଯୋଗ କରାଯିବ। ଯଦ୍ବାରା ଭକ୍ତମାନେ ଶ୍ରୀମନ୍ଦିରର ଅପରୂପ ସୌନ୍ଦର୍ଯ୍ୟକୁ ଘନ ଅନ୍ଧକାରରେ ବି ଦୂରରୁ ସ୍ପଷ୍ଟ ଦେଖିପାରିବେ। ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଏହାର ପୂର୍ଣ୍ଣ ନକ୍ସା ପ୍ରସ୍ତୁତ କରିଥିବାବେଳେ ଆସନ୍ତା ୧୭ ତାରିଖରୁ ଏହି କାମ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଏକ ତିନିଜଣିଆ ବୈଷୟିକ ଦଳ ଆଜି ସ୍ଥିତି ଅନୁଧ୍ୟାନ କରିଛନ୍ତି। କେଉଁଠାରୁ ବିଜୁଳି ସଂଯୋଗ ନିଆଯିବ, କେଉଁ କେଉଁ ସ୍ଥାନରେ ଲାଇଟ୍‌ ଲାଗିଲେ ଶ୍ରୀମନ୍ଦିର ସୁନ୍ଦର ଦିଶିବ, ସବୁର ଟିକିନିଖି ଅନୁଧ୍ୟାନ କରି ଫେରିଛନ୍ତି। ପୂର୍ବରୁ କୋଣାର୍କରେ ଏହି କାମ ଆରମ୍ଭ ହୋଇ ସାରିଥିବାବେଳେ ଶ୍ରୀମନ୍ଦିର ପରେ ଭୁବନେଶ୍ବର ରାଜାରାଣୀ ମନ୍ଦିରରେ ବି ଏଭଳି ବ୍ୟବସ୍ଥା କରିବାକୁ ଲକ୍ଷ୍ୟ ରଖିଛି ପ୍ରତ୍ନତତ୍ତ୍ବ ବିଭାଗ।

ମିଳିଥିବା ସୂଚନା ମୁତାବକ, ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ବ ନେଇଥିବା ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଏହି ଆଲୋକୀକରଣ ବ୍ୟବସ୍ଥା ପାଇଁ ଦେଢ଼କୋଟି ଟଙ୍କା ଖର୍ଚ୍ଚ କରିବ। କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ମନ୍ତ୍ରାଳୟ ଅଧୀନରେ ଥିବା ମିନିରତ୍ନ କଂପାନି ‘ୱାପ୍‌କୋସ୍‌’ ଏହି କାମ କରିବ। ପ୍ରକଳ୍ପର ନାମ ‘ଫେକେଡ୍‌ ଇଲୁମିନସେନ୍‌ ପ୍ରୋଜେକ୍ଟ’ ହୋଇଥିବାବେଳେ ଏହା ଜରିଆରେ ଦାମୀ ଲାଇଟ୍‌ ସବୁ ଶ୍ରୀମନ୍ଦିର ଅଁଳା‌ବେଢ଼ା, ଭୋଗମଣ୍ଡପ, କୁରୁମବେଢ଼ା, ଭିତର ଗୁମୁଟ, ବାଇଶି ପାହାଚ ଆଦି ସ୍ଥାନରେ ଲାଗିବ। ସେହିଭଳି ଶ୍ରୀମନ୍ଦିର ଚାରିଦ୍ବାରରେ ବି ଆଲୋକୀକରଣ ବ୍ୟବସ୍ଥା କରାଯିବ।

ସମ୍ବନ୍ଧିତ ଖବର