ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଡ଼ୁଆ ବଢ଼ୁଛି, ୨୦ ଦିନ ତଳେ ଅନୁମତି ମଗାଯାଇଛି

ନୂଆ ମୁଖ୍ୟ ପ୍ରଶାସକ ଗତ ୬ ତାରିଖରେ ଚିଠି ଲେଖିଥିଲେ, ପ୍ରତ୍ନତତ୍ତ୍ବ ବିଭାଗ କୌଣସି ଅନୁମତି ଦେଇନାର୍ହି

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ୧୦୦ ମିଟର ନିଷିଦ୍ଧାଞ୍ଚଳରେ ଯେଉଁଭଳି ଖନନ ଓ ନିର୍ମାଣ ଚାଲିଛି, ତାହା ବେଆଇନ୍‌ ଅଭିଯୋଗ କରି ଆନ୍ଦୋଳନ ବି ମୁଣ୍ଡ ଟେକିଲାଣି। ଏଭଳି ସ୍ଥିତିରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ଯେଉଁ ଶ୍ରୀମନ୍ଦିର ପ୍ରକଳ୍ପକୁ ନେଇ ତମ୍ବିତୋଫାନ ଚାଲିଛି, ସେହି ପ୍ରକଳ୍ପର ପ୍ରସ୍ତାବ ଗତ ଏପ୍ରିଲ ୬ ତାରିଖରେ ଅର୍ଥାତ୍‌ ୨୦ ଦିନ ତଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରତ୍ନତତ୍ତ୍ବ ବିଭାଗକୁ ପଠାଯାଇଛି। ନୂଆକରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଯୋଗଦେବା ପରେ ବୀର ବିକ୍ରମ ଯାଦବ ଏହି ଚିଠି ପ୍ରତ୍ନତତ୍ତ୍ବ ବିଭାଗକୁ ଲେଖି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପରିବର୍ତ୍ତିତ ପ୍ରସ୍ତାବ ଉପରେ ଅନୁମତି ମାଗିଛନ୍ତି। ସେପଟେ ଗତ ଏପ୍ରିଲ ୨୫ ତାରିଖ ସୁଦ୍ଧା ପ୍ରତ୍ନତତ୍ତ୍ବ ବିଭାଗ ବି କୌଣସି ପ୍ରକଳ୍ପ ପାଇଁ ଅନୁମତି ଦେଇନଥିବା କହିଛି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ଏହି ତଥ୍ୟ ଏବେ ଚହଳ ପକାଇବା ସହ ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଓ ଓବିସିସିର ମିଛକୁ ଧରା ପକାଇଦେଇଛି ବୋଲି ଚର୍ଚ୍ଚା ହେଉଛି।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ବାଦବିବାଦ ମୁଣ୍ଡ ଟେକିବା ପରେ କେନ୍ଦ୍ରାପଡ଼ାର ସୂଚନା ଅଧିକାର କର୍ମୀ କ୍ଷିତୀଶ କୁମାର ସିଂହ ସୂଚନା ଅଧିକାର ବଳରେ ଏହା ଉପରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ସବିଶେଷ ତଥ୍ୟ ମାଗିଥିଲେ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ କରିବା ସମ୍ପର୍କରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗକୁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଚିଠି କରାଯାଇଛି କି ବୋଲି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଶ୍ରୀମନ୍ଦିର ପ୍ରଶାସନର ଏକ ଚିଠିକୁ ସଂଲଗ୍ନ କରି କହିଛି ଯେ ଗତ ଏପ୍ରିଲ ୬ ତାରିଖରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଭୁବନେଶ୍ବର ମଣ୍ଡଳ କାର୍ଯ୍ୟାଳୟକୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପରେ ଏକ ଚିଠି କରାଯାଇଥିଲା। ଯେଉଁ ଚିଠି ଆଧାରରେ ଶ୍ରୀମନ୍ଦିର ପ୍ରଶାସନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବାବଦ ପ୍ରସ୍ତାବ(ପ୍ରପୋଜାଲ୍‌) ଦାଖଲ କରିଛନ୍ତି। ଗତ ମାର୍ଚ୍ଚ ୮ ତାରିଖ(ଚିଠି ନଂ-୩/୧୩୯/୨୧-ଏମ-୫୮୦୫)ରେ ପ୍ରତ୍ନତତ୍ତ୍ବ ବିଭାଗ ସୁପରିନ୍‌ଟେଣ୍ଡେଣ୍ଟ ଅରୁଣ ମଲ୍ଲିକଙ୍କ ପକ୍ଷରୁ ନିର୍ମାଣ ସଚିବଙ୍କୁ ଏକ ଚିଠି କରାଯାଇଥିଲା। ଯେଉଁଥିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପର୍କିତ ତଥ୍ୟ ମଗାଯାଇଥିଲା। ଗତ ଫେବ୍ରୁ୍ଆରି ୨୧ ତାରିଖରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ମହାନିର୍ଦ୍ଦେଶକ(ଡିଜି) ଓ ତାଙ୍କ ଟିମ୍‌ ଶ୍ରୀମନ୍ଦିର ପରିକ୍ରମା ପ୍ର୍ରକଳ୍ପ ବୁଲିବା
ପରେ ଯେଉଁ ଆଲୋଚନା ହୋଇଥିଲା, ସେହି ଆଧାରରେ ପ୍ରସ୍ତାବିତ ପରିବର୍ତ୍ତିତ ପ୍ରକଳ୍ପର ସବିଶେଷ ତଥ୍ୟ ଦାଖଲ କରିବାକୁ କୁହାଯାଇଥିଲା। ଏହାର ନକଲ ଓବିସିସି, ଜିଲ୍ଲାପାଳ, ପ୍ରତ୍ନତତ୍ତ୍ବ ବିଭାଗର ନୂଆଦିଲ୍ଲୀ ମୁଖ୍ୟାଳୟ, ପ୍ରତ୍ନତତ୍ତ୍ବ ବିଭାଗ ପୁରୀ ମଣ୍ଡଳ କାର୍ଯ୍ୟାଳୟକୁ ପଠାଯାଇଥିଲା। ଏହି ଚିଠିର ଜବାବରେ ଗତ ୬ ତାରିଖରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଯାଦବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନୁମୋଦନ ପାଇଁ ଏଭଳି ଚିଠି ଲେଖିଥିବା ପ୍ରତ୍ନତତ୍ତ୍ବ ବିଭାଗ ସ୍ପଷ୍ଟ କରିଛି। ଯେଉଁଥିରେ ପରିବର୍ତ୍ତିତ ପ୍ରସ୍ତାବିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସାମାଜିକ ଅନୁଧ୍ୟାନ ରିପୋର୍ଟ, ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଯେଉଁ ନିର୍ମାଣ, ପୁନରୁଦ୍ଧାର ଆଦି କାର୍ଯ୍ୟ କରାଯାଉଛି, ତାର ମ୍ୟାପ ଏବଂ ଶ୍ରୀମନ୍ଦିର ପ୍ରଶାସନ ଓ ପ୍ରତ୍ନତତ୍ତ୍ବ ବିଭାଗ ଭିତରେ ହୋଇଥିବା ଏମ୍‌ଓୟୁ ସଂଲଗ୍ନ କରାଯାଇଛି।

ଅନ୍ୟପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ରାଜ୍ୟ ସରକାରଙ୍କୁ କୌଣସି ପରାମର୍ଶ ବା ନିର୍ଦ୍ଦେଶାବଳୀ ଦେଇଛନ୍ତି କି ବୋଲି ସୂଚନା ଅଧିକାରୀ କର୍ମୀ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ସେଭଳି କୌଣସି ନିର୍ଦ୍ଦେଶ ବା ପରାମର୍ଶ ଦିଆଯାଇନଥିବା ପ୍ରତ୍ନତତ୍ତ୍ବ ବିଭାଗ ସିଧାସଳଖ ମନା କରି ଦେଇଛି। ସୂଚନା ଅଧିକାର କର୍ମୀ ଏ ଉପରେ ଦିଲ୍ଲୀସ୍ଥିତ ପ୍ରତ୍ନତତ୍ତ୍ବ ବିଭାଗକୁ ତଥ୍ୟ ମାଗିଥିଲେ ବି ଏହା ଭୁବନେଶ୍ବର ମଣ୍ଡଳ କାର୍ଯ୍ୟାଳୟ ଅଧୀନରେ ଥିବାରୁ ଚିଠିକୁ ଭୁବ‌ନେଶ୍ବର ମଣ୍ଡଳ କାର୍ଯ୍ୟାଳୟକୁ ପଠାଇ ଦିଆଯାଇଥିଲା। ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଭୁବନେଶ୍ବର ମଣ୍ଡଳ କାର୍ଯ୍ୟାଳୟ ଗତକାଲି ଏଭଳି ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛି।

ସମ୍ବନ୍ଧିତ ଖବର