ଗଂଜେଇ ମାଫିଆ ଡରରେ ଫେରିଲା ପ୍ରଶାସନର ଜେସିବି

ଲହଙ୍ଗା-ମଳିପଡ଼ାରେ ଜାତୀୟ ରାଜପଥ, କାଜୁ ନିଗମ ଓ ରାଜସ୍ୱ ବିଭାଗର ଜମି ଜବରଦଖଲ

ଖୋର୍ଦ୍ଧା: ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶରେ ଦଙ୍ଗାକାରୀ, ଅପରାଧୀ, ମାଫିଆଙ୍କ ବେଆଇନ ସମ୍ପତ୍ତିକୁ ସରକାରୀ ଜେସିବି ବିଧ୍ୱସ୍ତ କରିବାରେ ସଫଳ ହେଉଥିବା ବେଳେ ଖୋର୍ଦ୍ଧାରେ କିନ୍ତୁ ପ୍ରଶାସନର ଜେସିବି ଜଣେ ସାଧାରଣ ଗଂଜେଇ ଓ ଜମି ମାଫିଆର ଭୟରେ ପଛଘୁଂଚା ଦେଇ ଫେରି ଆସିଛି ।

ଖୋର୍ଦ୍ଧାରେ ଜମି ମାଫିଆଙ୍କ ଭୟରେ ସାଧାରଣ ଲୋକ ଥରହର ହେଉଥିବା କଥା ଶୁଣିଥିଲୁ, କିନ୍ତୁ ପୁଲିସ-ପ୍ରଶାସନ ମଧ୍ୟ ଭୟରେ ପଛଘୁଂଚା ଦେଉଛି ତାହା ଆଜି ଦେଖିବାକୁ ମିଳିଛି । ଖୋର୍ଦ୍ଧା ତହସିଲ ଜଙ୍କିଆ ଥାନା ଅଧୀନ ଲହଙ୍ଗା-ମଳିପଡ଼ା ଠାରେ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ବେଆଇନ ନିର୍ମାଣ ଓ ଦୋକାନଘର ଭାଙ୍ଗିବାକୁ ଜେସିବି ନେଇ ଯାଇଥିବା ପୁଲିସ ଓ ପ୍ରଶାସନ ଆଜି ଅଂଚଳର ଜଣାଶୁଣା ଗଂଜେଇ ଓ ଜମି ମାଫିଆଙ୍କ ସମର୍ଥକଙ୍କ ବିରୋଧରୁ ଫେରିଆସିଛି । ଏହି ଘଟଣା ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟବସ୍ତୁ ହୋଇଥିବା ବେଳେ ଖୋର୍ଦ୍ଧା ପୁଲିସ ଓ ରାଜସ୍ୱ ବିଭାଗ କିନ୍ତୁ ଏହା ମିଥ୍ୟା ବୋଲି ସ୍ପଷ୍ଟୀକରଣ ଦେଇଛି ।

ସରକାରୀ ଜାଗାରେ ଦୋକାନ ଘର ନିର୍ମାଣ କରି ଭଡ଼ା ଆଦାୟ କରୁଥିଲା

ସୂଚନାନୁସାରେ, ଉକ୍ତସ୍ଥାନରେ ଜାତୀୟ ରାଜପଥ ପ୍ରାଧିକରଣ, କାଜୁ ନିଗମ ଓ ରାଜସ୍ୱ ବିଭାଗର ଜମି ରହିଛି । ଏହି ଜମିକୁ ଅଂଚଳର ଜଣାଶୁଣା ଗଂଜେଇ ଓ ଜମି ମାଫିଆ ବୁଲୁ ଖାଁ ମାଡ଼ିବସି ଦୋକାନ ଘର ନିର୍ମାଣ କରିଛି । ଜାତୀୟ ରାଜପଥର ସଂପ୍ରସାରଣ କାର୍ଯ୍ୟରେ ଏହା ବ୍ୟାଘାତ ହେବାରୁ ଏନେଇ ରାଜସ୍ୱ ବିଭାଗକୁ ସୂଚିତ କରିଥିଲା । କେବଳ ଏହାନୁହେଁ ଗତ ୧ ବର୍ଷ ଧରି କାଜୁ ନିଗମର ବିଭିନ୍ନ ସ୍ଥାନରେ ଏଭଳି ଜମିକୁ ଜବରଦଖଲ କରାଯାଇଥିବା ନେଇ ନିଗମ ପକ୍ଷରୁ ମଧ୍ୟ ଅଭିଯୋଗ କରାଯାଇ ଏସପି, ଜିଲ୍ଲାପାଳ ଆଦିଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲା । ଜବରଦଖଲ ହଟାଇବା ପାଇଁ ଶନିବାର ସକାଳେ ଖୋର୍ଦ୍ଧା ତହସିଲଦାର, ଜଙ୍କିଆ ପୁଲିସ ଜେସିବି ନେଇ ସେଠାରେ ପହଂଚିଥିଲେ । ଯେଉଁ ସ୍ଥାନରେ ଜବର ଦଖଲ ଚିହ୍ନଟ ହୋଇଛି ସେହି ସ୍ଥାନରେ କିଛି ଟିଣ ଛାତକୁ ହଟାଇବା ବେଳେ ବୁଲୁ ଖାଁ ଓ ତା’ର ସମର୍ଥକ ମାନେ ସେଠାରେ ଜମା ହୋଇଯାଇଥିଲେ । ଏହାପରେ ପ୍ରଶାସନ ସେମାନଙ୍କୁ ବୁଝାଶୁଝା କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ବୁଲୁ ଖାଁର ପ୍ରତାପ ଆଗରେ ଲୋକଙ୍କୁ ମନାଇବାରେ ବିଫଳ ହୋଇ ଲେଉଟି ଆସିଥିଲେ ।

ଏନେଇ ଜଙ୍କିଆ ଥାନା ଅଧିକାରୀ ଦିଗବିଜୟ ବିଶ୍ୱାଳଙ୍କୁ ପଚାରିବାରେ ସେ କହିଛନ୍ତି ଯେ ପୁଲିସ ଓ ପ୍ରଶାସନ ଯାଇଥିଲା, କିନ୍ତୁ ଲୋକଙ୍କ ବିରୋଧ ପାଇଁ ଜବରଦଖଲ ହଟାଯାଇପାରିଲା ନାହିଁ । ପୁଣିଥରେ ଅଧିକ ପୁଲିସ ନେଇ ଜବରଦଖଲ ହଟାଯିବ ।

ଏନେଇ ଖୋର୍ଦ୍ଧା ତହସିଲଦାର ଇପସିତ ସାହୁ କହିଛନ୍ତି ଯେ ଜବରଦଖଲ ହଟାଇବା ପାଇଁ ୭ ଦିନ ପୂର୍ବରୁ ନୋଟିସ୍ ଦିଆଯାଇଥିଲା । ସେମାନଙ୍କୁ ମଧ୍ୟ କେତେ ପରିମାଣରେ ଜାଗା ଜବରଦଖଲ ହୋଇଛି ସେନେଇ ସୂଚିତ ମଧ୍ୟ କରାଯାଇଥିଲା । ଆଜି ଜବରଦଖଲ ହଟାଇବାର ଦିନ ଧାର୍ଯ୍ୟ ହୋଇଥିଲା । ପୁଲିସ ଓ ରାଜସ୍ୱ ବିଭାଗର ଅଧିକାରୀ ସେଠାରେ ପହଂଚିଥିଲେ । କିନ୍ତୁ ସେମାନେ ଭାବିଥିଲେ ଲୋକ ବିରୋଧ କରିବେ କିନ୍ତୁ ସଂଖ୍ୟା ସାମାନ୍ୟ ରହିବ, କିନ୍ତୁ ଭଙ୍ଗା କାର୍ଯ୍ୟ ଆରମ୍ଭ ହେବା ବେଳେ ଶହଶହ ସଂଖ୍ୟାରେ ଲୋକ ଜମା ହୋଇଗଲେ । ବୁଝାଶୁଝା କଲୁ କିନ୍ତୁ ସେମାନେ ଶୁଣିଲେ ନାହିଁ । ଜବରଦଖଲ ହୋଇଥିବା ଜାଗା ନିଶ୍ଚିତ ଭାବେ ମୁକ୍ତ କରାଯିବ । ପୁଣିଥରେ ଅଧିକ ସଂଖ୍ୟକ ପୁଲିସ ଫୋର୍ସ ର ସହାୟତା ନିଆଯିବ । ତେବେ ବୁଲୁ ଖାଁର ଭୟରେ ଫେରି ଆସିବା କଥାକୁ ସେ ଅସ୍ୱୀକାର କରି କହିଛନ୍ତିଯେ ଆଇନ ଆଗରେ କେହି ବଡ଼ ନୁହନ୍ତି, ଆଇନାନୁସାରେ ନିଶ୍ଚିତ ଭାବେ ପଦକ୍ଷେପ ନିଆଯିବ ଓ ସେ ଯେ କୌଣସି ବ୍ୟକ୍ତି ହେଉନା କାହିଁକି ତା’ ନିକଟରୁ ଜବରଦଖଲ ମୁକ୍ତ କରାଯିବ ।

ସମ୍ବନ୍ଧିତ ଖବର