କଟକ : ହାଇକୋର୍ଟରେ ବିଚାରପତିଙ୍କୁ ଆଉ ମାଇଁ ଲର୍ଡ, ଇୟୋର ଲର୍ଡସିପ୍ ଓ ଇୟୋର ଅନର୍ ଭାବେ ଆଇନଜୀବୀମାନେ ସମ୍ବୋଧନ କରିବେ ନାହିଁ। ହାଇକୋର୍ଟରେ ମାମଲା ଶୁଣାଣି ସମୟରେ ବିଚାରପତିଙ୍କୁ ଆଇନଜୀବୀ ଓ ପକ୍ଷମାନେ ସାର୍ ବୋଲି ସମ୍ବୋଧନ କରି ପାରିବେ। ୨୦୨୨ରେ ଏଭଳି ନୂଆ କଥା ଓଡ଼ିଶା ହାଇକୋର୍ଟରେ ଦେଖିବାକୁ ମିଳିବ। ଶୀତ ଅବକାଶ ପରେ ଜାନୁଆରି ୩ରୁ ହାଇକୋର୍ଟ ଖୋଲୁଥିବା ବେଳେ ପ୍ରକାଶିତ ସପ୍ତାହିକ ମାମଲା ତାଲିକା (ୱକ୍ଲି ଲିଷ୍ଟ)ରେ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ପାଇଁ ପ୍ରକାଶିତ ତାଲିକାରେ ଏଭଳି ନିର୍ଦ୍ଦେଶନାମା ପ୍ରସଂଗରେ ଉଲ୍ଲେଖ କରାଯାଇଛି।
ଏହି ଖଣ୍ଡପୀଠର ବିଚାରପତିଙ୍କୁ 'ମାଇଁ ଲର୍ଡ', 'ଇୟୋର ଲର୍ଡସିପ୍', 'ଇୟୋର ଅନର' ଭାବେ ସମ୍ବୋଧନ ନ କରିବାକୁ ଆଇନଜୀବୀ ଓ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହୁଥିବା ପକ୍ଷଙ୍କୁ ଅନୁରୋଧ କରାଯାଇଛି। ଏଥି ସହିତ ସମ୍ବୋଧନ ପୂର୍ବରୁ 'ଅନରେବଲ' ଉପସର୍ଗ ଯୋଗ ନ କରିବାକୁ ଅନୁରୋଧ କରାଯାଇଛି। ଏଭଳି ସବୁ ସମ୍ବୋଧନ ପରିହାରେ କରିବା ପ୍ରସଂଗରେ ଆଇନଜୀବୀ ଓ ପକ୍ଷ ଚେଷ୍ଟା କରିବେ। ସାର୍ ସମେତ କୋର୍ଟଙ୍କ ମର୍ଯ୍ୟାଦା/ଗାରିମା ସଂଗତ ଅନ୍ୟ ସମ୍ବୋଧନର ପଦ୍ଧତି/ରୀତି ଯଥେଷ୍ଟ ହେବ ବୋଲି ଏଥିରେ ସ୍ପଷ୍ଟ କରାଯାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍. ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ପାଇଁ ପ୍ରକାଶିତ ତାଲିକାରେ ଏ ନେଇ ଉଲ୍ଲେଖ ରହିଛି। ଏପରି ଘଟଣା ଓଡ଼ିଶା ହାଇକୋର୍ଟ ଇତିହାସରେ ପ୍ରଥମ ବୋଲି କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/law-court_vcLd3nY.jpeg)