କଣ୍ଟାମାଳ : କାର୍ଯ୍ୟରେ ଅବହେଳା ଅଭିଯୋଗରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକରେ କାର୍ଯ୍ୟରତ ମହିଳା କନିଷ୍ଠ ଯନ୍ତ୍ରୀ ଲଳିତା ମାଝୀ ଚାକରିରୁ ନିଲମ୍ବିତ ହୋଇଛନ୍ତି। ଜିଲ୍ଲାପାଳ ସତ୍ୟରଂଜନ ସାହୁ ଆଜି ତାଙ୍କୁ ନିଲମ୍ବନ କରିଛନ୍ତି।
କଣ୍ଟାମାଳ ବ୍ଲକ୍ ପଲଶାଗୋରା ପଞ୍ଚାୟତ ଘୁଲୁଘୁଲାପଦର ପ୍ରାଥମିକ ବିଦ୍ୟାଳୟର ନୂତନ କୋଠା ନିର୍ମାଣରେ ଜାଲିଆତି ସାଙ୍ଗକୁ ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଥିଲା। ଦାୟିତ୍ବରେ ଥିବା କନିଷ୍ଠ ଯନ୍ତ୍ରୀ ଲଳିତା ମାଝୀ କାମ ତଦାରଖ ପାଇଁ ଆସୁ ନ ଥିବା ଏବଂ ଫୋନ କଲେ ମଧ୍ୟ ଉଠାଉ ନ ଥିବା ସମ୍ପର୍କରେ ଖୁଣ୍ଟିଗୋରାଠାରେ ହୋଇଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ସ୍କୁଲ ପରିଚାଳନା କମିଟି ପକ୍ଷରୁ ଅଭିଯୋଗ ହୋଇଥିଲା। ସେଇଦିନ ହିଁ ଜିଲ୍ଲାପାଳ ପରିଦର୍ଶନରେ ଯାଇ ଉକ୍ତ କୋଠା ଦେଖିଥିଲେ। ନିମ୍ନମାନର କାମ ହୋଇଥିବା ହୃଦବୋଧ କରି ଏହାକୁ ଅଧାରୁ ଭାଙ୍ଗି ପୁଣିଥରେ ନିର୍ମାଣ କରିବାକୁ ଠିକାଦାରଙ୍କୁ ନିର୍ଦ୍ଦେଶ ଦେବାକୁ କହିଥିଲେ। ହେଲେ ଠିକାଦାର ଉକ୍ତ କୋଠାକୁ ନ ଭାଙ୍ଗି ତା’ ଉପରେ ନିର୍ମାଣ ଆରମ୍ଭ କରିବାରୁ ସ୍କୁଲ ପରିଚାଳନା କମିଟି ପୁଣି ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ। ଅବହେଳା ଅଭିଯୋଗରେ ଜିଲ୍ଲାପାଳ ଶ୍ରୀ ସାହୁ ରବିବାର କନିଷ୍ଠ ଯନ୍ତ୍ରୀ ଲଳିତା ମାଝୀଙ୍କୁ ନିଲମ୍ବନ କରିଛନ୍ତି।