ବାଳସ୍ୱଧାର ଗୃହ ପାଚେରୀ ଡେଇଁ ନାବାଳକ ଚମ୍ପଟ

ରାଉରକେଲା : ପ୍ରଧାନପାଲୀସ୍ଥ ବାଳସ୍ୱଧାର ଗୃହରୁ ଜଣେ ନାବାଳକ ପାଚେରୀ ଡେଇଁ ଚମ୍ପଟ ମାରିଛି। ଗୁରୁବାର ସକାଳ ପ୍ରାୟ ୯ଟା ୧୦ ମିନିଟ୍‌ରେ ସ୍ୱଧାର ଗୃହ ମୁଖ୍ୟ ଗେଟ୍‌ ସମ୍ମୁଖ ବିଦ୍ୟୁତ୍‌ ଖୁଣ୍ଟିରେ ଚଢ଼ିଥି‌ଲେ। ପରେ ବିଦ୍ୟୁତ୍‌ ସର୍ଭିସ ତାରରେ ଝୁଲି ପାଚେରୀ ପାରି ହେଲା ପରେ ଚମ୍ପଟ ମାରିଥିଲେ। ଫେରାର ନାବାଳକ ଜଣକ ଝାରସୁଗୁଡା ଅଞ୍ଚଳର। ବାଳସ୍ୱଧାର ଗୃହରୁ ଚମ୍ପଟ ମାରିବା ପରେ ଘରକୁ ଚାଲିଯାଇଛି। ଆଜି (ଶୁକ୍ରବାର) ପରିବାର ଲୋକଙ୍କ ସହ ପୁଣି ଫେରିଆସିବ ବୋଲି ବାଳସ୍ୱଧାର ଗୃହର ଅଧୀକ୍ଷକଙ୍କ କହିଛନ୍ତି।

ଫେରାର ନାବାଳକ ଏକ ଅପରାଧିକ ଘଟଣାରେ ଗିରଫ ହୋଇ ବାଳସ୍ୱଧାର ଗୃହରେ ରହିଥିଲା। ବାଳସ୍ୱଧାର ଗୃହରେ ପ୍ରାୟ ୯୦ ନାବାଳକ ରହନ୍ତି। ପ୍ରତିଦିନ ପରି ଗୁରୁବାର ପୂର୍ବାହ୍ନ ପ୍ରାୟ ୯ଟା ୧୦ଟାରେ ‌ଚମ୍ପଟ ନାବାଳକ ଅନ୍ୟମାନଙ୍କ ସହିତ ବୁଲୁଥିଲେ। କୌଣସି ସୁରକ୍ଷାକର୍ମୀ ନଥିବା ସୁଯୋଗ ନେଇ ମୁଖ୍ୟ ଗେଟ୍‌ ସମ୍ମୁଖ ବିଦ୍ୟୁତ୍‌ ଖୁଣ୍ଟିକୁ ଚଢ଼ି ଯାଇଥିଲେ। ଅନ୍ୟମାନେ ତାଙ୍କୁ ଖୁଣ୍ଟିରୁ ଓହ୍ଲାଇ ଆସିବାକୁ କହିଥିଲେ। ମାତ୍ର ସେ ତଳକୁ ନ ଓହ୍ଲାଇ ବିଦ୍ୟୁତ୍‌ ଖୁଣ୍ଟିର ସର୍ଭିସ ତାରକୁ ଧରି ପାଚେରୀ ପାର ହୋଇଯାଇଥିଲେ। ପରେ ସେଠାରୁ ଦୌଡି ପଳାଇଯାଇଥିଲେ। ଅନ୍ୟମାନେ ପାଟି କରି ବାଳସ୍ୱଧାର କର୍ମଚାରୀଙ୍କୁ ଜଣାଇଥିଲେ। ଉଲ୍ଲେଖଯୋଗ୍ୟ, ପୂର୍ବରୁ ବାଳସ୍ୱଧାରରୁ ଏମିତି ଅନେକ ନାବାଳକ ଚମ୍ପଟ ମାରିଛନ୍ତି।

ସମ୍ବନ୍ଧିତ ଖବର