କେନ୍ଦୁଝର : ଡିସେମ୍ବର ସୁଦ୍ଧା କାନପୁର ବୃହତ୍‌ ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ବୁଧବାର ଦିନ କେନ୍ଦୁଝର ଗସ୍ତରେ ଆସି ଗଣମାଧ୍ୟମକୁ ସୂଚନା‌ ଦେଇଛନ୍ତି। କାନପୁର ପ୍ରକଳ୍ପର ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଶ୍ରୀ ଜେନା କହିଛନ୍ତି।

Advertisment

ଶ୍ରୀ ଜେନା କେନ୍ଦୁଝର ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିଭିନ୍ନ ଉନ୍ନୟନ କାମର ତଦାରଖ ଓ ସମୀକ୍ଷା କରିଛନ୍ତି। ‘ଆମ କଳିକା କେନ୍ଦ୍ର’ ବୁଲି ଦେଖିବା ସହ ଶିଶୁ ତଥା ମାତୃକଲ୍ୟାଣ ଦିଗରେ ଏହା ଅନନ୍ୟ ଉଦାହରଣ ସୃଷ୍ଟି କରିଛି ବୋଲି ସେ କହିଛନ୍ତି। ଧରଣୀଧର ବିଶ୍ୱବିଦ୍ୟାଳୟ (ପୁରୁଣାବଜାର ନିକଟ) କ୍ୟାମ୍ପସ ବୁଲି ଶୈକ୍ଷିକ ପରିବେଶର ଅନୁଧ୍ୟାନ କରିଥିଲେ। ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରି ଭବିଷ୍ୟତରେ ଉତ୍କର୍ଷ ହାସଲ କରିବାକୁ ପରାମର୍ଶ ଦେଇଥିଲେ। ଭୂତତ୍ତ୍ବ ବିଭାଗର ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ ସମୟରେ କେନ୍ଦୁଝର ଜିଲ୍ଲାରେ ଭୂତତ୍ତ୍ବବିଜ୍ଞାନରେ ଜ୍ଞାନ ଆହରଣ ପାଇଁ ଭରପୂର ଉତ୍ସ ରହିଛି। ଏହାର ସୁଯୋଗ ନେବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି।

ଡିଏମ୍‌ଏଫ୍‌ ଅନୁଦାନରେ ପୁରୁଣାବାଜାରସ୍ଥିତ ନବୀକୃତ ଗୋପାଳଜିଉ ପାଠାଗାରକୁ ଶ୍ରୀ ଜେନା ଉଦ୍‌ଘାଟନ କରିବା ସହ ମୁକୁନା ଗ୍ରାମକୁ ଯାଇ ସେଠାରେ କୃଷି ଉତ୍ପାଦନ ଗୋଷ୍ଠୀ ଦ୍ୱାରା କରାଯାଇଥିବା ପରିବା ଚାଷ ବୁଲି ଦେଖିଥିଲେ। ପରିବା ଚାଷ ପାଇଁ ଚେକ୍‌ଡ୍ୟାମ୍ ନିର୍ମାଣ ନିମନ୍ତେ ତୁରନ୍ତ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି। ୫-ଟି ସାମିଲ ହୋଇ ରୂପାନ୍ତରିତ ସତ୍ୟନାରାୟଣ ସରକାରୀ ଉଚ୍ଚବିଦ୍ୟାଳୟର ସ୍ମାର୍ଟ ଶ୍ରେଣୀଗୃହ, ଆଇସିଟି ଲ୍ୟାବ୍‌, ବିଜ୍ଞାନାଗାର ଏବଂ ସ୍କୁଲ ପରିବେଶକୁ ନିରୀକ୍ଷଣ କରିଥିଲେ।

ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନ କରିଥିଲେ। ବିଭିନ୍ନ ବିଭାଗ, ପ୍ରାକ୍ଟିକାଲ ଗୃହ, ପାଠାଗାର ପରିଦର୍ଶନ କରିବା ସହ ଉନ୍ନତ କ୍ୟାମ୍ପସ ଦେଖି ପ୍ରଶଂସା କରିଥିଲେ। ଛାତ୍ରଛାତ୍ରୀ ଗୋଟିଏ ଲେଖାଏଁ ଚାରାରୋପଣ କରିବାକୁ କହିଥିଲେ। ତୁଳସୀପୁର ଗ୍ରାମକୁ ଯାଇ କ୍ରେଚ୍ ପରିଦର୍ଶନ କରିବା ସହ ଏଠ‌ାରେ କିପରି କର୍ମଜୀବୀ ଦମ୍ପତିଙ୍କ ପିଲାଙ୍କ ଯତ୍ନ ନିଆଯାଉଛି ତା’ର ଅନୁଧ୍ୟାନ କରିଥିଲେ। ଏହାପରେ ଧରଣୀଧର ବିଶ୍ୱବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀ, ଅଧ୍ୟକ୍ଷ, ଅଧ୍ୟାପକ ଓ ପୁରାତନ ଛାତ୍ରଙ୍କ ସହ ବାର୍ତ୍ତାଳାପ କରିଥିଲେ। ପରେ ଓଡ଼ିଶା ଖଣି ଓ ଯାନ୍ତ୍ରିକ ବିଦ୍ୟାଳୟ ପରିଦର୍ଶନ କରି ଅଧ୍ୟକ୍ଷ ଓ ପ୍ରାଧ୍ୟାପକ ଏବଂ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ବିଦ୍ୟାଳୟର ବିଭିନ୍ନ ସମସ୍ୟାର ସମାଧାନ ଓ ଆବଶ୍ୟକତାର ପୂରଣ ସମ୍ପର୍କରେ ଅଧ୍ୟକ୍ଷ ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଜିଲ୍ଲାପାଳ ଆଶିଷ ଠାକ୍‌ରେ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ, ଜିଲ୍ଲା ସହରାଞ୍ଚ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଘାସିରାମ ମୁର୍ମୁ, ଉପଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ, ଆଇଏଏସ୍‌ ପ୍ରୋବେସନର ଧିମାନ ଚକ୍‌ମା, କେନ୍ଦୁଝରଗଡ଼ ପୌରନିର୍ବାହୀ ଅଧିକାରୀ ମଧୁସ୍ମିତା ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।

ଶେଷରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଶ୍ରୀ ଜେନା ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ଓ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ବୈଠକରେ କାନପୁର ଜଳସେଚନ ପ୍ରକଳ୍ପ, ସମନ୍ୱିତ ଆନନ୍ଦପୁର ବ୍ୟାରେଜ ପ୍ରୋଜେକ୍ଟ, ବୃହତ୍ ଉଠା ଜଳସେଚନ ପ୍ରକଳ୍ପ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର କାର୍ଯ୍ୟକ୍ରମ, ପାନୀୟଜଳ ପ୍ରକଳ୍ପ, ୱାଟ୍‌କୋ, ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ ବିଭିନ୍ନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଥିଲେ। ବୈଠକରେ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ଶକ୍ତି, ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ, ଜିଲ୍ଲାପାଳ ଆଶିଷ ଠାକ୍‌ରେ, ଡିଏଫ୍‌ଓ ଏଚ୍‌ଡି ଧନରାଜ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ଉପସ୍ଥିତ ଥିଲେ। ସମୀକ୍ଷା ବୈଠକ ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଆନନ୍ଦପୁର ଉପଖଣ୍ଡ ବୀରଗୋବିନ୍ଦପୁର ଗ୍ରାମ ପରିଦର୍ଶନ କରି ସେଠାରେ ପାଇପ୍ ଜଳଯୋଗାଣ ପ୍ରକଳ୍ପର ୱାର୍କସ୍ ସାଇଟ୍ ପରିଦର୍ଶନ କରିଥିଲେ।