୨୦୨୩ ସୁଦ୍ଧା ସରିବ କାନପୁର ପ୍ରକଳ୍ପ

କେନ୍ଦୁଝର ଜିଲ୍ଲାର ସମସ୍ତ ଘରକୁ ପାଇପ୍ ପାଣି, ମୁଖ୍ୟ ଶାସନ ସଚିବ , ୫-ଟି ସଚିବଙ୍କ କେନ୍ଦୁଝର ଗସ୍ତ

କେନ୍ଦୁଝର/ଯୋଡ଼ା/ଚମକପୁର: କେନ୍ଦୁଝର ଜିଲ୍ଲାର ସର୍ବବୃହତ୍ କାନପୁର ଜଳସେଚନ ପ୍ରକଳ୍ପ ଆସନ୍ତା ୨୦୨୩ ଡିସେମ୍ବର ସୁଦ୍ଧା ଶେଷ ହେବ। ବିସ୍ଥାପିତ ସମସ୍ୟାଠାରୁ ଆରମ୍ଭ କରି ଅନ୍ୟାନ୍ୟ ସମସ୍ୟା ସମାଧାନ ବି କରାଯିବ। ଆଉ କୌଣସି ଅସୁବିଧା ଉପୁଜିବ ନାହିଁ। ଆଜି କାନପୁର ପ୍ରକଳ୍ପ ପରିଦର୍ଶନ ବେଳେ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟର ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର।

ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ରଙ୍କ ସହିତ ଜଳସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ୫-ଟି ସଚିବ ଭିକେ ପାଣ୍ଡିଆନ୍ ଆଜି କେନ୍ଦୁଝର ଗସ୍ତରେ ଆସି କାନପୁର ବୃହତ୍ ଜଳସେଚନ ପ୍ରକଳ୍ପ ବୁଲିଦେଖିଥିଲେ। ଏହା ସହିତ ପ୍ରକଳ୍ପ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିଥିଲେ। ସ୍ଥାନୀୟ ହିଲ୍‌ଟପ୍ ଗେଷ୍ଟହାଉସ୍‌ରେ ସଂପୃକ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଡ୍ୟାମ୍ ନିର୍ମାଣରେ ନିୟୋଜିତ ଯନ୍ତ୍ରୀଙ୍କ ସହ ପ୍ରକଳ୍ପ ଅଗ୍ରଗତି ନେଇ ସମୀକ୍ଷା କରି ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ କାର୍ଯ୍ୟାନ୍ୱୟନ ସଂସ୍ଥାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଡ୍ୟାମ୍ ନିକଟରେ ନିର୍ମାଣାଧୀନ ଜାତୀୟ ରାଜପଥ ପୋଲ କାର୍ଯ୍ୟ ଆସନ୍ତା ସେପ୍ଟେମ୍ବର ମାସ ସୁଦ୍ଧା ଶେଷ କରିବା ପାଇଁ ମଧ୍ୟ ଜାତୀୟ ରାଜପଥ ଯନ୍ତ୍ରୀଙ୍କୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ।

ସମୀକ୍ଷା ବୈଠକ ପରେ ଏହି ଟିମ୍ ସ୍ଥାନୀୟ ବାସୁଦେବପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରୀଙ୍କ ସହ ବିଦ୍ୟାଳୟ ରୂପାନ୍ତରଣ ପ୍ରକଳ୍ପର ସୁଫଳ ବିଷୟରେ ସିଧାସଳଖ ଆଲୋଚନା କରିଥିଲେ। ଏହି ସମୟରେ ଟିମ୍ ମଧ୍ୟାହ୍ନ ଭୋଜନର ଗୁଣାତ୍ମକମାନ ଓ କ୍ରୀଡ଼ା ଭିତ୍ତିଭୂମି ଯାଞ୍ଚ କରିଥିଲେ।

ଗସ୍ତ ସମୟରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ଯେ କାନପୁର ଜଳସେଚନ ପ୍ରକଳ୍ପ କେନ୍ଦୁଝର ଜିଲ୍ଲାବାସୀଙ୍କର ଦୀର୍ଘଦିନର ଆବଶ୍ୟକତା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏହାର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି । ୨୦୨୩ ଡିସେମ୍ବର ଶେଷସୁଦ୍ଧା ଡ୍ୟାମ୍‌ର ନିର୍ମାଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ କରାଯିବା ନିମନ୍ତେ ଲକ୍ଷ୍ୟ ରଖାଯାଇଛି । ଏହି ପ୍ରକଳ୍ପ ଦ୍ୱାରା କେନାଲ୍ ମାଧ୍ୟମରେ ପ୍ରାୟ ୩୦ ହଜାର ହେକ୍ଟର ଏବଂ ପାଇପ୍ ଯୋଗେ ଉଠା ଜଳସେଚନ ଦ୍ୱାରା ପ୍ରାୟ ୧୦ ହଜାର ହେକ୍ଟର ଏହିପରି ସମୁଦାୟ ୪୦ ହଜାର ହେକ୍ଟର ଜମି ଜଳସେଚିତ ହୋଇପାରିବ। ଯୋଡ଼ା ବ୍ଲକ୍‌ର ବାସୁଦେବପୁରଠାରେ ବୈତରଣୀ ନଦୀ ଉପରେ ନିର୍ମାଣ ହେଉଥିବା ଏହି ଡ୍ୟାମ୍ ଦ୍ୱାରା ଚମ୍ପୁଆ, ଝୁମ୍ପୁରା, ପାଟଣା, କେନ୍ଦୁଝର ସଦର ଏବଂ ଯୋଡ଼ାବ୍ଲକ୍ ଅନ୍ତର୍ଗତ ୨୪୪ଟି ଗ୍ରାମର ଅଧିବାସୀ ଉପକୃତ ହେବେ।

ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଥିଲେ ଯେ କେନ୍ଦୁଝର ଜିଲ୍ଲାର ପ୍ରତି ଘରକୁ ପାଇପ୍ ଯୋଗେ ପାନୀୟଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି । ସବୁ ଗ୍ରାମ ଓ ସହରାଞ୍ଚଳ ପାଇଁ ଏହି ପ୍ରକଳ୍ପ କାର୍ଯ୍ୟାନ୍ୱୟନ ହେଉଛି । ୨୦୨୩ ମସିହା ମାର୍ଚ ମାସ ସୁଦ୍ଧା ସମସ୍ତ ଘରକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ କରିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ।  ଏଥି ସହ ବାସୁଦେବପୁରସ୍ଥିତ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପରିଚାଳିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ରୂପାନ୍ତରଣ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହୋଇଛି ବୋଲି ଶ୍ରୀ ମହାପାତ୍ର କହିଥିଲେ।

ଏହି ଅବସରରେ ଜିଲ୍ଲାପାଳ ଆଶିଷ ଠାକରେ, ପୁଲିସ୍ ଅଧୀକ୍ଷକ ମିତ୍ରଭାନୁ ମହାପାତ୍ର, ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର, ଓଡ଼ିଶା ନିର୍ମାଣ ନିଗମ ପରିଚାଳନା ନିର୍ଦ୍ଦେଶକ ବିଭୂତି ଭୂଷଣ ଦାସ, ବନଖଣ୍ଡ ଅଧିକାରୀ ଧନରାଜ ଏଚ୍. ଡି., କାନପୁର ଜଳସେଚନ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ପ୍ରସନ୍ନ କୁମାର ପାଣିଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର