କଟକ-ଜଗତପୁର: ରାଜ୍ୟ ସରକାରଙ୍କ ବିଜୁ ସେତୁ ଯୋଜନାରେ ଚମ୍ପତି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ କେନ୍ଦ୍ରାପଡ଼ା କେନାଲ ହୁରାସାହି-ସୁନାରିବଣ ଅଧିବାସୀଙ୍କ ଗମନାଗମନ ପାଇଁ ଏକ ସଂଯୋଗ ସେତୁ ନିର୍ମାଣ କାର୍ଯ୍ୟ ୩ମାସ ପୂର୍ବରୁ ଆରମ୍ଭ କରାଯାଇଥିଲା। ମାତ୍ର ଶୁକ୍ରବାର ସକାଳୁ ଚମ୍ପତି ପଞ୍ଚାୟତ ଅଫିସ ପାର୍ଶ୍ଵ ହୁରାସାହିସ୍ଥିତ କେନାଲବନ୍ଧଟି ପ୍ରାୟ ୭୦ ଫୁଟ ଲମ୍ବର ଧସି ପଡ଼ିଛି। ଏହି କେନାଲବନ୍ଧ ରାସ୍ତା ଉପରେ ଚମ୍ପତି, ପଶ୍ଚିମକଛ, ମଧ୍ୟକଛ ପ୍ରଭୃତି ପଞ୍ଚାୟତର ହଜାର ହଜାର ଲୋକ ନିର୍ଭର କରିଥାନ୍ତି। ପୋଲ ଆରମ୍ଭ ସମୟରେ କେନାଲବନ୍ଧ ଧସିଥିଲା। ବର୍ତ୍ତମାନ ଖରା ସମୟରେ କେନାଲରେ ପାଣି ଛଡ଼ାଯିବାରୁ ପୂର୍ବରୁ ଧସିଥିବା ବନ୍ଧଟି ଅର୍ଦ୍ଧାଧିକ ବନ୍ଧ କେନାଲ ପାଣିରେ ଧୋଇଯାଇଛି। ଗତ ମାର୍ଚ୍ଚ ୨୨ତାରିଖରେ କେନାଲ୍‌ର ଦକ୍ଷିଣପାର୍ଶ୍ବ (ସୁନାରୀବଣ) ବନ୍ଧଟି ଧସିଥିବା ବେଳେ ଏବେ ବାମପାର୍ଶ୍ୱ (ହୁରାସାହି ଓ ଚମ୍ପତି ପଞ୍ଚାୟତ ଅଫିସ) ପାର୍ଶ୍ବ ବନ୍ଧ ଅତଡ଼ା ଧସିଯାଇ ବିପଦସଂକୁଳ ସ୍ଥିତିରେ ରହିଛି। ଅପରପକ୍ଷେ ପୋଲ ନିର୍ମାଣ ହେଉଥିବା ସ୍ଥାନରେ ପଥଚାରୀଙ୍କ ପାଇଁ ବିକଳ୍ପ ରାସ୍ତା କରାଯାଇ ନାହିଁ। ବିଭାଗୀୟ ଅଧିକାରୀମାନେ ନିର୍ମାଣ କାର୍ଯ୍ୟ ସଠିକ୍ ଭାବେ ତଦାରଖ କରୁ ନଥିବାରୁ କାର୍ଯ୍ୟର ମାନକୁ ନେଇ ସନ୍ଦେହ ପ୍ରକାଶ ପାଇଛି।

Advertisment