କାକଟପୁର/ମାର୍ଶାଘାଇ: ବିଜେପିର ବରିଷ୍ଠ ନେତା ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଆଜି ଓଡ଼ିଶାରେ ନିର୍ବାଚନ ପ୍ରଚାର କରିବା ସହିତ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଏଥର ରାଜ୍ୟରେ ବିଜେପି ସରକାରକୁ ଆସିଲେ ଶ୍ରୀମନ୍ଦିରର ଚାରିଦ୍ବାରା ଖୋଲାଯିବ। ଏହାସହିତ ରତ୍ନଭଣ୍ଡାର ଚାବି ପାତାଳରେ ଥିଲେ ମଧ୍ୟ ଏହାକୁ ଖୋଜି ବାହାର କରିବୁ ବୋଲି କହିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ବିଶ୍ବଶର୍ମା କାକଟପୁରଠାରେ ବିଜେପି ପକ୍ଷରୁ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ। ସେ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକମାନଙ୍କୁ ମାଗଣାରେ ଚାଉଳ ଦେଉଛନ୍ତି। କିନ୍ତୁ ଏଠାରେ ପାଣ୍ଡିଆନ, ଖାଲି ବ୍ୟାଗ୍ ଦୁଇଟି ଦେଇ ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି। ଏଥିପାଇଁ ପାଣ୍ଡିଆନଙ୍କୁ ନୋବେଲ୍ ପୁରସ୍କାର ଦିଆଯିବା ଉଚିତ ବୋଲି ପାଣ୍ଡିଆନଙ୍କୁ ଶ୍ରୀ ବିଶ୍ବଶର୍ମା କଟାକ୍ଷ କରିଥିଲେ। ରାଜ୍ୟରେ ବିଜେପି ସରକାରକୁ ଆସିଲେ, ଦେଢ଼ଲକ୍ଷ ବେକାର ଯୁବକ ଯୁବତୀଙ୍କୁ ଚାକିରୀ ଦେବା ସହିତ ଧାନର ସହାୟକ ମୂଲ୍ୟ ୩୧ଶହ ଟଙ୍କାକୁ ବୃଦ୍ଧି, ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କା ପ୍ରଦାନ ଆଦି ନେଇ ସେ ପ୍ରତିଶ୍ରୁତି ଦେଇଥିଲେ।
କାକଟପୁର, ପାଟକୁରା ବିଜେପି ସମାବେଶରେ ଯୋଗଦେଲେ
ବିଜେପି ସରକାର ଗଢ଼ିଲେ ପ୍ରଥମବର୍ଷ ୧ ଲକ୍ଷ ଯୁବକଙ୍କୁ ଚାକିରି
ସେହିପରି, ଶ୍ରୀ ବିଶ୍ବଶର୍ମା କେନ୍ଦ୍ରାପଡ଼ା ଲୋକସଭା, ପାଟକୁରା ନିର୍ବାଚନମଣ୍ତଳୀର ମାର୍ଶାଘାଇ ବ୍ଲକ୍ ରଙ୍କାଳ ପଡିଆରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଅନୁରୂପ ଭାବେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ଓଡ଼ିଶା ମାନବସମ୍ବଳରେ ଭରପୂର ଥିବା ବେଳେ ଏଠାରେ ବେକାରୀ ସମସ୍ୟା ଲାଗି ରହିଛି। ଏଠାକାର ଯୁବକମାନେ ଗୁଜୁରାଟର ସୁରଟ ପଳାଉଛନ୍ତି। ଅଞ୍ଚଳର ଯୁବକ ମାନଙ୍କ ପାଇଁ ଚାକିରି ନାହିଁ। ଏଠାରେ ଥିବା ଶିଳ୍ପାନୁଷ୍ଠାନରେ ଓଡ଼ିଆ ପିଲାଙ୍କୁ ନିଯୁକ୍ତି ମିଳୁନି। ନବୀନ ପଟ୍ଟନାୟକ ଚାହିଁଥିଲେ ସେମାନଙ୍କୁ ଚାକିରି ଦେଇ ପାରିଥାନ୍ତେ। କିନ୍ତୁ, ଓଡ଼ିଶାରେ ବିଜେପି ସରକାର ଆସିଲେ ପ୍ରଥମ ବର୍ଷରେ ୧ ଲକ୍ଷ ଓ ପରେ ୩ ଲକ୍ଷ ଯୁବକଙ୍କୁ ଚାକିରି ଦେବ ବୋଲି କହିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ସଭାପତି କିଶୋର ପଣ୍ତାଙ୍କ ସଭାପତିତ୍ବରେ ଆୟୋଜିତ ସମାବେଶରେ ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ତା ଏବଂ ସମସ୍ତ ବିଧାୟକ ପ୍ରାର୍ଥୀ ଯୋଗ ଦେଇଥିଲେ।