ଖଇରୀ-ଭଣ୍ଡନ ଜଳସେଚନ ପ୍ରକଳ୍ପ ଧୂଆଁବାଣ

ଯଶିପୁର (ବିରଞ୍ଚି ନାରାୟଣ ସାହୁ): ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ୍‌ର ବହୁ ପ୍ରତୀକ୍ଷିତ ଖଇରୀ-ଭଣ୍ଡନ ମଧ୍ୟମ ଜଳସେଚନ ପ୍ରକଳ୍ପ ୧୬ ବର୍ଷ ଧରି ନାଲିଫିତା ତଳେ ଚାପି ହୋଇ ରହିଛି। ପ୍ରକଳ୍ପର କାର୍ଯ୍ୟାନ୍ବୟନରେ ଅହେତୁକ ବିଳମ୍ବ ଅଞ୍ଚଳବାସୀଙ୍କ ମଧ୍ୟରେ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ପ୍ରକଳ୍ପର ମୂଲ୍ୟ ବଢ଼ିବଢ଼ି ଏବେ ୪୦୦ କୋଟି ଟଙ୍କାରେ ପହଞ୍ଚିଲାଣି। ତଥାପି ଏହାର କାର୍ଯ୍ୟକାରିତା ନେଇ ସମସ୍ତେ ଦ୍ବନ୍ଦ୍ବରେ। ଏ ନେଇ ବିଧାନସଭାରେ ଏକାଧିକ ଥର ପ୍ରଶ୍ନ ଉତ୍‌ଥାପନ ହୋଇଥିଲେ ମଧ୍ୟ ଫଳ ଶୂନ। ଏହି ପ୍ରକଳ୍ପ ମାଧ୍ୟମରେ ୬୯୫୦ ଏକର ପରିମିତ ଜମିରେ ଜଳସେଚନ ପାଇଁ ପରିବେଶ ବିଭାଗ ପକ୍ଷରୁ ଜନଶୁଣାଣି ହୋଇଥିଲା। ଦୁଇଥର ଉଚ୍ଚସ୍ତରୀୟ କମିଟି ଏହି ଅଞ୍ଚଳ ଗସ୍ତ କରି ରିପୋର୍ଟ ସଂଗ୍ରହ କରିଥିଲା। ଏବେ ଏହାର ସ୍ଥିତି କେଉଁଠି, ସେ ସଂପର୍କରେ ବିଭାଗୀୟ ଅଧିକାରୀଙ୍କ ପାଖରେ ମଧ୍ୟ ସଠିକ ଉତ୍ତର ନାହିଁ।

ଯଶିପୁରଠାରୁ ୩ କିମି ଦୂର ଶିମିଳିପାଳରୁ ପ୍ରବାହିତ ଚିରସ୍ରୋତା ଦୁଇ ନଦୀ ଖଇରୀ-ଭଣ୍ଡନର ମିଳନସ୍ଥଳ ରାମତୀର୍ଥ ଅଁଳାବେଣୀଠାରେ ଏହି ପ୍ରକଳ୍ପ ପାଇଁ ସ୍ଥାନ ନିରୂପଣ ହୋଇଛି। ଗଭୀର ଜଳାଶୟକୁ ଲାଗି ପ୍ରସ୍ତର ଶିଳାରେ ପ୍ରାକୃତିକ ବନ୍ଧ ଥିବା ଏହି ଜାଗାରେ ବ୍ୟାରେଜ୍‌ ନିର୍ମାଣ ହେଲେ ଯଶିପୁର ବ୍ଲକ ସମେତ ତଳମୁଣ୍ଡ ରରୁଆଁ ଓ ଶୁକୃଳି ବ୍ଲକରେ ବ୍ୟାପକ ଜମି ଜଳସେଚିତ ହୋଇପାରିବ ବୋଲି ଲକ୍ଷ୍ୟ ରଖାଯାଇଛି। ୨୦୦୬ ମସିହାରେ ପ୍ରସ୍ତାବିତ ପ୍ରକଳ୍ପ ନିକଟରେ ଏକ ବିଶାଳ ଜନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବ୍ୟାରେଜ୍‌ ନିର୍ମାଣ ଲାଗି ଘୋଷଣା କରିଥିଲେ।

ଏଥିପାଇଁ ପ୍ରାରମ୍ଭିକ ଭାବେ ୪୫ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ମାତ୍ର ଘୋଷଣାର ୨ ବର୍ଷ ପରେ ମଧ୍ୟ କିଛି ପଦକ୍ଷେପ ଗ୍ରହଣ କରାନଯିବାରୁ ତତ୍କାଳୀନ ବିଧାୟକ ଶମ୍ଭୁନାଥ ନାଏକ ବିଧାନସଭାରେ ପ୍ରସଙ୍ଗ ଉଠାଇଥିଲେ। ବିଭାଗୀୟ ମନ୍ତ୍ରୀ ଉତ୍ତରରେ ଦର୍ଶାଇଥିଲେ, ପ୍ରକଳ୍ପର ବ୍ୟୟ ଅଟକଳ ବୃଦ୍ଧି ପାଇ ୧୩୬.୦୪ କୋଟି ଟଙ୍କାରେ ପହଞ୍ଚିଛି ଓ ବ୍ୟାରେଜ ପ୍ରକଳ୍ପ ରିପୋର୍ଟ ବୈଷୟିକ ଅନୁମୋଦନ ପାଇଁ କେନ୍ଦ୍ରୀୟ ଜଳ ଆୟୋଗଙ୍କ ପାଖକୁ ପଠାଯାଇଛି। ପରବର୍ତ୍ତୀ ସମୟରେ ବିଧାୟକ ମଙ୍ଗଲ ସିଂ ମୁଦି ଏ ସଂକ୍ରାନ୍ତରେ ପୁଣି ବିଧାନସଭାରେ ପ୍ରଶ୍ନ ଉଠାଇବାରୁ ପ୍ରକଳ୍ପ ମୂଲ୍ୟ ସଂଶୋଧିତ ହୋଇ ୩୧୩ କୋଟିରେ ପହଞ୍ଚିଥିବା କୁହାଯାଇଥିଲା। ବିଧାନସଭାର ଗତ ଅଧିବେଶନରେ ଯଶିପୁର ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆ ଏହି ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦାବି କରିଥିଲେ। ଜଂଗଲ ଓ ପରିବେଶ ମଞ୍ଜୁରି ପାଇଁ ପ୍ରକଳ୍ପ ବିଳମ୍ବିତ ହେଉଥିବା ନେଇ ଉତ୍ତର ରଖିଥିଲେ ଜଳସଂପଦ ବିଭାଗ ମନ୍ତ୍ରୀ।

ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୬୯୫୦ ହେକ୍ଟର ଜମିରେ ସିଧାସଳଖ ଜଳସେଚନ ବ୍ୟବସ୍ଥା ହୋଇପାରିବ। ବାମପାର୍ଶ୍ଵ କେନାଲରେ ଅବସ୍ଥିତ ୨୦ଟି ରାଜସ୍ୱ ଗ୍ରାମ ଓ ଦକ୍ଷିଣ ପାର୍ଶ୍ଵ କେନାଲରେ ଅବସ୍ଥିତ ୧୭ଟି ଗ୍ରାମକୁ ମିଶାଇ ୩୭ଟି ଗ୍ରାମର ଚାଷଜମିକୁ ବର୍ଷତମାମ ସେଚ ସୁବିଧା ମିଳିପାରିବ। ବ୍ୟାରେଜ୍‌ର ଲମ୍ବ ୧୭୧.୫ ମିଟର ରହିଥିବାବେଳେ ଏଥିରେ ୧୧ଟି ଗେଟ୍ ରହିବାର ପ୍ରସ୍ତାବ ରହିଛି। ପ୍ରକଳ୍ପ ଦ୍ଵାରା କୌଣସି ଗ୍ରାମ ଜଳବୁଡ଼ି ହେବାର ଆଶଙ୍କା ନଥିବା ସରକାରୀ ରିପୋର୍ଟରେ ଦର୍ଶାଯାଇଛି। ଅନ୍ୟପକ୍ଷରେ ଭୂତଳ ପାଇପ ଲାଇନ୍ ଦ୍ଵାରା ଜଳସେଚନ ଯୋଜନା ହୋଇଥିବାରୁ ଜମି ଅଧିଗ୍ରହଣରେ କୌଣସି ସମସ୍ୟା ନାହିଁ।

ପାହାଡ଼ ଜଙ୍ଗଲ ପରିବେଷ୍ଟିତ ଯଶିପୁର ବ୍ଲକରେ ଆଦୌ ଜଳସେଚନ ପ୍ରକଳ୍ପ ନଥିବା ବେଳେ ଏଠାରେ ସେଚ ପ୍ରକଳ୍ପ ପାଇଁ ଅଞ୍ଚଳବାସୀ ବହୁଦିନରୁ ଦାବି କରି ଆସୁଛନ୍ତି। ଖଇରୀ-ଭଣ୍ଡନ ମଧ୍ୟମ ଜଳସେଚନ ପ୍ରକଳ୍ପ ଘୋଷଣାକୁ ୧୬ ବର୍ଷ ବିତିଲାଣି। ଅଥଚ କାର୍ଯ୍ୟ ଆରମ୍ଭ ନେଇ ଏଯାବତ ତତ୍ପରତା ପ୍ରକାଶ ନ ପାଇବା କିମ୍ବା ବଜେଟ୍‌ରେ ଅର୍ଥ ବରାଦ ନ ହେବା ବିଡ଼ମ୍ବନାର ବିଷୟ। ମରୁଡ଼ି ଓ ଅନାବୃଷ୍ଟି କାରଣରୁ ୩ ବ୍ଲକର ଚାଷୀ ଏହି ପ୍ରକଳ୍ପରୁ ଉପକୃତ ହେବେ ବୋଲି ଯେଉଁ ଆଶା ବାନ୍ଧିଥିଲେ ତାହା ମଉଳିଯିବାକୁ ବସିଛି। ପ୍ରକଳ୍ପ ସଂପର୍କରେ ଅଧୀକ୍ଷଣ ଯନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଭାଗର ସର୍ବୋଚ୍ଚ ଅଧିକାରୀ ସଭିଁଏ ଅନ୍ଧାରରେ। ଘୋଷଣା ଓ ସର୍ଭେରେ ଏହି ପ୍ରକଳ୍ପ ସୀମିତ ରହିବ ନା ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ ହେବ, ତାହା ଦେଖିବାକୁ ବାକି ରହିଛି।

ସମ୍ବନ୍ଧିତ ଖବର