ଡବଲ ମର୍ଡର ଘଟଣାରେ ହତ୍ୟାକାରୀକୁ ଆଜୀବନ ଜେଲ୍‌

କେନ୍ଦୁଝର : ବାହାଲଡିହା ଡବଲ ମର୍ଡର ଘଟଣାରେ ହତ୍ୟାକାରୀକୁ କେନ୍ଦୁଝର ଦୌରାଜଜ୍ ଆଜି ଆଜୀବନ କାରଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହିତ ୫୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ମାମଲାର ବିବରଣୀ ଅନୁଯାୟୀ, ୨୦୧୭ ମସିହା ସେପ୍ଟେମ୍ବର ୨୫ ତାରିଖରେ ଟାଉନ ଥାନା ବାହାଲଡିହା ଗ୍ରାମର ପଠାଣି ପ୍ରଧାନ (୪୪)  ତାଙ୍କ ଭଉଣୀ ଘର ଶିରିଷଖୁଣ୍ଟାକୁ ଯାଇଥିଲା। ସେଦିନ ସଂଧ୍ୟାରେ ମଦ୍ୟପାନ କରି ଗାଁ ଦାଣ୍ଡରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲା।  ଫଳରେ  ଗ୍ରାମର ଜୟୀ ଦେହୁରୀ (୭୦), ବୀର ଦେହୁରୀ (୭୦), ଚଉକିଆ ମହେଶ୍ବର ପ୍ରଧାନ (୫୫) ଏବଂ ଗାଁର କେତେକ ଲୋକ ଏହାକୁ ବିରୋଧ କରିଥିଲେ।

ସେ ଘଟଣାସ୍ଥଳରୁ ଉତ୍ତ୍ୟକ୍ତ ହୋଇ ଚାଲିଯାଇଥିଲା। ରାତିରେ ସମସ୍ତେ ଖାଇପିଇ ଶୋଇବା ପରେ ପାଖାପଖି ୧୦ଟା ହେବ ପଠାଣି ଏକ କୁରାଢି ଧରି ଜୟୀ ଦେହୁରୀ ଘରକୁ ଯାଇଥିଲା।  ସେଠାରେ ଜୟୀ ଶୋଇଥିବା ଦେଖି କୁରାଢିରେ ତାଙ୍କ ମୁଣ୍ଡକୁ ଚୋଟ ପକାଇଥିଲା। ଫଳରେ ସେ ଚିତ୍କାର କରିବାରୁ ସେ ସେଠାରୁ ଦୌଡ଼ି ପଳେଇଥିଲା। ଜୟୀଙ୍କ ଘର ଲୋକ ତାକୁ ପିଛା କରିଥିଲେ ମଧ୍ୟ ତାର ସନ୍ଧାନ ପାଇ ନଥିଲେ।  ସେଠାରୁ ଯାଇ ବୀର ଦେହୁରୀଙ୍କ ଘରେ ପଶିଥିଲା । ବୀର ଶୋଇଥିବା ବେଳେ ତାଙ୍କ ମୁଣ୍ଡକୁ ମଧ୍ୟ କୁରାଢିରେ ଚୋଟ ପକାଇଥିଲା । ତାଙ୍କ ପରିବାର ଲୋକ ମଧ୍ୟ ପଠାଣୀକୁ  ଗୋଡାଇଥିଲେ । ହେଲେ ସେ ଦୌଡିଦୌଡି ଯାଇ ମହେଶ୍ବରଙ୍କ ଘରେ ପଶିଥିଲା । ମହେଶ୍ବରଙ୍କୁ ମଧ୍ୟ କୁରାଢିରେ ଚୋଟ ପକାଇଥିଲା । ହେଲେ ମହେଶ୍ବରଙ୍କ ସ୍ତ୍ରୀ ପଠାଣୀକୁ ମାଡି ବସିଥିଲା।

ଏତିକି ବେଳକୁ ଲୋକମାନେ ପାଟିତୁଣ୍ଡ କରିଥିଲେ । ଆଉ ପଠାଣି ମହେଶ୍ବରଙ୍କ ସ୍ତ୍ରୀକୁ ଛାଟି ଦେଇ ଝରକା ଡେଇଁ ଛୁ ମାରି ଥିଲା।  ଗାଁ ନିକଟସ୍ଥ ଜଂଗଲ ଭିତରେ ପଶିଯିବାରୁ ଗାଁ ଲୋକ ଖୋଜାଖୋଜି କରି ପାଇ ନଥିଲେ।  ପଠାଣିର କୁରାଢି ଚୋଟରେ ଜୟୀ ଓ ବୀରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।  ମହେଶ୍ବରଙ୍କ ଗୋଟିଏ ଆଖି ବାହାରକୁ ବାହାରି ପଡିଥିବା ବେଳେ ସେ ଗୁରୁତର ଆହତ ହୋଇପଡିଥିଲେ।   ଗାଁ ଲୋକ ମହେଶ୍ବରଙ୍କୁ ଡାକ୍ତରଖାନାକୁ ନେଇଥିଲେ। ଏଥିନେଇ ଟାଉନ ଥାନରେ ଅଭିଯୋଗ ହେବା ପରେ  ଟାଉନ ଥାନା ପୁଲିସ କେସ ନଂ ୩୧୪/ ୨୬/୯/୨୦୧୭ । ୨୬ ତାରିଖରେ ଏକ ମାମଲା ରୁଜୁ କରି ପଠାଣିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।  କେନ୍ଦୁଝର ଜିଲ୍ଲାଜଜ୍ ଚିତ୍ତରଂଜନ ମହାପାତ୍ର ୧୫ ଜଣଙ୍କ ସାକ୍ଷୀଙ୍କ ବୟାନ ଶୁଣିବା ପରେ ଆଜି ପଠାଣିକୁ ଆଜୀବନ କାରାଦଣ୍ଡ ସହିତ ୫୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ୧ ବର୍ଷ ଅଧିକ ଜେଲ ଦଣ୍ଡ ଭୋଗିବାକୁ ପଡିବ । ଏହି ମାମଲାକୁ ସରକାରଙ୍କ ପକ୍ଷରୁ ପିପି ପ୍ରଦୀପ କୁମାର ଦାସ କରିଚାଲନା କରୁଥିଲେ ।

ସମ୍ବନ୍ଧିତ ଖବର