ଭୁବନେଶ୍ବର: ବିଜେଡି ସଂଗଠନରେ ସଂରକ୍ଷଣ ଲାଗୁ କରିବାକୁ ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଚିଠି ଏବେ ଦଳକୁ ଅଡ଼ୁଆ ପରିସ୍ଥିତିରେ ପକାଇଛି। ୱକଫ୍ ବିଲ୍ ପ୍ରସଙ୍ଗରେ ଦୋମୁହାଁ ନୀତି ପାଇଁ ଦଳ ଅପଦସ୍ଥ ହୋଇଥିଲା ବେଳେ ଏବେ ସଂରକ୍ଷଣ ପ୍ରସଙ୍ଗରେ ସମସ୍ୟା ବଢ଼ିଯାଇଛି। ଯେହେତୁ କର୍ମକର୍ତ୍ତା ଚୟନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ତେଣୁ ସଂରକ୍ଷଣ କଥା ବିଚାରକୁ ନେଲେ ସବୁ ଅଙ୍କ ଗଡ଼ବଡ଼ ହୋଇଯିବ। ପୁଣି ସଂରକ୍ଷଣ ଲାଗୁ ନ କଲେ, ବିଜେଡି କେବଳ ରାଜନୀତି ପାଇଁ ସଂରକ୍ଷଣ କଥା କହୁଛି ବୋଲି ଧରାପଡ଼ିଯିବ। ଏହି ପ୍ରସ୍ତାବଟି ଏବେ ସଂଗଠନକୁ ଚୂଡ଼ାନ୍ତ ରୂପ ଦେବାରେ କଣ୍ଟା ସାଜିଛି।
ଗତ ବିଧାନସଭା ଅଧିବେଶନ ସମୟରେ ବିଜେଡି ସଂରକ୍ଷଣ ପ୍ରସଙ୍ଗକୁ ଜୋର୍ଦାର ଉଠାଇଥିଲା। ଏସ୍ସି, ଏସ୍ଟି, ଓବିସିଙ୍କୁ ସେମାନଙ୍କ ସଂଖ୍ୟାନୁପାତରେ ଉଚ୍ଚଶିକ୍ଷା ଓ ନିଯୁକ୍ତିରେ ସଂରକ୍ଷଣ ଦେବାକୁ ଦାବି ହୋଇଥିଲା। ଏହି ପ୍ରସଙ୍ଗରେ ଦଳ ବିଧାନସଭାକୁ ବି ଅଚଳ କରିଦେଇଥିଲା। ଠିକ୍ ଏମିତି ସମୟରେ ଗତ ୯ ତାରିଖରେ ସଭାପତି ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ରଣେନ୍ଦ୍ର ଏକ ଚିଠି ଲେଖି ଏହି ପ୍ରସଙ୍ଗକୁ ଆଉ ପାଦେ ଆଗକୁ ବଢ଼ାଇଦେଲେ। ଏଥିରେ ସେ ଦର୍ଶାଇଥିଲେ, ରାଜ୍ୟରେ ଏସ୍ସି, ଏସ୍ଟି ଓ ଓବିସିଙ୍କ ସଂଖ୍ୟା ପ୍ରାୟ ୯୪%। ସାମାଜିକ ନ୍ୟାୟ ବିଜୁ ଜନତା ଦଳର ନୀତି ଓ ଆଦର୍ଶର ଅଗ୍ରଭାଗରେ ରହିବା ଆବଶ୍ୟକ। ତେଣୁ ସଂଗଠନର ରାଜ୍ୟ, ଜିଲ୍ଲା ଓ ବ୍ଲକ୍ ସ୍ତରରେ କର୍ମକର୍ତ୍ତା ଚୟନ ବେଳେ ଏସ୍ସି, ଏସ୍ଟି, ଓବିସି ଓ ମହିଳାଙ୍କୁ ସେମାନଙ୍କ ସଂଖ୍ୟା ଅନୁପାତରେ ସଂରକ୍ଷଣ ମିଳୁ। ଏହାକୁ ନଜରରେ ରଖି କର୍ମକର୍ତ୍ତା ଚୟନ କରିବାକୁ ସେ ପ୍ରସ୍ତାବ ଦେଇଥିଲେ। ରଣେନ୍ଦ୍ରଙ୍କ ଏହି ପ୍ରସ୍ତାବ ଉପରେ ବିଜେଡିର ବିଧିବଦ୍ଧ ପ୍ରତିକ୍ରିୟା ମିଳିପାରି ନାହିଁ। ତେବେ ସଂଗଠନରେ ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ସମ୍ଭାବନା କମ୍। ଯଦି ଲାଗୁ ନ ହୁଏ, ତେବେ ବିଧାନସଭାରେ ବିଜେଡି କେବଳ ଲୋକଦେଖାଣିଆ ପ୍ରସଙ୍ଗ ଉଠାଉଛି ବୋଲି ବାର୍ତ୍ତା ଯିବ।
କାହାକୁ ଲକ୍ଷ୍ୟ କରି ହାଇଜାକ୍ କଥା କହିଲେ?
ସୁଲତାଙ୍କ ମନ୍ତବ୍ୟକୁ ଦେବାଶିଷଙ୍କ ନାପସନ୍ଦ
ଦଳ ଭିତରେ ଥମୁନି ବୟାନବାଜି
ରଣେନ୍ଦ୍ର ତାଙ୍କ ଚିଠିରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି। କିଛି ଲୋକଙ୍କୁ ଦଳର ସଂଗଠନ ହାଇଜାକ୍ କରିବାକୁ ଦିଆ ନଯାଉ ବୋଲି ସେ କହିଛନ୍ତି। ତେବେ କାହାକୁ ଇଙ୍ଗିତ କରି ସେ ଏ କଥା କହିଛନ୍ତି, ତାହା ଜଣାପଡ଼ିନି। କିନ୍ତୁ ରଣେନ୍ଦ୍ରଙ୍କ ପରି ଜଣେ ଅନୁଭବୀ ଓ ବରିଷ୍ଠ ନେତାଙ୍କ ଏହି ମନ୍ତବ୍ୟ ଦଳୀୟ ମହଲରେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି। ଏହା ଉପରେ ପ୍ରତିକ୍ରିୟା ରଖି ବିଜେଡି ନେତା ଦେବୀପ୍ରସାଦ ମିଶ୍ର କହିଛନ୍ତି, ସଂଗଠନରେ ସମସ୍ତଙ୍କୁ ଗୁରୁତ୍ବ ଦିଆଯାଉଛି। ସଂଗଠନ ସମସ୍ତଙ୍କୁ ନେଇ ଚାଲିଛି। ହାଇଜାକ୍ କଥା ସେ କାହିଁକି କହିଲେ, ସେ ହିଁ ବୁଝାଇପାରିବେ। ଏମିତି କେହି କେବେ ହାଇଜାକ୍ କରିଛି କି? ନଈ ନ ଦେଖୁଣୁ ଲଙ୍ଗଳା କାହିଁକି ହେବା?
ଅପରପକ୍ଷରେ ୱକଫ୍ ବିଲ୍ ପ୍ରସଙ୍ଗକୁ ନେଇ ବୟାନବାଜି ଥମୁନି। ଗତକାଲି ସାଂସଦ ସୁଲତା ଦେଓ କହିଥିଲେ, ଏପ୍ରିଲ୍ ୭ ତାରିଖରେ ମୋ ନେତା ନବୀନ ପଟ୍ଟନାୟକ ବିବେକାନୁମୋଦିତ ଭୋଟ୍ ଦେବାକୁ ସିଧା ଶବ୍ଦରେ କହିଥିଲେ। ମୁନା ଖାନ୍ ଓ ତାଙ୍କ ସହ ଆସିଥିବା ଦେବାଶିଷ ସାମନ୍ତରାୟଙ୍କ ସମର୍ଥକଙ୍କୁ ଏ କଥା ସେ ସିଧାସଳଖ କହିଥିଲେ। କିନ୍ତୁ ଗଣମାଧ୍ୟମ ଏହାକୁ ଚପାଇଦେଲା। ମୁନା ଖାନ୍ ମଧ୍ୟ ବାହାରକୁ ଆସି ରାଜ୍ୟସଭା ନେତା ସସ୍ମିତ ଭାଇଙ୍କୁ ଆରୋପ କଲେ। ସୁଲତାଙ୍କ ମନ୍ତବ୍ୟକୁ ଆଜି ନାପସନ୍ଦ କରିଛନ୍ତି ଦେବାଶିଷ। ସେ କହିଛନ୍ତି, ମୁଁ ୱକଫ୍ ପ୍ରସଙ୍ଗରେ କିଛି କହିବାକୁ ଚାହୁନି। ଥରେ ନବୀନ ବାବୁ କହିସାରିଲା ପରେ ଆଉ କେହି ମନ୍ତବ୍ୟ ଦେବା ଉଚିତ ମଧ୍ୟ ନୁହେଁ। ମୁଁ ସୁଲତା ଦେଓଙ୍କ ଉପରେ କିଛି କହିବାକୁ ଚାହେନି। ତାଙ୍କ ଇଚ୍ଛା ସେ କହୁଛନ୍ତି। ଦଳରେ ବହୁତ ବରିଷ୍ଠ ନେତା ଅଛନ୍ତି। ସେମାନେ ଶୃଙ୍ଖଳା ରକ୍ଷା କରିବାକୁ ଲାଗିଛନ୍ତି। ଯଦି ଜଣେ କନିଷ୍ଠ ସଭ୍ୟ ଦଳୀୟ ଶୃଙ୍ଖଳାକୁ ଭଙ୍ଗ କରିବ, ତେବେ ମୁଁ କିଛି ନ କହିବା ଭଲ। ସଭାପତିଙ୍କୁ ଏ ପ୍ରସଙ୍ଗରେ ଅବଗତ କରାଯାଇଛି।