ଅନୁଗୁଳ/କି‌ଶୋରନଗର: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ୍‌ର ବରିଷ୍ଠ ସହାୟକ ନିତ୍ୟାନନ୍ଦ ଗାଇଗରିଆ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ମାଡ଼ି ବସିଛି। ତାଙ୍କ ପାଖରୁ ଲାଞ୍ଚ ଟଙ୍କା ଜବତ କରିବା ପରେ ତାଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଚଢ଼ଉ କରାଯାଇଛି। ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକରେ ପୂର୍ବରୁ ପିଅନ ଥିବା ପୂର୍ଣ୍ଣଚନ୍ଦ୍ର ଭୁକ୍ତା ଏବେ ପଦୋନ୍ନତି ପାଇ ଅନୁଗୁଳ ଜିଲ୍ଲା କ୍ରୀଡ଼ା ବିଭାଗରେ କନିଷ୍ଠ ସହାୟକ ଭାବେ କାମ କରୁଛନ୍ତି। ୨୦୨୧ରୁ ତାଙ୍କର ପଦୋନ୍ନତି ହୋଇଥିଲେ ହେଁ କିଶୋରନଗର ବ୍ଲକ୍‌ରେ ଥିବାବେଳେ ତାଙ୍କର ଦରମା କାଗଜପତ୍ରରେ କିଛି ସମସ୍ୟା ରହିଥିଲା।

Advertisment

ସର୍ଭିସ୍‌ ବୁକ୍‌କୁ ନିୟମିତ କରିବା ପାଇଁ ଶ୍ରୀ ଭୁକ୍ତା କିଶୋରନଗର ବ୍ଲକ୍‌ରେ ଥିବା ବରିଷ୍ଠ ସହାୟକ ନିତ୍ୟାନନ୍ଦ ଗାଇଗରିଆଙ୍କ ପାଖକୁ ବାରମ୍ବାର ଦୌଡ଼ୁଥିଲେ। ତେବେ ଦରମା କାଗଜପତ୍ର କରାଇଦେବା ପାଇଁ ନିତ୍ୟାନନ୍ଦ ଟଙ୍କା ମାଗିବା ସହ ଟଙ୍କା ନ ଦେଲେ କାମ ହୋଇପାରିବ ନାହିଁ ବୋଲି କହିଥି‌ଲେ। ଫଳରେ ପୂର୍ଣ୍ଣଚନ୍ଦ୍ର ଏନେଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ଅନୁଯାୟୀ ପୂର୍ଣ୍ଣଚନ୍ଦ୍ର ଆଜି ୧୦ ହଜାର ଟଙ୍କା ନିତ୍ୟାନନ୍ଦଙ୍କୁ ଦେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରି ନେଇଥିଲେ। ତାଙ୍କ ପାଖରୁ ୧୦ ହଜାର ଟଙ୍କା ଜବତ କରିବା ସହ ତାଙ୍କ ଅଫିସ, ସରକାରୀ ଘର ସମେତ ତେଲିନାଳିସ୍ଥିତ ପୈତୃକ ବାସଭାବନରେ ଚଢ଼ଉ କରାଯାଇଛି। ଏଥିନେଇ କଟକ ଭିଜିଲାନ୍ସ ୩୭/୨୩ରେ ଏକ ମାମଲା ରୁଜୁ କରି ତାଙ୍କୁ ଗିରଫ କରିବା ସହ ଘଟଣାର ଅଧିକ ତଦନ୍ତ କରୁଛି।