ଭୁବନେଶ୍ବର : ଗ୍ରୀଷ୍ମ ମଣ୍ଡଳୀୟ ପ୍ରଶାନ୍ତ ମହାସାଗରରେ ତାପମାତ୍ରା ସ୍ବାଭାବିକଠାରୁ କମ୍‌ ରହୁଥିବାରୁ ‘ଲା ଲିନା’ ସୃଷ୍ଟି ହୋଇଛି। ପ୍ରଭାବରେ ଦକ୍ଷିଣ ଆମେରିକାରୁ ଉତ୍ତର ଭାରତ ମହାସାଗର ଦେଇ ଦକ୍ଷିଣ ପୂର୍ବ ଏସିଆକୁ ପ୍ରବଳ ପଶ୍ଚିମା ପବନ ପ୍ରବାହିତ ହେଉଛି। ଯେଉଁଥିପାଇଁ ଏ ବର୍ଷ ଜୁନ୍‌ରେ ମୌସୁମୀ ବାୟୁ ପ୍ରବାହରେ ମଧ୍ୟ ଅନିୟମିତତା ଦେଖାଦେଇଛି। ୨୦୨୦ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ‘ଲା ଲିନା’ ଦ୍ବିତୀୟ ବର୍ଷ ଲାଗି ମଧ୍ୟ ଜାରି ରହିଛି। ଯଦିଓ ଗତ ଜାନୁଆରିରେ ଏହା କିଛି ପରିମାଣରେ ଦୁର୍ବଳ ହୋଇଥିଲା, ଏପ୍ରିଲଠାରୁ ପୁଣିଥରେ ଶକ୍ତି ଗୋଟାଉଛି। ବିଶ୍ବ ପାଣିପାଗ ସଂସ୍ଥା ଅନୁଯାୟୀ, ୨୦୨୩ରେ ମଧ୍ୟ ‘ଲା ଲିନା’ ରହିବାର ସମ୍ଭାବନା ରହିଛି। ଯଦି ଏହା ସତ ହୁଏ, ତେବେ ୭୨ବର୍ଷର ରେକର୍ଡ ଭାଙ୍ଗିବ। ଏଥିସହ ସମୁଦ୍ରର ତାପମାତ୍ରା କମ୍‌ ହେତୁ ଏହା ବାୟୁମଣ୍ଡଳରୁ ଅଧିକ ଉତ୍ତାପ ଶୋଷଣ କରୁଛି। ବାୟୁ ପ୍ରବାହରେ ପରିବର୍ତ୍ତନ ଯୋଗୁଁ ଋତୁଚକ୍ରରେ ବି ଅନିୟମିତ ହୋଇଛି। ତେଣୁ ବିଶ୍ବର କେତେକ ସ୍ଥାନରେ ଏବର୍ଷ ବାତ୍ୟାର ସଂଖ୍ୟା ଅଧିକ ରହିବ। କିଛି ଦେଶରେ ଅଧିକ ଶକ୍ତିଶାଳୀ ବାତ୍ୟା ହେବାର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି।

Advertisment

ସେ ଆହୁରି କହିଛନ୍ତି ଯେ ଆମେରିକା ପାଣିପାଗ ସଂସ୍ଥା ଏନ୍‌ଡିଏଏ ଅନୁଯାୟୀ ଗତ ମେ’ ମାସର ତାପମାତ୍ରା ବିଂଶ ଶତାବ୍ଦୀର ସ୍ବାଭାବିକ ତାପମାତ୍ରାଠାରୁ ଅଧିକ ରହିଥିଲା। ଚଳିତ ବର୍ଷ ମେ’ରେ ଭାରତ ଓ ପାକିସ୍ତାନରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ସର୍ବାଧିକ ତାପମାତ୍ରା ୫୧ଡିଗ୍ରି ରେକର୍ଡ କରାଯାଇଛି। ୟୁରୋପ, ଆମେରିକା ଓ କାନାଡ଼ା‌ରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ହୋଇଛି। ଚରମ ପାଣିପାଗ ହେତୁ ଅତ୍ୟଧିକ ଗରମ ସହ ପ୍ରବଳ ଶୀତ ଓ ବର୍ଷା ହୋଇଥାଏ। ଏବର୍ଷ ଶୀତ ପ୍ରଧାନ କାନାଡାରେ ପାଣିପାଗ ଯାହାର ସଦ୍ୟତମ ଉଦାହରଣ। ଗତ ଦୁଇ ଦିନ ହେଲା କାନାଡାର ଟରଣ୍ଟୋରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି। ଗତକାଲି ତାପମାତ୍ରା ୩୫ଡିଗ୍ରି ରହିଥିଲା, ମାତ୍ର ବାୟୁରେ ଅଧିକ ଆର୍ଦ୍ରତା ଯୋଗୁଁ ୪୦ ଡିଗ୍ରି ପରି ଲାଗୁଥିଲା।

publive-image Sambad English

ଭାରତରେ ମଧ୍ୟ ଏବର୍ଷ ବାତ୍ୟାର ପ୍ରଭାବ ଅଧିକ ରହିବାର ସମ୍ଭାବନ‌ା ରହିଛି। ୧୯୭୦ରୁ ୨୦୨୧ ମଧ୍ୟରେ ଦେଶକୁ ୧୨୫ରୁ ଅଧିକ ବାତ୍ୟା ଆସିଛି। ଯେଉଁଥିରେ ୪୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଯଦି ଓଡ଼ିଶା କଥା ଦେଖାଯାଏ, ବିଶ୍ବରେ ଓଡ଼ିଶା ଷଷ୍ଠ ସାମୁଦ୍ରିକ ବାତ୍ୟାପ୍ରବଣ ରାଜ୍ୟ ଭାବେ ଇତିମଧ୍ୟରେ ପରିଗଣିତ ହୋଇଛି। ଦେଶରେ ସମୁଦାୟ ଉପକୂଳର ପ୍ରାୟ ୧୭ପ୍ରତିଶତ ଓଡ଼ିଶାରେ ଥିଲେ ହେଁ ଓଡ଼ିଶା କିନ୍ତୁ ୩୫ପ୍ରତିଶତ ବାତ୍ୟା ଓ ଜୁଆରର ସମ୍ମୁଖୀନ ହେଉଛି। ଗତ ୧୦ ବର୍ଷରେ ୭ଟି ପ୍ରବଳରୁ ଅତି ପ୍ରବଳ ସାମୁଦ୍ରିକ ବାତ୍ୟା ଓଡ଼ିଶା ଉପକୂଳ ଦେଇ ଗତି କରିଛି। ଏସବୁ ବାତ୍ୟା ସମୟରେ ପ୍ରାୟ ୩.୫ମିଟରରୁ ୪.୫ ମିଟର ସାମୁଦ୍ରିକ ଜୁଆର ଆସିଛି। ବହୁ ଅଞ୍ଚଳରେ ଲୁଣାପାଣି ମାଡ଼ି ଯାଇଛି। ବିଶେଷକରି ଗତ ୪ ବର୍ଷ ମଧ୍ୟରେ ୫ଟି ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ପଡ଼ିଛି। ଯେଉଁଥିରେ ବ୍ୟାପକ କ୍ଷତି ହେବା ସହ ଧନଜୀବନ ବି ନଷ୍ଟ ହୋଇଛି। ଏ ବର୍ଷ ବି ବାତ୍ୟା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ। ୨୦୧୩ରୁ ଓଡ଼ିଶା କ୍ରମାଗତ ଭାବେ ବାତ୍ୟାର ସମ୍ମୁଖୀନ ହେଉଛି। ପର୍ଯ୍ୟାୟକ୍ରମେ ଦେଖିବାକୁ ଗଲେ, ୨୦୧୩ରେ ‘ଫାଇଲିନ୍‌’, ୨୦୧୪ରେ ‘ହୁଡ୍‌ହୁଡ୍‌’, ୨୦୧୭ରେ ‘ତିତଲି’, ୨୦୧୯ରେ ‘ଫନି’ ଓ ‘ବୁଲବୁଲ୍’, ୨୦୨୦ରେ ‘ଅମ୍ଫାନ୍‌’, ୨୦୨୧ ମେ’ ମାସରେ ‘ୟସ୍‌’ ବାତ୍ୟାକୁ ସାମ୍ନା କରିଥିଲା ଓଡ଼ିଶା।