ଆସିଲା ନକଲି ଔଷଧର ଲ୍ୟାବ୍ ରିପୋର୍ଟ: ମଣିଷ ବ୍ୟବହାର ଯୋଗ୍ୟ ନୁହେଁ

ବାଲାଜୀ ଡ୍ରଗ୍‌ସର ୩ ଆକାଉଣ୍ଟରୁ ୪୦ ଲକ୍ଷ ଟଙ୍କା ଜବତ

କଟକ : କଟକରେ ଜବତ ହୋଇଥିବା ନକଲି ଉଚ୍ଚ ରକ୍ତଚାପ ଔଷଧ ମଣିଷ ବ୍ୟବହାର ଉପଯୋଗୀ ନୁହେଁ। ଏହା ସଂପୂର୍ଣ୍ଣ ଭାବେ ନକଲି। ଏ ପ୍ରକାର ରିପୋର୍ଟ ଭୁବନେଶ୍ବର ନନ୍ଦନକାନନ ରୋଡରେ ଥିବା ରାଜ୍ୟ ଡ୍ରଗସ୍ ଟେଷ୍ଟିଂ ଏବଂ ରିସର୍ଚ୍ଚ ଲାବରେଟୋରିରୁ ଆସିବା ପରେ ରୋଗୀଙ୍କ ଭିତରେ ଆତଙ୍କ ଖେଳି ଯାଇଛି। ଗଲା ୬ ମାସ ହେବ କଟକର ରାହୁଲ କ୍ୟାଲ୍ ଏବଂ ସଞ୍ଜୟ ଜଲାନ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଏହି ନକଲି ଉଚ୍ଚ ରକ୍ତ ଚାପ ଔଷଧ ପଠାଇଥିବାରୁ ଏବେ ଉଚ୍ଚ ରକ୍ତଚାପ ରୋଗୀଙ୍କ ମାନସିକ ଚାପ ଅଧିକ ବଢ଼ିଯାଇଥିବା କୁହାଯାଉଛି।

ସୂଚନା ଅନୁଯାୟୀ, କଟକରେ ନକଲି ଟେଲମା-୪୦ ଓ ଟେଲମା ଏ.ଏସ୍ କାରବାର ମାମଲାରେ ପୁରୀଘାଟ ଥାନା ପୁଲିସ ବିହାର ଗୟା ଜିଲ୍ଲାରେ ଥିବା ବାଲାଜୀ ଡ୍ରଗସର ବ୍ୟାଙ୍କ ଆକାଉଣ୍ଟରୁ ୧୨ ଲକ୍ଷ ଟଙ୍କା ଜଗତ କରିଛି। ବାଙ୍ଗାଲୁର ଶିବାଜୀ ନଗର ଅଞ୍ଚଳର ଶ୍ରୀ ବାଲାଜି ଏଜେନ୍ସିର ବ୍ୟାଙ୍କ୍ ଆକାଉଣ୍ଟର ଯଦିଓ ଜବତ ହୋଇଛି, ଏଥିରେ କୌଣସି ଟଙ୍କା ମିଳିନାହିଁ। ପୂର୍ବରୁ ଗିରଫ ହୋଇଥିବା ରାହୁଲ କ୍ୟାଲ୍ ଏବଂ ସଞ୍ଜୟ ଜଲାନଙ୍କ ଫ୍ରିଜ୍ ହୋଇଥିବା ଟଙ୍କାକୁ ମିଶାଇ ଏଯାଏ ମୋଟ ୪୦ ଲକ୍ଷ ଟଙ୍କା ପୁଲିସ ଏହି କାରବାରରେ ଜବତ କରିସାରିଲାଣି। ଅନ୍ୟପଟେ ଏହି ନକଲି କାରବାର ମାମଲାରେ ୧୫ ତାରିଖରୁ ଦୁଇ ଦିନିଆ ରିମାଣ୍ଡରେ ଆସିଥିବା ଭି.ଆର୍‌ ଡ୍ରଗ୍‌ ଏଜେନ୍ସିର ରାହୁଲ କ୍ୟାଲ୍ ଓ ପୂଜା ଏଣ୍ଟରପ୍ରାଇଜେସ୍‌ର ସଞ୍ଜୟ ଜଲାନଙ୍କ ରିମାଣ୍ଡ ଅବଧି ୧୬ ତାରିଖରେ ଶେଷ ହୋଇଛି। ସେମାନଙ୍କୁ ପୁରୀଘାଟ ଥାନା ପୁଲିସ ଏସଡିଜେଏମଙ୍କ କୋର୍ଟରେ ହାଜର କରିବା ପରେ ଚୌଦ୍ବାର ଜେଲକୁ ପଠାଇ ଦିଆଯାଇଛି। କଟକର ଗିରଫ ଏହି ଦୁଇ ଔଷଧ ମାଫିଆ ଯେଉଁ ରିଟେଲରଙ୍କୁ ଔଷଧ ବିକ୍ରି କରିଥିଲେ, ସେମାନଙ୍କ ତାଲିକା ଡ୍ରଗସ୍ କଣ୍ଟ୍ରୋଲ ବିଭାଗ ଠାରୁ କମିସନରେଟ୍ ପୁଲିସର ନେଇଛି। ପୁଲିସ ଏହି ତାଲିକା ଆଧାରରେ ସମ୍ପୃକ୍ତ ରିଟେଲରଙ୍କୁ ଧରିବାକୁ ଉଦ୍ୟମ କରୁଛି।

ସମ୍ବନ୍ଧିତ ଖବର