ପୁରୁଣା ଭୁବନେଶ୍ୱର: ଭୁବନେଶ୍ବର ଜଟଣୀ ରୋଡ୍‌ରେ ଥିବା ଲବଣଗିରି ପାହାଡ଼ ପର୍ଯ୍ୟଟକଙ୍କ ନଜର ଆଢୁଆଳରେ ରହିଛି। ମୁଖ୍ୟ ରାସ୍ତା ନିର୍ମାଣରେ ବିଳମ୍ବ ହେଉଥିବାରୁ ସବୁଜିମା ଭିତରେ ପ୍ରାଚୀନ କୀର୍ତ୍ତିରାଜି ଅଧିକ ଲୋକଲୋଚନକୁ ଆସିପାରିନାହିଁ। ଏହି ଅଞ୍ଚଳ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଘେରି ରହିଛି। ଚାରିଆଡ଼େ ଗଛ, ପାହାଡ଼ ଭର୍ତ୍ତି। ମୁଣ୍ଡିଆ ଉପରେ ଠିଆ ହେଲେ ଗଙ୍ଗୁଆ ନଦୀ ଓ ଧଉଳି ପାହାଡ଼ ନଜର ଆସେ। ପୂର୍ବରୁ ଗଛଟିଏ ନଥିବାରୁ ଏଠି ମାଟିରେ ମୁଣ୍ଡିଆ ଠିଆ ହୋଇଥିଲା। ଫଳରେ ଏହାକୁ ଚନ୍ଦା ମୁଣ୍ଡିଆ ବୋଲି କୁହନ୍ତି। ୨୦୦୨ମସିହା ପରଠୁ ଗଛ ଲଗାଯାଇ ପାହାଡ଼କୁ ସବୁଜିମା କରାଗଲା। ପରେ ଏଠାକୁ ପର୍ଯ୍ୟଟକମାନେ ଆସୁଛନ୍ତି। ଏଠାରେ ଥିବା ଠାକୁରଙ୍କ ପୂଜକ କୁହନ୍ତି, ଏହା ହଜାର ହଜାର ବର୍ଷ ତଳର ପୁରୁଣା ମନ୍ଦିର।

Advertisment

ପୌରାଣିକ ସମୟର ଲବଣାସୁର କାହାଣୀ ସହିତ ଜଡ଼ିତ
କଳିଙ୍ଗ ଯୁଦ୍ଧ ସମୟରେ ରାଜା ପଦ୍ମନାଭଙ୍କ ରହଣୀସ୍ଥଳ ଥିଲା
ଅଛି ଜଗନ୍ନାଥ, ଲବଣେଶ୍ବରଙ୍କ ସମେତ ୫ ମନ୍ଦିର
ଭୁବନେଶ୍ବର-ଜଟଣୀ ରାସ୍ତା କାମ ସରି ନଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା କମୁଛି

ଅଶୋକ ଯୁଦ୍ଧ କରିବା ସମୟରେ ଏହି ପାହାଡ଼ କଳିଙ୍ଗ ରାଜା ପଦ୍ମନାଭଙ୍କ ରହଣିସ୍ଥଳ ଥିଲା। ଉଭୟ ପାହାଡ଼ ମଝିରେ ରହିଛି ରଣେଇ ଗହୀର। ସ୍ଥାନୀୟ ବାସିନ୍ଦା ତଥା ମନ୍ଦିର ଟ୍ରଷ୍ଟ ସମ୍ପାଦକ ସୁଧାଂଶୁ ମୋହନ ପଟ୍ଟନାୟକ କୁହନ୍ତି, ୨୩ବର୍ଷ ପୂର୍ବେ ଗ୍ରାମବାସୀ ଗୋଟିଏ ଆଶ୍ରମ ଆରମ୍ଭ କରିଥିଲେ। ପାହାଡ଼ରେ ପୂଜା ପାଉଥିବା ମହାଦେବ ପୂର୍ବରୁ ପାହାଡ଼ ଭିତରେ ପୋତି ହୋଇ ଥିଲେ। ଲଙ୍ଗଳ ମୁନ ବାଜିବାରୁ ପାହାଡ ତଡ଼ାହୋଇ ମନ୍ଦିର ଭଗ୍ନାବଶେଷ ବାହାରିଲା। ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ୨୦୦୨ରେ ପାହାଡ଼କୁ ଖୋଳାଯାଇ ମହାଦେବଙ୍କ ମନ୍ଦିର ସହିତ ଦଧିନଉତି ବାହାରିଲା। ପୂର୍ବରୁ ଯେଉଁଠି ପ୍ରାଚୀନ ମନ୍ଦିର ଥିଲା ସେଇଠି ପାତାଳଫୁଟା ମହାଦେବ ଏବେ ବି ପୂଜା ପାଉଛନ୍ତି। ଏହି ପାହାଡ଼କୁ ନେଇ ପୌରାଣିକ କାହାଣୀ ରହିଛି, ଲବଣାସୁର ନାମକ ଦୈତ୍ୟ ଏଠାରେ ତପସ୍ୟା କରି ଶିବଙ୍କ ତ୍ରିଶୂଳ ପାଇଥିଲେ। ସେ ଶ୍ରୀଲିଙ୍ଗରାଜଙ୍କ ପରମ ଶ୍ରଦ୍ଧାଳୁ ଥିଲେ। ପାହାଡ଼ ଚାରିପଟ ଗଙ୍ଗୁଆ ଓ ଦୟା ନଦୀର ଜଳପ୍ଲାବିତ ଅଞ୍ଚଳ ଥିଲା।

ହ୍ରଦ ଭଳି କପିଳେଶ୍ବର ପର୍ଯ୍ୟନ୍ତ ବ୍ୟାପିଥିଲା। ତେଣୁ ପାହାଡ଼ଠାରୁ କପିଳେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଲବଣାସୁର ଏକ ବନ୍ଧ ନିର୍ମାଣ କରିଥିଲେ। ତାହାକୁ ବୀରବନ୍ଧ ବୋଲି କୁହାଯାଉଥିଲା। ସେହି ବନ୍ଧରେ ଯାଇ ସେ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରୁଥିଲେ। କାଳକ୍ରମେ ସେ ବନ୍ଧଟି ଏକ କ୍ଷୁଦ୍ର କେନାଲ ପାଲଟି ଯାଇଛି। ତେବେ ସ୍ମୃତି ସ୍ୱରୂପ ବୀରବନ୍ଧ ଗ୍ରାମ ଏବେ ବି ରହିଛି। ପାହାଡ଼ରେ ଜଗନ୍ନାଥ ମହାପ୍ରଭୁ ବି ପୂଜା ପାଉଛନ୍ତି। ମହାପ୍ରଭୁଙ୍କ ସବୁ ପ୍ରକାରର ନୀତିକାନ୍ତିଠାରୁ ଆରମ୍ଭ କରି ରଥଯାତ୍ରା ମଧ୍ୟ ହୋଇଥାଏ। ଏଠାରେ ୫ଟି ମନ୍ଦିର ରହିଛି। ଜଗନ୍ନାଥ, ଲକ୍ଷ୍ମୀ, ମା’ ବିମଳା, ହନୁମାନ ଓ ଲବଣେଶ୍ୱର ପୂଜା ପାଉଛନ୍ତି। ପାହାଡ଼ ଉପରକୁ ଯିବାକୁ ଭଲ ରାସ୍ତା ହୋଇଛି। ତେବେ ଭୁବନେଶ୍ବର-ଜଟଣୀ ରାସ୍ତା କାମ ସରି ନଥିବାରୁ ଏଠାକୁ ପର୍ଯ୍ୟଟକ ଆସିବାକୁ ମଙ୍ଗୁ ନାହାନ୍ତି। ସନ୍ଧ୍ୟା ପରେ ଏହି ସ୍ଥାନକୁ ଯିବାକୁ ଲୋକେ ସୁରକ୍ଷିତ ମଣୁନାହାନ୍ତି।