ଶ୍ରାବଣରେ ବୈଶାଖର ଭ୍ରମ, ପୁରୁଷୋତ୍ତପୁରରେ ବର୍ଷାଭାବ

ନଷ୍ଟ ହେବାକୁ ବସିଲାଣି ୯୭୯୨ ହେକ୍ଟର୍ ଧାନଚାଷ, ୧୨ ହେକ୍ଟର୍ ଜମିରେ ଧାନତଳି ପୋଡ଼ିଗଲା

ପୁରୁଷୋତ୍ତମପୁର : ଶ୍ରାବଣରେ ବୈଶାଖର ଭ୍ରମ। ପ୍ରବଳ ତାତି ଓ ଖରାରେ ଜନଜୀବନ ଅସ୍ତବ୍ୟସ୍ତ। ‌ମେଘ ଲୁଚକାଳି ‌ଖେଳୁଥିବା ବେଳେ ବର୍ଷାର ଦେଖା ନାହିଁ। ଗଞ୍ଜାମରେ ବର୍ଷାର ଅଭାବ ଚଳିତବର୍ଷ ଖରିଫ୍ ଚାଷକୁ ପ୍ରଭାବିତ କରିବା ଆଶଙ୍କା ଉପୁଜିଥିବାରୁ ଚାଷୀ ମୁଣ୍ଡରେ ଏବେ ଚଡ଼କ ପଡ଼ିଛି। ବିଶେଷକରି ପୁରୁଷୋତ୍ତମପୁର ବ୍ଲକ୍ ଓ ଏନ୍‌ଏସି କଥାକୁ ବିଚାରରେ ନେଲେ ଏଠାରେ ଅଭାବୀ ବର୍ଷା ଯୋଗୁଁ ଚାଷକାମ ସଂପୂର୍ଣ୍ଣ ଭା‌ବେ ବାଧାପ୍ରାପ୍ତ ହୋଇଛି। ଜୁନ୍‌ରେ ୪୮ ମିମି ଓ ଜୁଲାଇରେ ୧୭୮ ମିମି ବର୍ଷା ରେକର୍ଡ଼ ହୋଇଥିଲା।

ଫଳରେ ଅଭାବୀ ବର୍ଷା ଯୋଗୁଁ କୃଷି ବିଭାଗର ଆକଳନ ଅନୁସାରେ, ୯୭୯୨ ହେକ୍ଟର୍ ଜମି‌ରେ ଧାନଚାଷ ନଷ୍ଟ ହେବାକୁ ବସିଲାଣି। କେବଳ ଏତିକି ନୁହେଁ, ୯୮୫୬ ହେକ୍ଟର୍ ଜମିରେ ଅଣଧାନ ଚାଷ ବି ସଂପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି। ଅଧିକାଂଶ ସ୍ଥାନରେ ପ୍ରଚଣ୍ଡ ଖରା ଯୋଗୁଁ ବର୍ତ୍ତମାନ ଧାନତଳି ପୋଡ଼ିଯାଇଥିବା ଲକ୍ଷ୍ୟ କରାଯାଇଛି। ଫଳରେ କ୍ଷତି କେମିତି ଭରଣା ହେବ ଓ ଖରିଫ୍‌ ଚାଷକୁ  ‌ପୁଣି କେମିତି ଛିଡ଼ା କରିବ ଏହି ଚିନ୍ତାରେ ଚାଷୀ ରହିଛି। ସେପଟେ ସପ୍ତାହକ ମଧୢରେ ଭଲ ବର୍ଷା ନହେଲେ ସ୍ଥିତି ବିଗିଡ଼ିବା ଆଶଙ୍କା ଦେଖାଦେଇଛି।

ବ୍ଲକ୍‌ର ୨୬ ପଞ୍ଚାୟତ ଓ ଏନ୍‌ଏସିରେ ୮୧୬ ହେକ୍ଟର୍ ଜମିରେ ଧାନରୁଆ ଓ ୯୭୬ ହେକ୍ଟର୍ ଜମିରେ ଧାନ ବୁଣା ପାଇଁ ଲକ୍ଷ୍ୟ ରହିଛି। କିନ୍ତୁ ବର୍ଷା ଅଭାବ ଯୋଗୁଁ ୧୨ ହେକ୍ଟର୍‌ରୁ ଅଧିକ ଜମିରେ ଧାନତଳି ସଂପୂର୍ଣ୍ଣ ଭାବେ ପ‌ୋଡ଼ି ଯାଇଥିବା କୃଷି ବିଭାଗ ପକ୍ଷରୁ ରିପୋର୍ଟ ପ୍ରଦାନ କରାଯାଇଛି।  ସେହିପରି ୨୬ ପଞ୍ଚାୟତ ଓ ଏନଏସିରେ ୧୬ହଜାର ୯୩୮ ହେକ୍ଟର୍ ଜମି ଜଳସେଚିତ ଓ ୨ ହଜାର ୭୧୦ ହେକ୍ଟର୍ ଜମି ଅଣଜଳସେଚିତ ବୋଲି ସରକାରୀ ତଥ୍ୟ କହୁଛି। ହେଲେ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ଏହି ଲକ୍ଷ୍ୟ ବି ପୂରଣ ହୋଇପାରୁନି। ସବୁଠି ଚାଷୀ ପାଣି ପାଇଁ ଚାହିଁ ବସିଛନ୍ତି।

ଏଭଳି ପରିସ୍ଥିତିରେ ଜଳସେଚନ ବିଭାଗ ଉପରୁ ଚାଷୀଙ୍କ ଭରସା ବି ତୁଟିଯାଇଛି। କାରଣ ବହୁ ବିଳମ୍ବରେ ତଥା ଜୁଲାଇ ମାସ ଶେଷରେ ହୀରାଧରବାଟି କେନାଲ୍‌ରୁ ପାଣି ଛଡ଼ାଗଲା। କିନ୍ତୁ କେନାଲ୍‌ର ଉପରମୁଣ୍ଡରୁ ତଳମୁଣ୍ଡ ପାଇଁ ପାଣିର ସୁଷମ ବଣ୍ଟନ ହୋଇପାରୁନି। ପୁରୁଷୋତ୍ତମପୁର ଅଞ୍ଚଳକୁ ଖରିଫ୍‌ ଚାଷ ପାଇଁ ଋଷିକୁଲ୍ୟା କେନାଲ୍ ଦ୍ବାରା ୨୧୩୨ ହେକ୍ଟର୍, ଜୟମଙ୍ଗଳ କେନାଲ୍ ଦ୍ବାରା ୪୬୬୩ ହେକ୍ଟର୍ ଓ ହୀରାଧରବାଟି କେନାଲ୍ ମାଧ୍ୟମରେ ୩୦୮୫ ହେକ୍ଟର୍ ଜମିକୁ ଜଳସେଚନ ପାଇଁ ଲକ୍ଷ୍ୟ ରଖାଯାଇଥାଏ। କିନ୍ତୁ ଚାଷୀ ଓ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ସମନ୍ବୟର ଅଭାବ ହେତୁ ଜମିକୁ କେନାଲ୍ ପାଣିର ସୁଷମ ବଣ୍ଟନ ସମ୍ଭବପର ହେଉନି।

ଅନ୍ୟପକ୍ଷରେ ଚଳିତ ଖରିଫ୍ ଋତୁରେ ଅନ୍ତରିଗାଁ, ଝାଡ଼ବାଇ, ଟଙ୍କଛାୟୀ, ସିଏଚନୂଆଗାଁ, ବଡ଼ଖରିଡ଼ା ଓ ଭୂତସରସିଙ୍ଗି ପଞ୍ଚାୟତର ୨୩୦ ହେକ୍ଟର୍ ଜମିରେ ଅଣଧାନ ଅମଳକୁ ଲକ୍ଷ୍ୟ କରି ମେଗା ଲିଫ୍‌ଟ୍ ପ୍ରୋଜେକ୍ଟ୍ ପାଇଁ କୃଷି ବିଭାଗ ଲକ୍ଷ୍ୟ ରଖିଛି। ହେଲେ ଅଭାବୀ ବର୍ଷା ହେତୁ ଅଣଧାନ ଚାଷ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଆଶା କ୍ଷୀଣ ହୋଇଛି।

ସମ୍ବନ୍ଧିତ ଖବର