ଚାଷୀଙ୍କ ଚିନ୍ତା ବଢ଼ାଇଲାଣି ଅଭାବୀ ବର୍ଷା

ଭୁବନେଶ୍ବର: ଜୁଲାଇ ମାସରେ ରାଜ୍ୟରେ ନିଅଣ୍ଟିଆ ବର୍ଷା ପରିସ୍ଥିତି ଉପୁଜିଥିବା ବେଳେ ଦିନକୁ ଦିନ ଚିନ୍ତାଜନକ ସ୍ଥିତି ସୃଷ୍ଟି ହେଲାଣି। ରାଜ୍ୟରେ ବର୍ତ୍ତମାନ ୧୨ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିସହ ରାଜ୍ୟରେ ସମୁଦାୟ ୧୨% ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ତେବେ କୃଷିକାର୍ଯ୍ୟ ପାଇଁ ଜୁଲାଇ ମାସର ବର୍ଷା‌ ଅତ୍ୟଧିକ ଗୁରୁତ୍ବପୂର୍ଣ୍ଣ ଥିବା ବେଳେ ଏହି ସମୟରେ ଅଭାବୀ ବର୍ଷାର ପରିସ୍ଥିତି ଫସଲ ମରୁଡ଼ିକୁ ବାଟ କଢ଼ାଉଛି ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ଦେଲେଣି। ବିଶେଷକରି ପୁରୀ, ଖୋର୍ଧା, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ଅତ୍ୟଧିକ ନିଅଣ୍ଟିଆ ବର୍ଷା ଉପକୂଳର କୃଷି କାର୍ଯ୍ୟ ପ୍ରତି ବିପଦ ସୃଷ୍ଟି କରିବ ବୋଲି ଆକଳନ କରାଯାଉଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌.ଆର୍‌ ବିଶ୍ବାସ କହିଛନ୍ତି, ୧ ଜୁନ୍‌ରୁ ଜୁଲାଇ ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସମୁଦାୟ ୪୬୪.୧ ମିମି ବର୍ଷା ରେକର୍ଡ କରାଯାଇଛି। ସ୍ବାଭାବିକ ଭାବେ ଏହି ସମୟରେ ରାଜ୍ୟରେ ୫୨୬.୬ ମିମି ବର୍ଷା ହୋଇଥାଏ। ଅର୍ଥାତ ରାଜ୍ୟରେ ଏଥର ୧୨ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି। ରାଜ୍ୟର ୧୨ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଥିବା ବେଳେ ଉପକୂଳ ଓଡ଼ିଶାର ପୁରୀ, ଖୋର୍ଧା, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାରେ ଅତ୍ୟଧିକ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଭଲ ବର୍ଷା ହୋଇଥିଲେ ବି ଗତ ବର୍ଷ ଜୁନ୍‌ରେ ନିଅଣ୍ଟିଆ ବର୍ଷା ହୋଇଥିଲା, ଜୁଲାଇରେ ଭଲ ବର୍ଷା ହୋଇଥିଲା। କିନ୍ତୁ ଚଳିତ ବର୍ଷ ଜୁଲ‌ାଇ ଅର୍ଥାତ ଧାନ ରୁଆ ବେଉଷା ସମୟରେ ନିଅଣ୍ଟିଆ ବର୍ଷା କୃଷି ପାଇଁ ବିପଦ ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଥିବା ସେ କହିଛନ୍ତି। ବର୍ତ୍ତମାନ ମୌସୁମୀ ଟ୍ରଫ୍ ଲାଇନ୍‌ ହିମାଳୟ ପାଦଦେଶରେ ହିଁ ରହିଛି। ଏଥିପାଇଁ ମୌସୁମୀ ଦୁର୍ବଳ ରହିବ। କିନ୍ତୁ ଏବେ ଏକ ଉତ୍ତର-ଦକ୍ଷିଣ ଟ୍ରଫ୍ ଲାଇନ୍‌ ବିହାରରୁ ଉତ୍ତର ଉପକୂଳ ଓଡ଼ିଶା ଆଡ଼କୁ ଲମ୍ବିଛି। ଏହାର ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଯାଇଛି। ଆସନ୍ତାକାଲି ମଧ୍ୟ ଏହାର ପ୍ରଭାବରେ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ହୋଇପାରେ। ବିଶେଷ କରି ନବରଙ୍ଗପୁର, ରାୟଗଡ଼ା, କେନ୍ଦୁଝର, ବରଗଡ଼, ନୂଆପଡ଼, ମୟୂରଭଞ୍ଜ, ଗଜପତି, କନ୍ଧମାଳ, କଳାହାଣ୍ଡି ଓ ସୁନ୍ଦରଗଡ଼ ଆଦି ଜିଲ୍ଲାର କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ସମେତ କେନ୍ଦୁଝର ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ସର୍ବାଧିକ ବର୍ଷା ନବରଙ୍ଗପୁର ଜିଲ୍ଲାର ଝରିଗାମ୍‌ରେ ୧୦୦.୨ ମିମି ରେକର୍ଡ କରାଯାଇଛି। ଏହାପରେ କେନ୍ଦୁଝର ଜିଲ୍ଲା ହାଟଡିହି‌ରେ ୮୦.୧ ମିମି ଓ କେନ୍ଦ୍ରାପଡ଼ା ଡେରାବିସ୍‌ରେ ୭୨.୦ ମିମି ବର୍ଷା ହୋଇଯାଇଛି।

ସମ୍ବନ୍ଧିତ ଖବର