ଲମତାପୁଟ : କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକ୍ ଦେଇ ପ୍ରବାହିତ କୋଲାବ ନଦୀରୁ ଟିକରପଡ଼ା ଡାକଘରେ କାର୍ଯ୍ୟରତ ପୋଷ୍ଟ୍ମାଷ୍ଟର୍ ପ୍ରିୟଙ୍କା ପ୍ରହରାଜଙ୍କ ଶବ ଉଦ୍ଧାର କରାଯାଇଛି।
ସୂଚନା ଅନୁଯାୟୀ, ମାହାଙ୍ଗା ଗୋପାଳପୁର ଅଞ୍ଚଳର ପ୍ରିୟଙ୍କା ପ୍ରହରାଜ ଅନେକଦିନ ହେଲା କୋରାପୁଟ ଜିଲ୍ଲାର ବିଚ୍ଛିନ୍ନାଞ୍ଚଳ କୁହାଯାଉଥିବା ଟିକରପଡ଼ା ଡାକଘରେ କାର୍ଯ୍ୟରତ ଥିଲେ। ମା’ଙ୍କ ସହ ଟିକରପଡ଼ାରେ ହିଁ ରହୁଥିଲେ। ମାସକ ତଳେ ଛୁଟିରେ ଯାଇ କିଛିଦିନ ତଳେ ଫେରିବା ପରେ ପୁଣି କାର୍ଯ୍ୟରେ ଯୋଗ ଦେଇଥିଲେ। ଆଜି ସକାଳେ ମଧ୍ୟ ଡାକଘରକୁ ଯାଇଥିଲେ। ଅପରାହ୍ନରେ ହଠାତ୍ କାର୍ଯ୍ୟାଳୟରୁ ବାହାରି ଆସି ଟିକରପଡ଼ା ଘାଟରେ ନଦୀକୁ ଡେଇଁ ପଡ଼ିଥିଲେ। ସ୍ଥାନୀୟ ଲୋକ ଏହି ଦୃଶ୍ୟ ଦେଖିବା ପରେ ପାଣିରେ ପଶି ପ୍ରିୟଙ୍କାଙ୍କୁ ଉଦ୍ଧାର କରିଥିଲେ। ତୁରନ୍ତ ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ସୁଦ୍ଧା ଡାକ୍ତର ମୃତ ଘୋଷଣା କରିଥିଲେ।
ଖବର ପାଇ ପୁଲିସ ଡାକ୍ତରଖାନାରେ ପହଞ୍ଚିଛି। ତେବେ ପରିବାର ସଦସ୍ୟ କେହି ଏଠାରେ ନଥିବାରୁ ଶବ ଜବତ କରି ଅପେକ୍ଷା କରିଛି। ସୂଚନା ଦିଆଯିବାରୁ ପ୍ରିୟଙ୍କାଙ୍କ ବାପା ଆସୁଥିବା ପୁଲିସ କହିଛି। ପରିବାର ସଦସ୍ୟ ପହଞ୍ଚି ଲିଖିତ ଅଭିଯୋଗ ଦେଲେ ତଦନ୍ତ ପ୍ରକ୍ରିୟା ଆଗେଇବ। ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ୁନାହିଁ, ପରିବାର ସଦସ୍ୟଙ୍କୁ ପଚରାଉଚୁରା କଲେ ସୁରାକ ମିଳିବ ବୋଲି ପୁଲିସ ଆଶା କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/dead-1.jpg)