ଜଳେଶ୍ୱର: କୂଳ ଲଂଘୁଛି ସୁବର୍ଣ୍ଣରେଖା। ପ୍ରତିବର୍ଷ ସ୍ଥଳଭାଗକୁ ଗ୍ରାସ କରିଚାଲିଛି। ଏପରି ସ୍ଥିତି ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ୍‌ କୁଅଁରପୁର ଗାଁ’ରେ। ଯାହାକୁ ନେଇ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। କେତେବେଳେ ଯେ ସେମାନଙ୍କ ଘରଦ୍ବାର ନଦୀଗର୍ଭରେ ଲୀନ ହୋଇଯିବ, ସେହି ଚିନ୍ତା ସମସ୍ତଙ୍କୁ ଘାରୁଛି। କୁଆଁରପୁର ଗାଁ ପାଖ ଦେଇ ବୋହିଯାଇଛି ସୁବର୍ଣ୍ଣରେଖା। ଗତ ୫ ବର୍ଷ ହେଲା ଗତିପଥ ପରିବର୍ତ୍ତନ କରି ଏହି ନଦୀ ଗ୍ରାମର ରାଧାକାନ୍ତ ଘୋଷଙ୍କ ଘରବାଡ଼ି ନିକଟ ଜାଗାକୁ ଅକ୍ତିଆର କରିନେଲାଣି। ୨୦୨୨ ମସିହାରୁ ଅଦ୍ୟାବଧି ପାଖାପାଖି ୫ ଶହ ମିଟର ଦୂରରୁ ଏକର ଏକର ସ୍ଥଳଭାଗ ନଦୀଗର୍ଭକୁ ଚାଲିଯାଇଛି। ବର୍ଷାଦିନେ ନଦୀର ଜଳପତ୍ତନ ବୃଦ୍ଧି ପାଇଲେ ବଡ଼ ବଡ଼ ଅତଡ଼ା ଖସୁଛି। ସମସ୍ୟାର ସମାଧାନ ପାଇଁ ପକାଯାଇଥିବା ବାଲି ବସ୍ତା ସବୁ ଧୋଇଗଲାଣି।

Advertisment

କୁଅଁରପୁରରେ ବହୁବର୍ଷ ପୂର୍ବେ ତିଆରି ହୋଇଥିବା ପଥରବନ୍ଧର ଚିହ୍ନବର୍ଣ୍ଣ ନାହିଁ। ତଟ ସୁରକ୍ଷା ଏବଂ ଲୋକଙ୍କ ଧନଜୀବନ ସୁରକ୍ଷା ପାଇଁ ବିଭିନ୍ନ ସମୟରେ ଦାବି ହୋଇଆସିଛି। କିଛି ବର୍ଷ ମଧରେ ଜଳସମ୍ପଦ ବିଭାଗର ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଗାଁ’କୁ ଏକାଧିକ ଥର ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। କୂଳ ଖାଉଥିବା ୪ ଶହ ମିଟର ସ୍ଥାନରେ ଲଞ୍ଚିଂ-ପେକିଂ ସହ ୩ଟି ସ୍ପର୍‌ ନିର୍ମାଣ ବାବଦରେ ୧୦ କୋଟି ଟଙ୍କାର ପ୍ରସ୍ତାବିତ ପ୍ରକଳ୍ପ ରହିଛି। ହେଲେ, ଏଯାଏ ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରିନି। ଏପରି ସମୟରେ ଲୋକଙ୍କ ସୁରକ୍ଷା ପାଇଁ ସରକାର ତୁରନ୍ତ ବିହିତ ପଦକ୍ଷେପ ନେବା ଉଚିତ ବୋଲି ବୁଦ୍ଧିଜୀବୀମାନେ କହୁଛନ୍ତି।

ଏ ନେଇ ଜଳସମ୍ପଦ ବିଭାଗର ଜଳେଶ୍ୱରସ୍ଥିତ ଉପଖଣ୍ଡ ଯନ୍ତ୍ରୀ ପ୍ରିୟବ୍ରତ ସିଂହ କହିଛନ୍ତି, ପ୍ରକଳ୍ପ ପାଇଁ ବୈଷୟିକ ପରାମର୍ଶଦାତା କମିଟିର ଅନୁମୋଦନ ମିଳିସାରିଛି। ବାଲେଶ୍ବର ଏସ୍‌ଇ ପ୍ରଭାସ ଚନ୍ଦ୍ର ପ୍ରଧାନ କହିଛନ୍ତି, ରାଜ୍ୟ ମୁଖ୍ୟ ଇଂଜିନିୟରଙ୍କ କାର୍ଯ୍ୟାଳୟରେ ପ୍ରକଳ୍ପ ଅଟକିଛି। ଖୁବ୍‌ଶୀଘ୍ର ଟେଣ୍ଡର ଡକାଯାଇ କାମ ଆରମ୍ଭ ହେବ।