ସରକାରୀ ଧାର୍ଯ୍ୟ ମୂଲ୍ୟ ନେବାକୁ ଜମି ମାଲିକ ଅମଙ୍ଗ

ତୃତୀୟ ରେଳପଥ ନିର୍ମାଣ ଜମିଅଧିଗ୍ରହଣ ପାଇଁ ଆଲୋଚନା

ରୁପ୍ରା: ନର୍ଲା ବ୍ଲକ୍‌ରେ ତୃତୀୟ ରେଳପଥ ନିର୍ମାଣ ପାଇଁ କାମ ଚାଲିଥିବା ବେଳେ ରୁପ୍ରାରୋଡ଼ ପଞ୍ଚାୟତ ଅନ୍ତର୍ଗତ ବରଗାଁ ଗ୍ରାମର ପ୍ରାୟ ୧୨ ଜଣ ବ୍ୟକ୍ତିଙ୍କ ୭୩ ଡିସିମିଲ ଜମି ମଧ୍ୟରୁ ୩୦ ଡିସିମିଲ ଜମି ପାଇଁ ସରକାରୀ ଧାର୍ଯ୍ୟ ମୂଲ୍ୟକୁ ନେଇ ବିବାଦ ଦେଖା ଦେଇଛି। ଏହାର ସମାଧାନ ପାଇଁ ଶନିବାର ନର୍ଲା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ ସମସ୍ତ ଜମି ମାଲିକଙ୍କୁ ଡାକି ତହସିଲ ଅଫିସ ପରିସରରେ ଏକ ବୈଠକର ଆୟୋଜନ କରାଇଥିଲେ। ଏଥିରେ ଲାଞ୍ଜିଗଡ଼ ତହସିଲଦାର ମୁନିନ୍ଦ୍ର ହୋନାଙ୍ଗା, ଲାଞ୍ଜିଗଡ଼ ରାଜସ୍ବ ପର୍ଯ୍ୟବେକ୍ଷକ ଅରୁଣ ମାଝୀ, ନର୍ଲା ଏସ୍‌ଡିପିଓ ରେଣୁକା ସୁନାଙ୍କ ସମେତ ରେଳ ବିଭାଗର ଏନ୍. ରାଜୁ ଓ ମୁରଲୀ ମୋହନ ତଥା ସମସ୍ତ ଜମି ମାଲିକ ଉପସ୍ଥିତ ଥିଲେ। ଏହି ଅବସରରେ ନର୍ଲା ତହସିଲଦାର ଶ୍ରୀ ତ୍ରିପାଠୀ ଜମି ମାଲିକମାନଙ୍କୁ ବୁଝାସୁଝା କରିଥିଲେ।

ମାତ୍ର ସେମାନେ ସରକାରୀ ଧାର୍ଯ୍ୟ ମୂଲ୍ୟ ନେବାକୁ ରୋକଠୋକ୍ ମନା କରିଥିଲେ। ସମସ୍ତ ଅଧିକାରୀ ଜମି ମାଲିକମାନଙ୍କୁ ବହୁତ ବୁଝାଇବା ପରେ ମଧ୍ୟ ସେମାନେ ଅଧିକ ମୂଲ୍ୟ ପାଇଁ ଦାବି କରିଥିଲେ ଓ ଦରକାର ହେଲେ କୋର୍ଟର ଆଶ୍ରୟ ନେବା ପାଇଁ କହି ବୈଠକରୁ ଚାଲି ଯାଇଥିଲେ। ଜମି ମାଲିକମାନେ ଅସନ୍ତୁଷ୍ଟ ଥିବାରୁ ପ୍ରାୟ ୩୦୦ ମିଟର କାମ ଅଟକି ରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର