ତହସିଲଦାର ୪୨୦: ଜାଲିଆତି କରି ମୃତ ଲୋକଙ୍କ ଜମି ହଡ଼ପ୍‌, ଥାନାରେ ମାମଲା ରୁଜୁ

ବଲାଙ୍ଗୀର : ତହସିଲଦାର ୪୨୦। ବଲାଙ୍ଗୀର ସଦର ଥାନାରେ ଦଫା ୪୨୦, ୪୬୮, ୪୭୧, ୩୪ ଧାରାରେ ରୁଜୁ ହୋଇଥିବା ମାମଲା (ନଂ. ୨୪୯) ଏହା କହୁଛି। ଏକ ସାଙ୍ଘାତିକ ଜମି କେଳେଙ୍କାରୀର ମାଷ୍ଟରମାଇଣ୍ଡ ସାଜିଛନ୍ତି ଖୋଦ୍‌ ବଲାଙ୍ଗୀର ତହସିଲଦାର ମଘବାନ ବାଗ। ୯ ଜଣଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାରେ ଅଭିଯୁକ୍ତ ରହିଛନ୍ତି ତହସିଲଦାର। ମୃତ ବ୍ୟକ୍ତିଙ୍କ ଜମି ହଡ଼ପ କରି ଏବେ ତହସିଲଦାର ୪୨୦ ମାମଲାରେ ଛନ୍ଦି ହୋଇଛନ୍ତି।
ଅଭିଯୋଗ ଅନୁସାରେ, ଜିଲ୍ଲା ସଦର ମହକୁମାରେ ଜମି କେଳେଙ୍କାରୀର ନେତୃତ୍ୱ ନେଇଛନ୍ତି ତହସିଲଦାର। ନିଜ ଅଧିକାରୀ, କର୍ମଚାରୀ ଓ ଦଲାଲ ଲଗାଇ ମୃତ ଲୋକଙ୍କ ନାଁରେ ତିଆରି କରାଯାଇଛି ପରିଚୟପତ୍ର। ନକଲି ଲୋକଙ୍କୁ ଅସଲି ଦର୍ଶାଇ ଅନ୍ୟ ଲୋକଙ୍କ ନାଁରେ ଜମି ବିକ୍ରି କରାଯାଇଛି। କିଛି ଜମି ଅନ୍ୟ ଖାତାକୁ ବି ଚାଲିଗଲାଣି। ଯାହା କରିବା ପାଇଁ ତହସିଲଦାରଙ୍କ ଡିଜିଟାଲ ସ୍ବାକ୍ଷର ବାଧ୍ୟତାମୂଳକ। ଆଉ ସବୁ ହେଲା ପରେ ମ୍ୟୁଟେସନ୍‌ ହୋଇ ପଟ୍ଟା ବି ବାହାରି ସାରିଲାଣି। ସବୁଥିରେ ରହିଛି ତହସିଲଦାରଙ୍କ ସ୍ୱାକ୍ଷର। ପ୍ରାଥମିକ ପ୍ରମାଣ ପାଇବା ପରେ ତହସିଲଦାରଙ୍କ ବିରୋଧରେ ବଲାଙ୍ଗୀର ସଦର ଥାନାରେ ରୁଜୁ ହୋଇଛି ମାମଲା।

ଏହି ଚର୍ଚ୍ଚିତ ଜମି ହଡ଼ପ ଘଟଣାଟି ଏମିତି- ଜମି ବିକ୍ରେତା ହେଉଛନ୍ତି ମୃତ ହର୍ଷ ଷାଣ୍ଢ। ସଦର ଥାନା ଆଦର୍ଶ ସ୍କୁଲ ପଛପଟ ଧୁମାମରା ମୌଜାରେ ତାଙ୍କର ଜମି। ଜମି କିଣିଛନ୍ତି ଲବଣୀ ପୃଷ୍ଟି। ଏଠି ଦଲିଲ୍‌ ନକଲି ନୁହେଁ। କ୍ରେତା ବି ନକଲି ନୁହେଁ। କିନ୍ତୁ ଦୁଇ ଅସଲି ଭିତରେ ଗୋଟିଏ ନକଲି ତାହା ହେଉଛନ୍ତି ବିକ୍ରେତା ମୃତ ହର୍ଷ। ଅସଲି ଜମି ମାଲିକ ହର୍ଷ ଷାଣ୍ଢଙ୍କର ଗତ ୨୦୦୫ ମସିହାରୁ ମୃତ୍ୟୁ ହୋଇସାରିଛି। ତାଙ୍କ ମୃତ୍ୟୁର ପ୍ରମାଣପତ୍ର ବି ରହିଛି। କିନ୍ତୁ ହର୍ଷ ଷାଣ୍ଢଙ୍କ ଜାଗାରେ ଅନ୍ୟ ଏକ ଗାଁର ଜଣେ ବୃଦ୍ଧଙ୍କ ଫଟୋ ଲଗାଇ ତାଙ୍କୁ ହର୍ଷ ଷାଣ୍ଢ ସଜାଇ ଦିଆଯାଇଛି। ନକଲି ହର୍ଷ ଷାଣ୍ଢ ସ୍ୱାକ୍ଷର ଜାଣିଥିଲେ ବି ତାଙ୍କଠାରୁ ଟିପ ଚିହ୍ନ ନିଆଯାଇଛି। ସବୁ କିଛି ଜାଲିଆତି କରି ଏକର ୦.୫୦ ଡିସିମିଲ ଜାଗାକୁ ଗତ ୨୦୨୧ ମସିହା ମାର୍ଚ୍ଚ ୩ ତାରିଖରେ ଲବଣୀ ପୃଷ୍ଟିଙ୍କ ନାଁରେ ରେଜିଷ୍ଟ୍ରି କରାଯାଇଛି। ଘଟଣା ସଂପର୍କରେ ବହୁ ଦିନ ପରେ ମୃତ ହର୍ଷଙ୍କ ପରିବାର ଲୋକ ଏକଥା ଜାଣିଲେ। ତହସିଲଦାରଙ୍କୁ ଜଣାଇଥିଲେ। କିନ୍ତୁ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଲବଣୀ ପୃଷ୍ଟି ଓ ତାଙ୍କ ସ୍ୱାମୀ ମାଧବ ପୃଷ୍ଟିଙ୍କୁ ସବୁ କିଛି ଖବର ଦେଉଥିଲେ ତହସିଲଦାର। ତେଣୁ ଶେଷରେ ବଲାଙ୍ଗୀର ତହସିଲଦାରଙ୍କ ବିରୋଧରେ ସଦର ଥାନାରେ ହର୍ଷଙ୍କ ପୁଅ ଅଭିଯୋଗ କରିଥିଲେ।

ମୃତ ହର୍ଷଙ୍କ ତୃତୀୟ ବୋହୂ ହେଉଛନ୍ତି ଅହଲ୍ୟା ଷାଣ୍ଢ। ତିନି ଭାଇ ଭିତରେ ଭାଗ ହେବାକୁ ଥିବା ଏହି ଜମି ଖଣ୍ଡକ ଅହଲ୍ୟାଙ୍କ ସାହାଭରସା ଥିଲା। ହେଲେ ତାହା ବି ଅଜାଣତରେ ଚୋରି ହୋଇଗଲା। ମୃତ ହର୍ଷଙ୍କ ବଡ଼ପୁଅ ଲାଲ ଷାଣ୍ଢ କହିଛନ୍ତି, ଗରିବ ଲୋକ ହୋଇଥିବାରୁ ତହସିଲଦାର ଏଭଳି କାରନାମା କରିଛନ୍ତି। ମୃତ ହର୍ଷଙ୍କ ନାତି ବିକାଶ ଷାଣ୍ଢ କହିଛନ୍ତି, ଜମି ହରାଇ ପୂରା ପରିବାର ଚିନ୍ତାରେ ରହିଛୁ। ଜମି ନପାଇଲେ ତହସିଲ କାର୍ଯ୍ୟାଳୟକୁ ଯାଇ ସାମୂହିକ ଆତ୍ମହତ୍ୟା କରିବେ ବୋଲି ସେ କହିଛନ୍ତି।

ନକଲି ଜମି ବିକ୍ରେତା କିଏ ସେ ସଂପର୍କରେ ଖବର ନେବାରୁ ଆଉ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ନକଲି ଜମି ବିକ୍ରେତା ହେଉଛନ୍ତି ବଲାଙ୍ଗୀର ସହରରୁ ଦଶ କିମି ଦୂର ସିକାବେହେଙ୍ଗା ଗ୍ରାମର ଉତ୍ତମ ନାଗ। ସେ ଜଣେ ଦିନ ମଜୁରିଆ ହୋଇଥିବା ବେଳେ ତାଙ୍କୁ ଭୁତାଇ ଜମି କିଣାରେ ସାକ୍ଷୀ ହେବାକୁ ଜ୍ୱାଇଁପୁଅ ଘରୁ ଡାକି ନେଇଯାଇଥିଲେ ବୋଲି ସେ କହିଛନ୍ତି।

ଏଭଳି ଜମି ଲୁଟ୍‌କୁ ନେଇ ଜିଲ୍ଲାପାଳଙ୍କୁ ପଚାରିବାରୁ ଘଟଣାର ତଦନ୍ତ ଚାଲିଛି ଓ କାର୍ଯ୍ୟାନୁଷ୍ଠାନ ପରେ ସବିଶେଷ ପ୍ରତିକ୍ରିୟା ଦେବେ ବୋଲି ସେ କହିଥିଲେ। ତହସିଲଦାର ମଘବାନ ବାଗଙ୍କୁ ପଚାରିବାରେ ଏଥିରେ ତାଙ୍କର କୌଣସି ସଂପୃକ୍ତି ନାହିଁ। ତେବେ ଏ ସଂକ୍ରାନ୍ତରେ ଆରଆଇମାନଙ୍କୁ ଚିଠି କରିଛି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର