ଯାଜପୁର/କୁହିକା: ଉନ୍ନତ ମାନର ବିହନ ଉତ୍ପାଦନ ପାଇଁ ଦିନେ ଏସିଆ ମହାଦେଶରେ ପ୍ରସିଦ୍ଧି ଲାଭ କରିଥିବା ସୁକିନ୍ଦା କୃଷି ଫାର୍ମ ଏବେ ଘାସ ପଡ଼ିଆ। ୩ ବର୍ଷ ହେଲା ଫାଟକରେ ଝୁଲୁଛି ତାଲା। ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଜଗୁଛନ୍ତି। ଫଳରେ ସରକାରୀ ଦୀର୍ଘ ମିଆଦି କୃ୍ଷି ବିକାଶ ଯୋଜନା ତୃଣମୂଳରେ ସଂପୂର୍ଣ୍ଣ ଦିଗହରା ହୋଇପଡ଼ିଛି। ସୁକିନ୍ଦା ବ୍ଲକ୍ ଦାମୋଦରପୁରରେ ଥିବା ସର୍ବବୃହତ୍ କୃଷି ବିହନ ଫାର୍ମର ୧୦୮.୬ ହେକ୍ଟର ଚାଷଜମିରେ ଡାଲି ଓ ତୈଳବୀଜ ଜାତୀୟ ଚାଷ ପାଇଁ ରାଜ୍ୟ ସରକାର ଯୋଜନା କରିଥିଲେ। ଏଥି ପାଇଁ ୨୦୧୬ ଜୁନ୨୩ରେ ରାଜ୍ୟ ସରକାର ରାଷ୍ଟ୍ରାୟତ୍ତ ସଂସ୍ଥା ଜାତୀୟ ବିହନ ନିଗମ (ଏନ୍ଏସ୍ସିଏଲ୍) ସହ ୧୫ ବର୍ଷ ପାଇଁ ଚୁକ୍ତି କରିଥିଲେ। ଜୀବିକା ବିପନ୍ନ ହେବା ଆଶଙ୍କାରେ ସେହି ସମୟରେ ଶ୍ରମିକମାନେ ସୁକିନ୍ଦା ଠାରୁ ରାଜଧାନୀ ପର୍ଯ୍ୟନ୍ତ ପ୍ରତିବାଦ କରିଥିଲେ। ମାତ୍ର ସେମାନଙ୍କ କଥାକୁ କେହି କର୍ଣ୍ଣପାତ କରି ନଥିଲେ। ବରଂ ଏନ୍ଏସ୍ସିଏଲ୍ ଦ୍ୱାରା ନିୟୋଜିତ ଝାଡ଼ଖଣ୍ଡ ଠିକାସଂସ୍ଥା ଗୋବିନ୍ଦ ଇଞ୍ଜିନିୟରିଂ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଯୋଜନା କରି ଶ୍ରମିକଙ୍କୁ ଭାଗ ଭାଗ କରିବା ସହ ପ୍ରାୟ ୨୦ ଜଣ ମହିଳା ଶ୍ରମିକଙ୍କ ନାମରେ ମାମଲା କରିଥିଲେ।
ଖତ ଖାଉଛି ଯନ୍ତ୍ରାଂଶ, ଚରୁଛନ୍ତି ଗୋରୁ
ହାତ ଛାଡ଼ିଦେଲା ଜାତୀୟ ବିହନ ନିଗମ
ଫାଟକ ଜଗିଛନ୍ତି ଚତୁର୍ଥ ଶ୍ରେଣୀ କର୍ମଚାରୀ
ଖଣି-ଶିଳ୍ପାଞ୍ଚଳରେ ଚାଷୀମୂଲିଆଙ୍କ ଜୀବିକା ବିପନ୍ନ
ପ୍ରାୟ ୪୦ ହେକ୍ଟର ଜମିରେ ଧାନ ଚାଷ କରିଥିଲେ। ଠିକାସଂସ୍ଥାର ବିଶେଷ ଲାଭ ହୋଇପାରି ନଥିଲା। ୩ ବର୍ଷରେ ତିନିଟି ଠିକାସଂସ୍ଥା କ୍ଷେତ୍ର ଛାଡ଼ି ଚାଲିଯିବା ପରେ ୨୦୧୯ ରୁ ବିହନ ଫାର୍ମରେ ତାଲା ପଡ଼ିଛି। ଏ ସଂପର୍କରେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ ବିଧାନସଭାରେ ପ୍ରଶ୍ନ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ୨୦୨୧ ଏପ୍ରିଲ ୨୦ରେ ଜିଲ୍ଲାପାଳ ଚକ୍ରବର୍ତ୍ତୀସିଂ ରାଠୋର ଓ ପ୍ରକଳ୍ପ ନିର୍ଦ୍ଦେଶକ ଉଜୁଡ଼ା ବିହନଫାର୍ମ ପରିଦର୍ଶନ କରିଥିଲେ। ଏହାପରେ ସ୍ଥାନୀୟ ଅଞ୍ଚଳବାସୀ ଓ କାମଧନ୍ଦା ହରାଇଥିବା ଚାଷୀ ମୂଲିଆଙ୍କ ମନରେ ନୂତନ ଆଶା ସଂଚାର ହୋଇଥିଲାl ସେମାନଙ୍କ ଆଶା ଆଜିପର୍ଯ୍ୟନ୍ତ ପୂରଣ ହୋଇପାରିଲା ନାହିଁ।
୧୯୪୮ମସିହାରୁ ରାଜ୍ୟ ସରକାରଙ୍କ କୃଷି ବିଭାଗ ଦ୍ୱାରା ଫାର୍ମ ପରିଚାଳିତ ହୋଇଆସୁଥିଲା। ଏକଦା ଏଠାରେ ୩ ହଜାର ଚାଷୀ ଓ ଶ୍ରମିକ କାମ କରୁଥିଲେ। ୫୭୬ ହେକ୍ଟର ପରିମିତ ଜମିରେ ଧାନ, ମୁଗ, ମାଣ୍ଡିଆ, ବାଜରା, ମକା, ଗହମ, ଚିନାବାଦାମ, ମୁଗ, ବିରି, କୋଳଥ, ସୂର୍ଯ୍ୟମୁଖୀ ଆଦି ଚାଷ ସହ ଉନ୍ନତ ମାନର ବିହନ ଉତ୍ପାଦନ ହେଉଥିଲା। ଏଥିପାଇଁ ପ୍ରସିଦ୍ଧି ଲାଭ କରିଥିଲା। ୧୯୯୨ ମସିହାରେ ଫାର୍ମର ୫୭୬ ହେକ୍ଟର ଜମିରୁ ୩୪୭ ହେକ୍ଟର ଜମିକୁ ଉଦ୍ୟାନ ବିଭାଗକୁ ହସ୍ତାନ୍ତର କରାଯିବା ପରେ ସଙ୍କୁଚିତ ହୋଇ ପ୍ରାୟ ୨୩୦ ହେକ୍ଟରରେ ପହିଞ୍ଚିଲା। ଫାର୍ମ କାର୍ଯ୍ୟାଳୟ, କର୍ମଚାରୀ କକ୍ଷ, ଖଳା, କ୍ଷେତ ମଧ୍ୟକୁ ରାସ୍ତା, ସଂରକ୍ଷିତ ଜଙ୍ଗଲ, ୫ଟି ପୋଖରୀକୁ ଛାଡ଼ି ଅବଶିଷ୍ଟ ଚାଷଜମି। କୃଷି ବିଭାଗର ଚରମ ଅବହେଳା ସାଙ୍ଗକୁ କ୍ରୋମ ଉତ୍ତୋଳନ ଓ କଳିଙ୍ଗନଗରରେ ଇସ୍ପାତ କାରଖାନା ଯୋଗୁଁ ଲୋକମାନେ ସବୁଜ ବିପ୍ଲବରୁ ମୁହଁ ଫେରାଇଥିଲେ। ଏବେ ଖଣିଖାଦାନ ଓ ଶିଳ୍ପରେ ନିଯୁକ୍ତି ଆଶା ହରାଇ କୃଷି ଆଡ଼କୁ ଯୁବକମାନେ ମୁହାଁଉଥିବା ବେଳେ ବିହନ ଫାର୍ମରେ ତାଲା ପଡ଼ିଛି। ଏହି ବିହନ ଫାର୍ମର ପୁନରୁଦ୍ଧାର ପାଇଁ ବିଭିନ୍ନ ମହଲରେ ଦାବି ହେଉଛି।