ରିତେନ୍ଦ୍ର ଛାଟୋଇ
ବାଲେଶ୍ବର: ଚଳିତବର୍ଷ ଜୁନ୍‌ ୨୦ରେ ସୁବର୍ଣ୍ଣରେଖାରେ ଆସିଥିଲା ପ୍ରଥମ ବନ୍ୟା। ଚାଷୀ ଠିକ୍‌ ଚାଷ କାମ ଆରମ୍ଭ କରିବା ସମୟରେ ବାଧା ଦେଇଥିଲା ବନ୍ୟା। ଏହାପରେ ଚାଷୀ ନିଜକୁ ପ୍ରସ୍ତୁତ କରୁଥିବା ବେଳେ ଜୁନ୍‌ ୨୮ରେ ଆସିଲା ଦ୍ବିତୀୟ ବନ୍ୟା। ଏଥିରୁ ମୁକୁଳିଛି କି ନାହିଁ ଜୁଲାଇ ୯ରେ ସୁବର୍ଣ୍ଣ‌ରେଖାରେ ଆସିଲା ତୃତୀୟ ବନ୍ୟା। କେବଳ ଏତିକିରେ ପ୍ରକୃତିର ପ୍ରକୋପ ସରିଲାନି। ଜୁଲାଇ ୧୬ରେ ଚତୁର୍ଥ, ୨୭ରେ ପଞ୍ଚମଥର ବନ୍ୟା ଆସି ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଲା। ଏହାପରେ ଅଗଷ୍ଟ ୨୪ରେ ସୁବର୍ଣ୍ଣରେଖାରେ ଚଳିତ ବର୍ଷର ଷଷ୍ଠ ବନ୍ୟା ଉତ୍ତର ବାଲେଶ୍ବରର ବସ୍ତା, ଭୋଗରାଇ, ବାଲିଆପାଳ, ଜଳେଶ୍ବର ବ୍ଲକ୍‌ର ଚାଷୀଙ୍କ ସ୍ବପ୍ନକୁ ଧୋଇନେଇଛି। ଦୁଇମାସ ମଧ୍ୟରେ ଲଗାତାର ୬ ଥର ବନ୍ୟା ହେବା ୫୦ ବର୍ଷ ମଧ୍ୟରେ ପ୍ରଥମ ଘଟଣା ବୋଲି କୁହାଯାଉଛି। ୧୯୭୨ ମସିହା ବନ୍ୟା ପରେ ଚଳିତ ବର୍ଷ ଏଭଳି ୬ଥର ବନ୍ୟା ହୋଇଥିବା‌ ଚାଷୀମାନେ କହିଛନ୍ତି।

Advertisment

ପଡ଼ିଆ ପଡ଼ିବ ୫୦୦ ହେକ୍ଟରରୁ ଅଧିକ ଜମି
ଚାଷୀଙ୍କୁ କ୍ଷତିପୂରଣ ଦେବାରେ ନିୟମ ସାଜିଛି ବାଧକ
‘୧୯୭୨ ପରେ ଏଭଳି ବନ୍ୟା ଦେଖିନଥିଲୁ’

ଗତକାଲିଠାରୁ ବନ୍ୟାର ପ୍ରକୋପ କମିଯାଇଛି। ତେବେ, ଏହାର ପ୍ରଭାବ ଏବେ ବି ଉତ୍ତର ବାଲେଶ୍ବରର ଚାଷୀଙ୍କ ଉପରେ ରହିଛି। ଆଜି ‘ସମ୍ବାଦ’ ‘ଗ୍ରାଉଣ୍ଡ ଜିରୋ’ରୁ ତଥ୍ୟ ସଂଗ୍ରହ କଲାବେଳେ ଜଣାପଡ଼ିଛି। ସ୍ଥାନୀୟ ଚାଷୀ, ଜନ ପ୍ରତିନିଧିମାନଙ୍କ ଆକଳନ ଅନୁଯାୟୀ ପ୍ରଭାବିତ ବ୍ଲକ୍‌ ଗୁଡ଼ିକରେ ପ୍ରାୟ ୫୦୦ ହେକ୍ଟରରୁ ଅଧିକ ଜମି ଚଳିତ ବର୍ଷ ପଡ଼ିଆ ପଡ଼ିବ। ଶେଷଥର ପାଇଁ ଯେଉଁ ତଳି ପକାଇଥିଲୁ ଏବଂ ଧାନ ରୋଇଥିଲୁ, ତାହା ଏହି ବନ୍ୟାରେ ସମ୍ପୂର୍ଣ୍ଣ ଧୋଇଯାଇଛି ବୋଲି କହିଛନ୍ତି ବାଲିଆପାଳ ବ୍ଲକ୍‌ କୁଦମାନସିଂ ଗ୍ରାମର ଚାଷୀ ଅନାଦି ପାତ୍ର, ଗଗନ ପାତ୍ର, ଗୋପବନ୍ଧୁ ପାତ୍ର, ଅଶୋକ ପାତ୍ର ପ୍ରମୁଖ। ଅଗଷ୍ଟ ମାସ ଶେଷ ହେବାକୁ ଯାଉଥିବା ବେଳେ ଏବେ ତଳି ପକାଇବା, ରୁଆ ପାଇଁ ଆଉ ସମୟ ଅନୁକୂଳ ନୁହେଁ। ଏହାସହିତ  ଆମ ନିକଟରେ ଆଉ ବିହନ ବି ନାହିଁ ବୋଲି ପ୍ରଭାବିତ ଅଞ୍ଚଳର ଚାଷୀ କହିଛନ୍ତି।  

ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଏବେ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲେ ମଧ୍ୟ ଚାଷୀଙ୍କୁ ସରକାରୀ ସହାୟତା ମିଳିବା ସମ୍ଭାବନା ନାହିଁ। କାରଣ ଧାନତଳି, ସଦ୍ୟ ରୁଆ ଯାଇଥିବା ଧାନଗଛ ବନ୍ୟାରେ ନଷ୍ଟ ହେଲେ ଏସ୍‌ଆର୍‌ସିଙ୍କ ନିୟମାବଳୀ ଅନୁଯାୟୀ ଚାଷୀଙ୍କୁ କ୍ଷତିପୂରଣ ଦେବାର ବ୍ୟବସ୍ଥା ନଥାଏ। ଏହି ନିୟମ ଆଧାରରେ ଗତ ବନ୍ୟାରେ ଫସଲ କ୍ଷତି ସଂପର୍କିତ ରିପୋର୍ଟ ଜିଲ୍ଲା କୃଷି କାର୍ଯ୍ୟାଳୟ ପକ୍ଷରୁ ପ୍ରଦାନ କରାଯାଇ ନଥିଲା। ଜୁନ୍‌, ଜୁଲାଇ ମଧ୍ୟ ଭାଗରେ ଏଭଳି ସମସ୍ୟା ହୋଇଥିବାରୁ ପୁନର୍ବାର ଚାଷ କରିପାରିବାର ଆଶା ଥିବାରୁ ରିପୋର୍ଟ ଦିଆଯାଇନଥିବା ଜିଲ୍ଲା କୃଷି କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନରେ ସରକାରୀ ନିୟମ ବାଧକ ସାଜିଥିବାରୁ ଗତ ଦିଶା ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ତୁଷାରକାନ୍ତ ତୁଙ୍ଗଙ୍କୁ ପଚାରିବାରୁ ଏଭଳି ନିୟମ ଥିବା ସ୍ବୀକାର କରିଛନ୍ତି। କ୍ଷୟକ୍ଷତିର ଆକଳନ ଚାଲିଛି, ଚାଷୀ ହାତରେ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଚାଷ କରିବାର ସୁଯୋଗ ଥିବା ସେ କହିଛନ୍ତି।