ଫୋକସ୍‌ରେ ଶେଷ ପର୍ଯ୍ୟାୟ: ପ୍ରଚାର ମଇଦାନକୁ ଓହ୍ଲାଇବେ ମୋଦୀ, ଶାହ, ରାହୁଲ, ଖଡ୍‌ଗେ

ବିଜେଡି ଗଡ଼ ଭାଙ୍ଗିବାକୁ ବିଜେପି ଓ କଂଗ୍ରେସର ରଣନୀତି, ପୁଣି ଦୁଇଦିନିଆ ପ୍ରଚାରରେ ଆସୁଛନ୍ତି ହିମନ୍ତ ବିଶ୍ବଶର୍ମା

‌ଭୁବନେଶ୍ବର: ଜୁନ୍‌ ୧ରେ ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ହେବ। ଏଥିରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଲୋକସଭା ଆସନ ଏବଂ ଏହା ଅଧୀନସ୍ଥ ୪୨ଟି ବିଧାନସଭା ଆସନରେ ମତଦାନ ହେବ। ୨୦୧୯ ନିର୍ବାଚନ ଫଳାଫଳ ଦେଖିଲେ ୬ଟି ଯାକ ଲୋକସଭା ଆସନରୁ ବିଜେପି ମୟୂରଭଞ୍ଜ ଓ ବାଲେଶ୍ବର ଜିତିଥିବାବେଳେ ବିଜେଡି ବାକି ୪ଟି ଜିତିଥିଲା। ହେଲେ ବିଧାନସଭା ନିର୍ବାଚନରେ ବିଜେଡି ୩୩ଟି ଆସନ ବାଜି ମାରିନେଇଥିବାବେଳେ ବିଜେପି ମାତ୍ର ୯ଟି ଆସନ ଜିତିଥିଲା। କଂଗ୍ରେସ କେଉଁଠି ବି ଖାତା ଖୋଲିପାରିନଥିଲେ ହେଁ କେତେକ ଆସନରେ କଡ଼ା ଲଢ଼େଇ କରିଥିଲା। ଏହାବାଦ୍ ବିଜେଡି ୨୦୨୦ ଉପନିର୍ବାଚନରେ ବାଲେଶ୍ବର ବିଧାନସଭା ଆସନକୁ ବିଜେପିଠୁ ଛଡ଼ାଇ ଆଣିଥିଲା।

ଷଷ୍ଠ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ଆସନଗୁଡ଼ିକରେ ବିଜେଡି ପୂର୍ବରୁ ଭଲ ପ୍ରଦର୍ଶନ କରିଥିବାରୁ ଏଥର ବି ସମାନ ଧାରା ବଜାୟ ରଖିବାକୁ ଉଦ୍ୟମ ଚଳାଇଛି। କିନ୍ତୁ ମୟୂରଭଞ୍ଜ ଓ ବାଲେଶ୍ବରରେ ଗତ ଥର ଭଲ ପ୍ରଦର୍ଶନ କରିଥିବା ବିଜେପି ମଧ୍ୟ ଏଥର ବିଜେଡିକୁ ସହଜରେ ଛାଡ଼ିବା ମୁଡ୍‌ରେ ନାହିଁ। ଏଥିପାଇଁ ଦଳର ମୁଖ୍ୟ ପ୍ରଚାରକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପୁଣି ନିର୍ବାଚନ ମଇଦାନକୁ ଓହ୍ଲାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୯ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ମୋଦୀ ବାରିପଦାର ଛଉ ପଡ଼ିଆରେ ମଧ୍ୟାହ୍ନ ୧୨ଟା ୩୦ରେ ଜନସଭାକୁ ସମ୍ବୋଧନ କରିବେ। ଏହାପରେ ଅପରାହ୍ନ ୨ଟାରେ ବାଲେଶ୍ବରର ରେମୁଣାସ୍ଥିତ ନରହରି ପଡ଼ିଆରେ ଏବଂ ଅପରାହ୍ନ ୪ଟାରେ କେନ୍ଦ୍ରାପଡ଼ାର ବରୁଆ ପଡ଼ିଆରେ ବିଜୟ ସଂକଳ୍ପ ସମାବେଶରେ ସମ୍ବୋଧନ କରିବେ।

ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସନ୍ତା ୨୮ତାରିଖରେ ଚାନ୍ଦବାଲିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ। ଚାନ୍ଦବାଲିରେ ପୂର୍ବାହ୍ନ ୧୦ଟା ୪୫ରେ, ପରେ କୋରେଇ ନିର୍ବାଚନମଣ୍ଡଳୀର ପାଣିକୋଇଲି ଠାରେ ଏବଂ ଅପରାହ୍ନ ୩ଟାରେ ନିମାପଡ଼ାର ବାରବାଟୀ ପଡ଼ିଆରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ଓଡ଼ିଶାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ଭଲ କ୍ରେଜ୍ ଥିବାରୁ ରାଜ୍ୟ ବିଜେପି ପୁଣି ତାଙ୍କୁ ଦୁଇ ଦିନି ପ୍ରଚାର କରିବାକୁ ଆଣୁଛି। ‌ହିମନ୍ତ ୨୭ରେ ପୂର୍ବାହ୍ନ ୧୧ଟା ୧୫ରେ ଭଦ୍ରକର ଇଚ୍ଛାପୁର ଡଙ୍ଗୁଆସାହି ପଡ଼ିଆ, ମଧ୍ୟାହ୍ନ ୧୨ଟା ୪୫ରେ ବିଞ୍ଝାରପୁର, ଅପରାହ୍ନ ୨ଟା ୩୦ରେ କେନ୍ଦ୍ରାପଡ଼ାର ପାଟକୁରା, ଅପରାହ୍ନ ୪ଟାରେ କାକଟପୁରରେ ପ୍ରଚାର କରିବେ। ୨୮ରେ ଶ୍ରୀ ବିଶ୍ବଶର୍ମା ପୂର୍ବାହ୍ନ ୧୦ଟା ୩୦ରେ ରାଇରଙ୍ଗପୁରଠାରେ ଅନୁଷ୍ଠିତ ରୋଡ୍‌ ସୋ’ରେ ଯୋଗଦେବେ। ଏହା ପରେ ଶ୍ରୀ ବିଶ୍ୱଶର୍ମା ମୋରଡ଼ା ନିର୍ବାଚନମଣ୍ଡଳୀର ସୁଳିଆପଦା, ଅପରାହ୍ନ ୨ଟା୧୫ରେ ସୋରର ରଘୁନାଥପୁର, ଅପରାହ୍ନ ୪ଟାରେ ଜଗତସିଂହପୁରଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ। ଏହି ସବୁ ଆସନରେ ବିଜେଡି-ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଲଢ଼େଇ ହେବ ବୋଲି ଆକଳନ କରାଯାଉଥିବାରୁ ବିଜେପି ଏହି ସବୁ ଆସନକୁ ଫୋକସ୍ କରୁଛି।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତାକାଲି ପୂର୍ବାହ୍ନ ୯ଟା ୩୦ରେ ବଡ଼ସାହିର ତାଲପଡ଼ା, ପୂର୍ବାହ୍ନ ୧୦ଟା ୪୫ରେ ନୀଳଗିରି, ପୂର୍ବାହ୍ନ ୧୧ଟା ୪୫ରେ ସିମୁଳିଆ, ଅପରାହ୍ନ ୧ଟାରେ ବରୀ, ୩ଟାରେ ଧାମନଗର, ୪ଟା ୧୫ରେ ବାଲେଶ୍ୱରରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ। ଏହାପରେ ସଂଧ୍ୟାରେ ଶ୍ରୀ ପ୍ରଧାନ ବାଲେଶ୍ୱର ସହରରେ ଅନୁଷ୍ଠିତ ରୋଡ୍‌ ସୋ’ରେ ଯୋଗ ଦେବେ। ଗତ କିଛି ଦିନ ହେଲା ଓଡ଼ିଶାରେ ପ୍ରଚାର ଆରମ୍ଭ କରିଥିବା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆସନ୍ତାକାଲି ଅପରାହ୍ନ ୩ଟା ୩୦ରେ ଭଦ୍ରକର ବାସୁଦେବପୁର, ସଂଧ୍ୟା ୬ଟାରେ ସୋର ନିର୍ବାଚନ ମଣ୍ଡଳୀର ବାହାନଗାଠାରେ ଅନୁଷ୍ଠିତ ବିଶାଳ ରୋଡ୍‌ ସୋରେ ଯୋଗଦେବେ। ଶ୍ରୀ ବୈଷ୍ଣବ ୨୮ତାରିଖ ପୂର୍ବାହ୍ନ ୧୦ଟା ୩୦ରେ ମହାକାଳପଡ଼ାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବା ସହିତ ଅପରାହ୍ନ ୪ଟାରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ବିରିଡ଼ିଠାରେ ଅନୁଷ୍ଠିତ ବିଶାଳ ରୋଡ୍‌ ସୋ’ରେ ଯୋଗ ଦେବେ ବୋଲି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

ବିଜେପି ଚଳିତ ନିର୍ବାଚନରେ ବିଜେଡି ଗଡ଼ରେ ଫୁଲ ଫୁଟାଇବା ସହ ମୟୂରଭଞ୍ଜରେ ଯେପରି ନିଜ ସ୍ଥିତି ପୂର୍ବଭଳି ବଜାୟ ରଖିବ ସେନେଇ ରଣନୀତି ପ୍ରସ୍ତୁତ କରିଛି। ଆଉ କଂଗ୍ରେସ ଅଳ୍ପ ବ୍ୟବଧାନରେ ଯେଉଁ ସବୁ ଆସନ ହାତଛଡ଼ା କରିଥିଲା ସେଠାରେ ବିଜେଡି ଗଡ଼ ଭାଙ୍ଗିବାକୁ ଜୋରଦାର୍ ପ୍ରସ୍ତୁତି କରିଛି। ଭଦ୍ରକ ଓ ବାଲେଶ୍ବରରେ କଂଗ୍ରେସର ସ୍ଥିତି ଭଲ ଥିବାରୁ ଏଠାରେ ରାହୁଲ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ପ୍ରଚାର ମଇଦାନକୁ ଓହ୍ଲାଇବେ। କଂଗ୍ରେସ ପ୍ରଭାରୀ ଅଜୟ କୁମାର କହିଛନ୍ତି ଯେ ୨୯ତାରିଖରେ ଖଡ୍‌ଗେ ବାଲେଶ୍ବର ଓ ଭଦ୍ରକରେ ପ୍ରଚାର କରିବେ। ୩୦ରେ ରାହୁଲ ଗାନ୍ଧୀ ବାଲେଶ୍ବର ଜିଲ୍ଲା ସିମୁଳିଆ ଓ ସାନମହତିପୁରରେ ନିର୍ବାଚନ ପ୍ରଚାର କରିବେ। ଏଥିପାଇଁ ଦଳ ତରଫରୁ ଜୋରଦାର୍ ପ୍ରସ୍ତୁତି ହୋଇଛି।

ସମ୍ବନ୍ଧିତ ଖବର