ଭୁବନେଶ୍ବର: ପ୍ରାକୃତିକ ସମ୍ପଦ ଏବେ ବି ପବିତ୍ର। ଜୈବ ବିବିଧତାକୁ ଆଧାର କଲେ ଲୋକେ କେବେ ବି ବିଚ୍ଛିନ୍ନ ହୋଇପାରିବେ ନାହିଁ। ଏଥିପାଇଁ ସାମୂହିକ ଉଦ୍ୟମର ଆବଶ୍ୟକତା ରହିଛି। କେବଳ ସରକାର ନୁହନ୍ତି, ବରଂ ଗୋଷ୍ଠୀ ମାଧ୍ୟମରେ ଜୈବବିବିଧତାକୁ ଉଦ୍ଧାର କରାଯାଇପାରିବ ବୋଲି ଓଡ଼ିଶା ପରିବେଶ କଂଗ୍ରେସକୁ ଉଦ୍‌ଘାଟନ କରି ପଦ୍ମଭୂଷଣ ପ୍ରଫେସର ମାଧବ ଧନଞ୍ଜୟ ଗଡଗିଲ କହିଛନ୍ତି। ଓଡିଏମ୍ ପବ୍ଲିକ ସ୍କୁଲରେ ଆଜିଠାରୁ ଆରମ୍ଭ ହୋଇଥିବା ଓଡ଼ିଶା ପରିବେଶ କଂଗ୍ରେସର ପ୍ରସଙ୍ଗ ‘ଜୈବ ବିବିଧତା’ ସମ୍ପର୍କରେ ବକ୍ତବ୍ୟ ରଖି ପ୍ରଫେସର୍‌ ଗାଡଗିଲ୍ କହିଲେ, ପ୍ରକୃତିର ସୁରକ୍ଷା କ୍ଷେତ୍ରରେ ଲୋକଙ୍କୁ ସଶକ୍ତୀକରଣ କରିବାର ଆବଶ୍ୟକତା ରହିଛି। ଜଙ୍ଗଲ ମଧ୍ୟରେ ବସବାସ କରୁଥିବା ଲୋକ ଓ ସରକାରଙ୍କ ଦ୍ୱାରା ଜଙ୍ଗଲ ଏବଂ ଜୈବ ବିବିଧତା ନଷ୍ଟ ହେବାରେ ଲାଗିଛି। ଜଙ୍ଗଲ ବିଭାଗ ଲୋକଙ୍କୁ ଶୋଷଣ କରି ଶତ୍ରୁତା ଭଳି ଆଚରଣ କରୁଛି। କର୍ପୋରେଟ୍‌ର ଆଗ୍ରହକୁ ଲୋକଙ୍କ ଆବଶ୍ୟକତାଠାରୁ ଅଧିକ ଗୁରୁତ୍ୱ ଦେବା ଦ୍ୱାରା ସମଗ୍ର ଦେଶରେ ଜଙ୍ଗଲର ସନ୍ତୁଳନ ନଷ୍ଟ ହେଉଛି। ୪୦% ଜଙ୍ଗଲ କର୍ପୋରେଟ୍‌ଙ୍କୁ ଦିଆଯାଇଛି। ଯଦି ଜଙ୍ଗଲ ପରିଚାଳନାର ଉନ୍ନତ ଅଭ୍ୟାସ ଦ୍ୱାରା ସଂରକ୍ଷିତ ରଖାଯାଏ, ତେବେ ଏହା ଉପରେ ନିର୍ଭରଶୀଳ ସମ୍ପ୍ରଦାୟଙ୍କ ଜୀବିକା ସ୍ଥାୟୀ ଭାବେ ସୁରକ୍ଷିତ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ।

Advertisment

ଚିଲିକା ଉନ୍ନୟନ ନିଗମର ପୂର୍ବତନ ନିର୍ଦ୍ଦେଶକ ଅଜିତ କୁମାର ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରି ଗଣତାନ୍ତ୍ରିକ ମୂଲ୍ୟବୋଧର ଅନୁସନ୍ଧାନକାରୀ, ବୈଜ୍ଞାନିକ ତଥା ପରିବେଶ କ୍ଷେତ୍ରରେ ତାଙ୍କ ସଫଳତାକୁ ବର୍ଣ୍ଣନା କରିଥିଲେ। ପଦ୍ମଶ୍ରୀ ରାଧାମୋହନ ଯୋଗଦେଇ ଜୈବବିବିଧତା ଉପରେ ତାଙ୍କର ଦୃଷ୍ଟିକୋଣର ସଂକ୍ଷିପ୍ତ ଉପସ୍ଥାପନା କରିଥିଲେ। ଓଡ଼ିଶା ପରିବେଶ କଂଗ୍ରେସର ସମ୍ପାଦକ ସୁଦର୍ଶନ ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ବିବି ସାମନ୍ତ ଧନ୍ୟବାଦ ଦେଇଥିଲେ।

ଓଡିଏମ୍ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ସତ୍ୟବ୍ରତ ମୀନକେତନ, ଓୟୁଏଟିର ପୂର୍ବତନ କୁଳପତି ଡି ପି ରାୟ, ରାଜ୍ୟ ସରକାରଙ୍କ ରାଜସ୍ୱ ପରିଷଦର ପ୍ରାକ୍ତନ ସଦସ୍ୟ ଅରବିନ୍ଦ ବେହେରା, ଡା. ସେବା ମହାପାତ୍ର ପ୍ରମୁଖ ଓଡ଼ିଶା ପରିବେଶ କଂଗ୍ରେସର ପ୍ରଥମ ଦିନରେ ଯୋଗ ଦେଇଥିଲେ। ଉଦ୍‌ଘାଟନ ପରେ ପିଲାଙ୍କ ପରିବେଶ କଂଗ୍ରେସ ଆରମ୍ଭ ହୋଇଥିଲା। ରାଜ୍ୟର ବିଭିନ୍ନ ସ୍କୁଲର ୭୦ରୁ ଅଧିକ ଛାତ୍ରଛାତ୍ରୀ ଜୈବ ବିବିଧତା ଉପରେ ନିଜ ବକ୍ତୃତା ପ୍ରଦାନ କରିଥିଲେ। ଏହି ସମ୍ମିଳନୀ ଆସନ୍ତା ୨୨ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ।