ବିଧାନସଭାରେ ଆଇନଶୃଙ୍ଖଳା ତାତି, ହାଜତମୃତ୍ୟୁ ଓ ଥାର୍ଡ ଡିଗ୍ରି ନେଇ ଗର୍ଜିଲେ ବିରୋଧୀ

ଅଖିଳେଶ୍ବରଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କର: ବିଜେପି, ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ଭୁବନେଶ୍ବର: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ଆଜି ବିଧାନସଭାରେ ସରକାର ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ବିରୋଧୀ ବ୍ୟବସ୍ଥାର ତ୍ରୁଟି ବିଚ୍ୟୁତିର ତାଲିକା ରଖିବା ସହିତ ହାଜତ ମୃତ୍ୟୁ ଓ ଥାନାରେ ଥାର୍ଡ ଡିଗ୍ରୀ ଘଟଣାରେ ପୁଲିସ ବିରୋଧରେ ବିଷୋଦ୍‌ଗାର କରିଥିଲେ। ଅନ୍ୟପକ୍ଷରେ ସରକାରୀ ଦଳ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଠିକ୍ ଅଛି ବୋଲି ଦାବି କରିଥିଲେ। ଆଜି ବିଧାନସଭାରେ ଆଇନଶୃଙ୍ଖଳା ପରିସ୍ଥିତି ସଂକ୍ରାନ୍ତ ମୁଲତବୀ ପ୍ରସ୍ତାବ ଆଲୋଚନାରେ ଏଭଳି ଭାବେ ଗର୍ଜିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ। ଅଭିଯୋଗ କରିଥିଲେ ଯେ ପୁରୀ ବାସେଳିସାହି ଥାନା ଥାର୍ଡ ଡିଗ୍ରିର କେନ୍ଦ୍ରସ୍ଥଳୀଯ ଯେଉଁମାନେ ପୁଲିସ ବା ପ୍ରଶାସନ ବିରୋଧରେ ମୁହଁ େଖାଲିବେ, ସେଠି ନର୍କ ଯନ୍ତ୍ରଣା ଦିଆଯିବ। ଏସ୍‌ପିଙ୍କ ବିନା ନିର୍ଦେଶରେ ଏପରି କାର୍ଯ୍ୟ କିପରି ହେବ? ପୁଲିସ ଏହି ଘଟଣାରୁ ରଫାଦଫା କରିବାକୁ ଷଡ଼ଯନ୍ତ୍ର କରିଛି। ସରକାର ଏତେ ଦୁର୍ବଳ ଯେ ପୁଲିସର ବର୍ବରକାଣ୍ଡକୁ ପ୍ରଶୟ ଦେଉଛନ୍ତି। ରାଜ୍ୟରେ ଆଇନଶୃଙ୍ଖ​ଳା ପରିସ୍ଥିତି କେତେ ସଙ୍ଗିନ ସ୍ଥିତିରେ ପହଞ୍ଚିଛି ତାହା ସଦ୍ୟ ଦୁଇଟି ହାଜତ ମୃତ୍ୟୁ ଘଟଣା ବୟାନ କରୁଛି। ଏଠାରେ ପୁଲିସ ବର୍ବରତା ସୀମା ଟପିଛି। ଲୋକଙ୍କ ମାନସିକତାକୁ ଏହା ଦୋହଲାଇ ଦେଇଛି। ପୁଲିସ ହେପାଜତରେ ପୁରୀ ବାସେଳି ସାହି ଥାନାରେ କେ ରମେଶ ନାମକ ଯୁବକର ମୃତ୍ୟୁ ହେଲା। ଏହାକୁ ନେଇ ପୁରୀରେ ନାହିଁ ନ ଥିବା ଉତ୍ତେଜନା ପ୍ରକାଶ ପାଇଛି। ପୁରୀରେ ଲୋକ ଓ ପୁଲିସଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି େହାଇଛି। ବିଭିନ୍ନ ମହଲ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ନିଜେ ଆଇଜି ଇନ୍‌ଚାର୍ଜ ପ୍ରବୀଣ କୁମାର ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏବେ ସରକାର ଆତ୍ମରକ୍ଷା ପାଇଁ ଗଳାବାଟ ଖୋଜୁଛନ୍ତି। ଜଣେ କାର୍ଯ୍ୟରତ ହାଇକୋର୍ଟ ବିଚାରପତିଙ୍କ ଦ୍ବାରା ଏହାର ନ୍ୟାୟିକ ତଦନ୍ତ କରାଯାଉ ବୋଲି ସେ ଦାବି କରିଥିଲେ।

ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଥିଲେ, ପୂର୍ବତନ ଏସ୍‌ପି ଅଖିଳେଶ୍ବର ସିଂ ମାଲକାନଗିରି, ସମ୍ବଲପୁର, କଟକରେ ଏସ୍‌ପି ଥିବା ବେଳର ଘଟଣା ବୟାନ କରିଥିଲେ। ଉଦାହରଣ ଦେଇ ସେ କହିଥିଲେ, ଅଖିଳେଶ୍ବର ମାଲକାନଗିରି ଏସ୍‌ପି ଥିବା ବେ​ଳେ ୪ ଜଣ ଆଦିବାସୀ ତାସ୍ ଖେଳୁଥିବା ବେଳେ ଏସପିଙ୍କୁ ଠିଆ ନ ହେବାରୁ ତାଙ୍କୁ ଗୁଳି କରିଦେଇଥିଲେ। ପରେ ସେମାନେ ମାଓବାଦୀ ଥିଲେ ବୋଲି କାଗଜପତ୍ରରେ ଦର୍ଶାଇଥିଲେ। ପୁରୀ ହାଜତମୃତ୍ୟୁ ମାମଲାରେ ମାନବିକତାର ସବୁ ସୀମା ସେ ଉଲ୍ଲଂଘନ କରିଛନ୍ତି। କେ ରମେଶଙ୍କ ମାଆଙ୍କୁ କେଉଁଠି ଲୁଚାଇ ରଖିଛନ୍ତି ଯେ ସେ ଆଜି ପର୍ଯ୍ୟନ୍ତ ମିଳୁନାହାନ୍ତି। ଅଖିଳେଶ୍ବର ସିଂଙ୍କୁ ଦଫା ୩୦୨ରେ ଗିରଫ କରାଯାଉ ବୋଲି ସେ ଦାବି କରିଥିଲେ। ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଥିଲେ, ଗତ ୬ମାସ ମଧ୍ୟରେ ପୁରୀରେ ଯେତେ ପ୍ରକାରର ଘଟଣା ଘଟିଛି, ସେସବୁ ମନ୍ତ୍ରୀଙ୍କ ଉତ୍ତରରେ ସ୍ଥାନ ପାଇନାହିଁ। କେ ରମେଶ ବଳିଆପଣ୍ଡା ଅଞ୍ଚଳରେ ରହୁଥିଲା। ତାଙ୍କ ନାମରେ କିଛି ବି ଅଭିଯୋଗ ନ ଥିଲା। କୋର୍ଟରେ ବି କେସ୍ ନଥିଲା। ରମେଶକୁ ମାଡ଼ ମାରିବା ସମୟରେ ଦେଖଣାହାରୀଙ୍କୁ ପୁଲିସ ଉଠାଇ ନେଇ ରଖିଛି। ସେମାନଙ୍କର ବି ପତ୍ତା ମିଳୁନି। ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଦଳେ ପୁରୀ ବିଧାୟକଙ୍କ ସପକ୍ଷରେ ବାହାରିଛନ୍ତି, ଆଉ ଦଳେ ବିପକ୍ଷରେ। ବାସେଳି ସାହି ଆଇଆଇସି କେଉଁଠି ଅଛନ୍ତି, ସେ କଥା ବି କାହାକୁ ଜଣାନାହିଁ। ଚନ୍ଦନପୁର ଆଇଆଇସି ବି ଅନୁରୂପ ଭାବେ ଜୁଲମ କରୁଛନ୍ତି। ପୁରୀ ସହରବାସୀ ଭୟରେ ଅଛନ୍ତି ବୋଲି ସେ କହିଥିଲେ।

କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଥିଲେ, ମାଓବାଦୀଙ୍କୁ ପୁଲିସ୍ ମାରିଲେ ବି ତାର ପରିବାରକୁ ଶବ ସମ୍ମାନର ସହିତ ପ୍ରଦାନ କରାଯାଏ। ଉତ୍ତରପ୍ରଦେଶରେ ବିକାଶ ଦୁବେକୁ ପୁଲିସ ମାରିବା ପରେ ବି ଶବଦେଇଥିଲା। କିନ୍ତୁ ପୁରୀ ମାମଲାରେ ପୁଲିସ କାହାକୁ ନ ଜଣାଇ ଶବ ପୋଡ଼ିଦେଲେ। ପୂର୍ବତନ ଏସ୍‌ପି ଅଖିଳେଶ୍ବର ସିଂହ ସମ୍ବଲପୁରରେ ଥିବା ବେଳେ ଗୁଣ୍ଡାଙ୍କ ପରି ଚାନ୍ଦା ଆଦାୟ କରୁଥିଲେ ବୋଲି ଶ୍ରୀ ସାଲୁଜା ଅଭିଯୋଗ କରିଥିଲେ। ସେହିପରି ପିପିଲିରେ ଥାନାଧିକାରୀ ଯେଭଳି ଥାର୍ଡ ଡିଗ୍ରି ପ୍ରୟୋଗ କରିଛନ୍ତି, ସମ୍ବାଦରେ ସେ ରିପୋର୍ଟ ଦେଖିଲେ, ପୁଲିସର ନୃଶଂସତା ଜଣାପଡ଼ିଯିବ। ଏସବୁ ଘଟଣାରେ ଏସପିଙ୍କୁ ବଦଳି କରାଯାଇଛି। ଦଫା ୩୦୨ କାହିଁକି ଲାଗୁ ହୋଇନାହିଁ ବୋଲି ଶ୍ରୀ ସାଲୁଜା ପ୍ରଶ୍ନ କରିଥିଲେ। ସେ ଆହୁରି କହିଥିଲେ ଯେ କଳାହାଣ୍ଡିରେ ଜଣେ ମହିଳାଙ୍କୁ ଆବାସ ଗୃହ ଯୋଗାଇ ଦେବା ନାଁରେ ସରପଞ୍ଚ ରାତି ବିତାଇବାକୁ କହିଲେ। ଭୁବନେଶ୍ବରରେ ପ୍ରତିଦିନ ନିଶା କାରବାର ଚାଲିଛି ଓ ଚୋରି ବି। ମୁଖ୍ୟମନ୍ତ୍ରୀ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଉପରେ ବିଶ୍ବାସ କରିଛନ୍ତି। ହେଲେ ମୁଖ୍ୟମନ୍ତ୍ରୀଙ୍କ ବିଶ୍ବାସକୁ ସେ ଆଘାତ ଦେଇଛନ୍ତି। ସେ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଶ୍ରୀ ସାଲୁଜା ଦାବି କରିଥିଲେ। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ, ପୁରୀ ଘଟଣା ସାରା ରାଜ୍ୟରେ ପୁଲିସ ପ୍ରଶାସନକୁ ବଦନାମ କରିଛି। ସବୁ ପୁଲିସ ଖରାପ ନୁହଁନ୍ତି। ବୀରମିତ୍ରପୁର ଘଟଣାରେ ଏସ୍‌ପି ତତ୍କାଳ ନ୍ୟାୟିକ ତଦନ୍ତ ପାଇଁ ଚିଠି ଲେଖିଲେ। ହେଲେ ପୁରୀର ପୂର୍ବତନ ଏସ୍୍‌ପି ସବୁ ସୀମୀ ଟପିଗଲେ। ମାଲକାନଗିରି ଠାରୁ ଆରମ୍ଭକରି ପିପିଲି ମାମଲା ସୂଚାଇ ଦେଉଛି ଯେ କେଉଁଠି ଆଇନଶୃଙ୍ଖଳା ପହଞ୍ଚିଲାଣି।

ବିଜେଡି ବିଧାୟକ ପ୍ରତାପ କେଶରୀ ଦେବ କହିଥିଲେ, ବିରୋଧୀ ଗଣମାଧ୍ୟମରେ ପ୍ରକାଶିତ ଖବରର ସତ୍ୟାସତ୍ୟ ଅନୁଧ୍ୟାନ ନ କରି ସବୁବେଳେ ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ମୁଲତବୀ ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଅମର ପ୍ରସାଦ ଶତପଥୀ, ଉମାକାନ୍ତ ସାମନ୍ତରାୟ ପ୍ରମୁଖ ଭାଗ ନେଇ କହିଥିଲେ। ବିଧାୟକମାନେ କହିଥିଲେ ଯେ ପୁରୀ ଘଟଣାରେ କେ ରମେଶ ଶବ ବ୍ୟବଚ୍ଛେଦ ଓ ଦାହ ବେଳେ ତାର ପରିବାର ଲୋକ ଉପସ୍ଥିତ ଥିଲେ। ପିପିଲି ଘଟଣା ସାମ୍ନାକୁ ଆସିବା ପରେ ଡିଆଇଜିସ୍ତରୀୟ ତଦନ୍ତ ନିର୍ଦେଶ ଦିଆଯାଇଛି। ବିରୋଧୀ ସରକାରଙ୍କର ପଦକ୍ଷେପ ଗୁଡିକୁ ନ ଦେଖି ସବୁ ବେଳେ ସମାଲୋଚନା କରିବା ଜାଣିଛନ୍ତି। ଉତ୍ତରପ୍ରଦେଶ ହାଥରସ୍ ଘଟଣାରେ ପୁଲିସ ଯେଭଳି ଶବକୁ ପୋଡ଼ି ଦେଇଥିଲା, ତାହା ସମସ୍ତଙ୍କୁ ଜଣା। ସେହିପରି ବଲିଉଡ୍ ତାରକା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ଘଟଣାରେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଗଣମାଧ୍ୟମ ଯେଭଳି ଖବର ପ୍ରକାଶ ପାଇଥିଲା, ସେଥିରେ କଣ ହେଲା। ଏମ୍‌ସର ୨୧ ଜଣିଆ ଡାକ୍ତରୀ ଟିମ୍ କହିଥିଲେ, ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି। ବିଧାୟକ ଶ୍ରୀ ନାୟକ କହିଥିଲେ, ପିପିଲି ଓ ପୁରୀ ଘଟଣାରେ ତଦନ୍ତ ଆରମ୍ଭ ହୋଇଛି। ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଯେଭଳି ଜଣେ ଆଇପିଏସ୍ ଅଫିସରଙ୍କ ନାମ ନନେଇ ଆକ୍ଷେପ କରିଛନ୍ତି, ସେମିିତି ଉଚିତ୍ ନ ଥିଲା। ସରକାର ଆଇନଶୃଙ୍ଖଳାକୁ ସବୁ ବେଳେ ଗୁରୁତ୍ବ ଦେଇଛନ୍ତି। ଶ୍ରୀ ଶତପଥୀ କହିଥିଲେ, ମୁଖ୍ୟମନ୍ତ୍ରୀ ଯେଉଁଠି ବି ଅପରାଧ ଘଟିଛି, ସେଥିରେ ଯେତେବଡ଼ ଅଧିକାରୀ ବା େଲାକଙ୍କ ସଂପୃକ୍ତି ଥିଲେ ବି କେବେ ଘଣ୍ଟ ଘୋଡ଼ାଇ ନାହାନ୍ତି। ଏପରି ଉଦାହରଣ ବହୁତ ରହିଛି। ରାଜ୍ୟରେ ଆଇନଶୃଙ୍ଖଳା ଯେଉଁ ପ୍ରସ୍ତାବ ଆଣିଛନ୍ତି ଯେ ଏଠାରେ ସବୁ ବିପର୍ଯ୍ୟସ୍ତ, ପ୍ରକୃତରେ ତାହା ସୁବ୍ୟବସ୍ଥିତ। ଶ୍ରୀ ସାମନ୍ତରାୟ କହିଥିଲେ, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଠିକ୍ ଅଛି। ୨୦୧୯ ମେ’ ୩ ତାରିଖରେ ଫନି ବାତ୍ୟା ହୋଇଥିଲା। ପୁରୀର ୧୦ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ। ସେମାନଙ୍କୁ କିଏ ସହାୟତା ଦେଇଥିଲା। ପୁଲିସ ହିଁ ସେମାନଙ୍କୁ ଉଦ୍ଧାର ଓ ଥଇଥାନ କରିଥିଲା।

ସମ୍ବନ୍ଧିତ ଖବର