ପୁରୀ ଓ ବୀରମିତ୍ରପୁର ହାଜତ ମୃତ୍ୟୁର ବିଚାର ବିଭାଗୀୟ ତଦନ୍ତ ହେବ

ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣାଧୀନ: ମନ୍ତ୍ରୀ

ଭୁବନେଶ୍ବର: ପୁରୀ ଓ ବୀରମିତ୍ରପୁର ହାଜତ ମୃତ୍ୟୁ ମାମଲାର ବିଚାର ବିଭାଗୀୟ ତଦନ୍ତ କରାଯିବ। ଆଜି ବିଧାନସଭାରେ ବିରୋଧୀ ଦଳ ପକ୍ଷରୁ ଆଗତ ମୁଲତବୀ ପ୍ରସ୍ତାବ ଆଲୋଚନା ଉତ୍ତରରେ ଗୃହ ବିଭାଗ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି ଘୋଷଣା କରିଛନ୍ତି। ପୁରୀ ହାଜତ ମୃତ୍ୟୁ ମାମଲାର ତଦନ୍ତ ଜେଏମ୍ଏଫ୍‌ସି ସିଦ୍ଧାର୍ଥ ମିଶ୍ର କରିବେ। ସେହିଭଳି ବୀରମିତ୍ରପୁର ହାଜତ ମୃତ୍ୟୁ ମାମଲାର ତଦନ୍ତ ଏସ୍‌ଡିଜେଏମ୍ ଆର୍ କେ ପ୍ରଧାନଙ୍କୁ ଦିଆଯାଇଛି ବୋଲି ମନ୍ତ୍ରୀ ଗୃହକୁ ଅବଗତ କରିଥିଲେ। ‘‘ରାଜ୍ୟରେ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଅବସ୍ଥାରେ, ସରକାର ନିରବଦ୍ରଷ୍ଟା’’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଆଲୋଚନାର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ମିଶ୍ର କହିଥିଲେ ଯେ ରାଜ୍ୟରେ ଅପରାଧ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। କେବଳ ସେତିକି ନୁହେଁ, ଗତ ୧୯ ତାରିଖରେ କଟକରେ ଆଇଆଇଏଫ୍ଏଲ୍ ଫାଇନାନ୍ସ କଂପାନିେର ହୋଇଥିବା ଲୁଣ୍ଠନ ମାମଲାରେ ପୁଲିସ ଅପରାଧୀଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି। ଲୁଟ୍ ସଂପତ୍ତିର ଉଦ୍ଧାର ପ୍ରକ୍ରିୟା ଜାରି ରହିଛି। ମନ୍ତ୍ରୀ କହିଥିଲେ, ଚଳିତବର୍ଷ ବର୍ତମାନ ସୁଦ୍ଧା ପୁଲିସର ସମୟୋପଯୋଗୀ ପଦକ୍ଷେପ ଯୋଗୁଁ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। କୌଣସି ସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲେ ପୁଲିସ ତ୍ବରିତ ପଦକ୍ଷେପ ନେଇ ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିଛି। ନକ୍ସଲ ଉପଦ୍ରବକୁ ପ୍ରତିହତ କରାଯାଇଛି। ସାଧାରଣ ନିର୍ବାଚନ ରାଜ୍ୟରେ ଶାନ୍ତିଶୃଙ୍ଖଳାର ସହିତ ଶେଷ ହୋଇଛି। କେନ୍ଦ୍ରାପଡ଼ାର ପାଟକୁରା, ବିଜେପୁର, ବାଲେଶ୍ବର ସଦର ଏବଂ ତିର୍ତ୍ତୋଲ ଭଳି ଉପନିର୍ବାଚନ ମଧ୍ୟ ଶାନ୍ତି ଶୃଙ୍ଖଳା ସହ ସଂପନ୍ନ ହୋଇଛି।

ରାଜ୍ୟରେ ସାଂପ୍ରଦାୟିକ ପରିସ୍ଥିତି ଶାନ୍ତ ରହିଛି। କୌଣସି ଗୁରୁତର ପରିସ୍ଥିତି ସୃଷ୍ଟି େହାଇନାହିଁ। ସାଧାରଣ ଘଟଣାକୁ ନେଇ ଯେଉଁଠି କିଛି ଘଟଣା ଘଟିଛି, ସେଠାରେ ସରକାର ତତକ୍ଷଣାତ୍ ପରିସ୍ଥିତିକୁ ଆୟତ୍ତକୁ ଆଣିଛନ୍ତି। ନା ବଡ଼ ଧରଣର ଶ୍ରମିକ ଧର୍ମଘଟ ଦେଖାଦେଇଛି ନା ଛାତ୍ର ଅଶାନ୍ତି। କୌଣସି ଆତଙ୍କବାଦୀ କାର୍ଯ୍ୟକଳାପ ମଧ୍ୟ ଘଟିନାହିଁ। ମନ୍ତ୍ରୀ କହିଥିଲେ, ଚଳିତବର୍ଷ କରୋନା ମହାମାରୀ ସମସ୍ତ ବର୍ଗଙ୍କୁ ପ୍ରଭାବିତ କରିଥିଲା। ସରକାର ଏହାର ମୁକାବିଲା ପାଇଁ ଲକ୍‌ଡାଉନ୍ ଘୋଷଣା କରିଥିଲେ। ଏହାକୁ ସାବଧାନତାର ସହିତ ମୁକାବିଲା କରାଇଛି। ସରକାର ସର୍ବଦା ଆଇନଶୃଙ୍ଖଳା ଓ ଲୋକଙ୍କ ଧନଜୀବନକୁ ପ୍ରାଥମିକତା ଦେଇ ଆସୁଛନ୍ତି। ଆଇନଶୃଙ୍ଖଳା ରକ୍ଷା କରିବା ଦିଗରେ ପ୍ରତିଶ୍ରୁତିବଦ୍ଧ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ରାଜ୍ୟରେ ଆଇନଶୃଙ୍ଖଳା ସମୀକ୍ଷା କରାଯାଉଛି ଓ ନିୟନ୍ତ୍ରଣ କରାଯାଉଛି। ତେବେ ପୁରୀ, ବୀରମିତ୍ରପୁର ଠାରୁ ଆରମ୍ଭ କରି ମୁଲତବୀ ଆଲୋଚନାରେ ବିଧାୟକମାନେ ଉଠାଇଥିବା ବିଭିନ୍ନ ପ୍ରସଙ୍ଗରେ ମନ୍ତ୍ରୀ ନିରବ ରହିବା ଘଟଣାରେ ବିରୋଧୀ ଦଳ ପରବର୍ତୀ ସମୟରେ ଅସନ୍ତୋଷ ପ୍ରକାଶ କରିଥିଲେ।

ବାବୁଲି ନାୟକ କିଏ? ଅଭିଯୁକ୍ତଙ୍କୁ ସୁରକ୍ଷା, ପରୀ ପରିବାରକୁ ପୁଲିସ ନିର୍ଯାତନା
ନୟାଗଡ଼: ନୟାଗଡ଼ ସଦର ଥାନା ଅଧୀନ ଯଦୁପୁର ଗ୍ରାମର ବହୁଚର୍ଚ୍ଚିତ ନାବାଳିକା ଅମ୍ରିତାସ୍ନେହା ସାହୁ(ପରୀ) ହତ୍ୟା ଘଟଣାକୁ ୪ ମାସ ବିତିଲାଣି। ଏବେବି ଏହି ମାମଲାରେ ନୟାଗଡ଼ ସଦର ଥାନା ତଥା ଜିଲ୍ଲା ପୁଲିସର ହାତ ଖାଲି ପଡ଼ିଛି। ଏହାକୁ ନେଇ ମୃତକଙ୍କ ପରିବାରଠାରୁ ଆରମ୍ଭ କରି ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପୁଲିସ ଅଭିଯୁକ୍ତକୁ ଧରିବା ପରିବର୍ତେ ପରୀଙ୍କ ବାପା-ମାଆଙ୍କୁ ନିର୍ଯାତନା ଦେଉଛି। ଅଭିଯୁକ୍ତ ଜଣକ କିଏ? କାହା ଚାପରେ ପୁଲିସ ତାକୁ ସୁରକ୍ଷା ଦେଉଛି?

ଗତ ଜୁଲା‌ଇ ୧୪ ତାରିଖରେ ପରୀ ଗାଁ’ ଦାଣ୍ଡରେ ଥୁଆ‌ ଯାଇଥିବା ବାବୁଲି ନାୟକଙ୍କ ଜେସିବି ନିକଟ‌ରେ ଖେଳୁଥିବା ବେ‌ଳେ, ହଠାତ ନିଖୋଜ ହୋଇ ଯାଇଥିଲା। ୨୩ ତାରିଖରେ ପରୀର ମୃତଦେହ ମିଳିଥିଲା। ଏକ ଜରି ବସ୍ତାରେ ପୂରାଇ ଅଶୋକ ନାମକ ଜଣେ ବ୍ୟକ୍ତିଙ୍କ ବାଡ଼ି ପଛ ପାଖରେ ଥିବା‌ ପୋଖରୀ କୂଳରେ ଫିଙ୍ଗି ଦିଆଯାଇଥିଲା। ପରିବାର ପକ୍ଷରୁ ଦିଆଯାଇଥିବା ନିଖୋଜ ମାମଲାକୁ ପୁଲିସ ହତ୍ୟା ମାମଲାକୁ ପରିବର୍ତ୍ତନ କରିଥିଲା। କିନ୍ତୁ ସେହିଦିନଠାରୁ ଆଜି ପର୍ଯ୍ୟନ୍ତ କେବଳ ମାମଲା ରୁଜୁ କରି ଚୁପ୍‌ ବସିପଡ଼ିଛି।

ଜେସିବି ଚାଳକ ଜଣକ ଜେସିବି ସାଇଡ୍‌ କରୁଥିବା ବେ‌ଳେ ଏହା ପରୀକୁ ଆଘାତ ଦେଇଥିବା କୁହାଯାଉଛି। ସନ୍ଦିଗ୍ଧଙ୍କୁ ଧରିବା ବଦଳରେ ପୁଲିସ ପରୀର ପରିବାର ଓ ସମ୍ପର୍କୀୟଙ୍କୁ ନାଲି ଆଖି ଦେଖାଉଛି। ଆଇନକୁ ମୋଡ଼ିମକଚି ଦେଇ ପରୀର ଶବ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ତା’ର ପରିବାରକୁ ଦିଆଯାଇନାହିଁ।
ପରୀ ହତ୍ୟାକାରୀ ଧରାପଡ଼ି‌ଲେ, ଏମିତି କାହାର ମୁଖା ଖୋଲିଯାଉଛି ଯେ ପୁଲିସ ଆଇନର ସୀମା ବାରମ୍ବାର ଉଲ୍ଲଂଘନ କରୁଛି? ପରୀର ବାପା ଅଶୋକ ସାହୁ ଓ ମା’ ସୌଦାମିନୀଙ୍କ ଅଭିଯୋଗ ଅନୁଯାୟୀ ପରୀ ହତ୍ୟା ପଛରେ ସ୍ଥାନୀୟ ବିଜେଡି ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟାଙ୍କ ସ୍ବାମୀ ବାବୁଲି ନାୟକଙ୍କ ହାତ ରହିଛି। କିନ୍ତୁ ପୁଲିସ ବାବୁଲିଙ୍କ ଦେହରେ ହାତ ମାରୁନି। ବାବୁଲି ସ୍ଥାନୀୟ ବିଧାୟକ ତଥା‌ ମନ୍ତ୍ରୀ ଅରୁଣ ସାହୁଙ୍କ ଖାସ୍‌ ଲୋକ ହୋଇଥିବାରୁ ପୁଲିସ ତାଙ୍କୁ ସୁରକ୍ଷା ଯୋଗାଉଥିବା ସେମାନେ ଅଭି‌ଯୋଗ କରିଛନ୍ତି।

ଜିଲ୍ଲା ପୁଲିସ ପ୍ରଶାସନଠାରୁ ନ୍ୟ‌ାୟ ପାଇବାର ଆଶା ହରାଇ ଆଜି ପରୀ ପରିବାର ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ସେମାନେ କହିଛନ୍ତି, ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଇବାକୁ ଯାଇ ପଚରାଉଚରା ଆଳରେ ସେମାନଙ୍କୁ ମାନସିକ ଭାବେ ଦୁର୍ବଳ କରିଦିଆଯାଉଛି। ଆହୁରି ଅଭିଯୋଗ ହୋଇଛି ଯେ ବାବୁଲି ଗ୍ରା‌ମବାସୀଙ୍କୁ ଏକତ୍ର କରି ଗତ ମାସ ୨୧ ତାରିଖରେ ପରୀର ବାପା, ମା’ଙ୍କ ଉପରେ ଆକ୍ରମଣ କରିଥିଲା। ପରୀ ସହିତ ଘଟଣାଦିନ ଖେଳୁଥିବା ଏକ ନାବାଳକକୁ ଡାକି ଅଶୋକ କଥା ହେଉଥିବା ବେଳେ, ନାବାଳକକୁ ଅଶୋକ ବିଷ ଦେଉଥିବା ଭଳି ବାବୁଲି ପ୍ରରୋଚନାରେ ମିଛ ନାଟକ ପ୍ରଚାର କରାଯାଇଥିଲା। ବାବୁଲିଙ୍କ ଏତଲାକୁ ଭିତ୍ତି କରି ପୁଲିସ ୧୪ ଜଣଙ୍କୁ ରାତିଅଧିଆ ଗିରଫ କରିଥିଲା। ସେହିଦିନଠାରୁ ଭୟରେ ପରୀ ପରିବାର ଗାଁ’ ଛାଡ଼ି ତା’ର ମାମୁଘରେ ରହୁଛନ୍ତି। ଏପରିକି ଗତ ୧୮ ତାରିଖ ଦିନ ପରୀର ବାପା, ମା’ ରାଜଭବନ ଆଗରେ ଯାଇ ଧାରଣା ଦେବାକୁ ଯୋଜନା କରିଥି‌ଲେ। ପୁଲିସ ଏହା ଜାଣିବା ପରେ ସେଦିନ ରାତିରେ ତାଙ୍କୁ ଘରୁ ଉଠାଇ ଆଣିଥିଲା। ଥାନାରେ ଆଣି ଗାଳିଗୁଲଜ କରି ସନ୍ଧ୍ୟାରେ ଛାଡ଼ି ଦେଇଥିଲା। ତେବେ ଏନେଇ ଏସ୍‌ପି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ନାରାଜ। ନୟାଗଡ଼ ଏସ୍‌ଡିପିଓ ନିରଞ୍ଜନ ପାଢ଼ୀ ‘‘ଆମର ତଦନ୍ତ ଜାରି ରହିଛି’’ ବୋଲି ଚିରାଚରିତ ଉତ୍ତର ଦେଇଛନ୍ତି।

ସମ୍ବନ୍ଧିତ ଖବର