ଆଇନଶୃଙ୍ଖଳା ବିଗିଡ଼ି ଗଲାଣି, ସରକାରଙ୍କ ଚିନ୍ତା ନାହିଁ

ଅବାଧ ଏତଲା ପଞ୍ଜୀକରଣ ପାଇଁ ଅପରାଧ ପରିମାଣ ବଢ଼ିଛି: ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ସବୁ ପ୍ରକାର ଅପରାଧ ମାମଲା ବଢ଼ିଚାଲିଛି। ଦଣ୍ଡ ହାର କମୁଛି। ଶାସକ ଦଳର ନିୟନ୍ତ୍ରଣରେ ପୁଲିସ କାର୍ଯ୍ୟ କରୁଛି। ଶାସକ ଦଳ ନେତା, ମନ୍ତ୍ରୀଙ୍କ ପ୍ରୋତ୍ସାହନରେ ହିଁ ବିଭିନ୍ନ ସ୍ଥାନରେ ଅପରାଧୀମାନେ କାୟା ବିସ୍ତାର କରୁଛନ୍ତି। ଥାନାରେ ଲୋକଙ୍କୁ ନ୍ୟାୟ ମିଳୁନି। ନିଖୋଜ ଶିଶୁଙ୍କ ପତ୍ତା ମିଳୁନି। ଆଜି ବିଧାନସଭାରେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନେଇ ସରକାରଙ୍କୁ ଏମିତି ସମାଲୋଚନା କରିଥିଲେ ବିରୋଧୀ। ଆଇନଶୃଙ୍ଖଳା ପ୍ରସଙ୍ଗରେ ଆସିଥିବା ମୁଲତବୀ ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଲେ, ମାହାଙ୍ଗାରେ ଟ୍ରିପଲ୍‌ ମର୍ଡର୍‌ ହେଲା। ଏହା ପଛରେ ଅପରାଧିକ ଷଡ଼ଯନ୍ତ୍ର କିଏ କରିଥିଲା ତାହା ସମସ୍ତେ ଜାଣନ୍ତି। ଆଇନ ମନ୍ତ୍ରୀଙ୍କ ସଂପୃକ୍ତି ନେଇ ଅଭିଯୋଗ ହେଉଥିଲେ ବି ପୁଲିସ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନି। ଜେଏମ୍‌ଏଫ୍‌ସି କୋର୍ଟ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ କହିଛନ୍ତି। ତେଣୁ ଆଇନ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ, ନଚେତ ତାଙ୍କୁ ବହିଷ୍କାର କରାଯାଉ। ସରକାର ଏହି ଘଟଣାର ତଦନ୍ତ ଭାର ସିବିଆଇକୁ ଦିଅନ୍ତୁ। ରାଜ୍ୟରେ ଏବେ ୭୦% ଥାନା ଶାସକ ଦଳ ନେତାଙ୍କ ନିୟନ୍ତ୍ରଣରେ ରହିଛି। ବେଗୁନିଆରେ ମାନସ ଦାସ ନାମକ ଜଣେ ବ୍ୟକ୍ତି ଶାସକ ଦଳ ସଂପୃକ୍ତ ଥାଇ ଅପରାଧିକ କାର୍ଯ୍ୟକଳାପ ଜାରି ରଖିଥିଲା। ପାରଳାଖେମୁଣ୍ଡିରେ ଏସିଏଫ୍‌ଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରୁ ପରଦା ଉଠିପାରୁନି। ଜଙ୍ଗଲ ମନ୍ତ୍ରୀଙ୍କର ପରୋକ୍ଷ ସଂପୃକ୍ତି ନେଇ ମୃତକଙ୍କ ବାପା ଅଭିଯୋଗ କରୁଛନ୍ତି।

ମହିଳା, ନାବାଳିକାଙ୍କ ପ୍ରତି ଅପରାଧ ବଢ଼ିବା ଚିନ୍ତାଜନକ : ନରସିଂହ
ଶାସକ ଦଳ ନେତାଙ୍କ ନିୟନ୍ତ୍ରଣରେ ୭୦% ଥାନା : ମୋହନ
ବିରୋଧୀଙ୍କ ଅଭିଯୋଗକୁ ଶାସକ ଦଳର ଖଣ୍ଡନ

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ସରକାର ଚିନ୍ତିତ ନୁହନ୍ତି। ରାଜ୍ୟରେ ଅପରାଧ ଦିନକୁ ଦିନ ବଢ଼ିଚାଲିଛି। କିନ୍ତୁ ୧୧,୪୫୬ ପୁଲିସ ପଦବି ଖାଲି ପଡ଼ିଛି। ମଞ୍ଜୁରୀପ୍ରାପ୍ତ ପଦବି ସଂଖ୍ୟା କମ୍ ଅଛି। ସେଥିରେ ପୁଣି ତାହା ପୂରଣ ହେଉ ନାହିଁ। ଲୋକସଂଖ୍ୟା, ଅପରାଧ ବଢ଼ୁଥିବାରୁ ପୁଲିସ ବଳକୁ ମଜବୁତ୍ କରିବାର ଆବଶ୍ୟକତା ରହିଛି। ରାଜ୍ୟରେ ମହିଳା ଓ ନାବାଳିକାଙ୍କ ସହ ଅପରାଧ ବଢ଼ିବା ଚିନ୍ତାଜନକ। ସାଇବର ଅପରାଧ ମଧ୍ୟ ବଢ଼ୁଛି। ଖରସ୍ରୋତା ଆନ୍ଦୋଳନରେ ପୁଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଉଭୟ ବିଜେଡି ଓ ବିଜେପି ଦଳର ନେତା ବେଗୁନିଆରେ ଅପରାଧିକ କାର୍ଯ୍ୟକଳାପ ସହ ସଂପୃକ୍ତ ଥିବା ବ୍ୟକ୍ତିଙ୍କ ପାଦ ଛୁଉଁଛନ୍ତି। ପାରଳାଖେମୁଣ୍ଡିରେ ଏସିଏଫ୍‌ ମୃତ୍ୟୁ ମାମଲାରେ ତଦନ୍ତ ସରିବା ପୂର୍ବରୁ ତତ୍‌କାଳୀନ ଏସ୍‌ପି ଡିଏଫ୍‌ଓଙ୍କୁ କ୍ଲିନ୍‌ଚିଟ୍ ଦେଇଦେଲେ। ବୌଦ୍ଧ ଜିଲ୍ଲାରେ ମାଓ କାର୍ଯ୍ୟକଳାପ ନାହିଁ ବୋଲି ସରକାରଙ୍କ ଦାବି ସମ୍ପୂର୍ଣ୍ଣ ଭୁଲ୍। ସାଧାରଣ ଲୋକ ନ୍ୟାୟ ପାଇଁ ଥାନାକୁ ଗଲେ ନିରାଶ ହେଉଛି।

ଯଦି ଅଭିଯୁକ୍ତ ଶାସକ ଦଳର ହୋଇଥି‌େବ, ତେବେ ପୁଲିସ ତାଙ୍କୁ ଆଗୁଆ ସୂଚନା ଦେଇ କାଉଣ୍ଟର୍‌ ଏତଲା ରଖୁଛି। ଫଳରେ ଅଭିଯୋଗକାରୀଙ୍କୁ ମାମଲା ରଫାଦଫା କରିବାକୁ ଏକପ୍ରକାର ବାଧ୍ୟ କରାଯାଉଛି। କଂଗ୍ରେସ ସଭ୍ୟ ସନ୍ତୋଷ ସିଂହ ସାଲୁଜା‌ ଓ ବିଜେପି ସଭ୍ୟ ମୁକେଶ ମହାଲିଙ୍ଗ ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ନେଇ ସରକାରଙ୍କୁ ସମାଲୋଚନା କରିଥିଲେ। ଶାସକ ଦଳ ସଭ୍ୟ ଅମର ଶତପଥୀ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଥିଲେ। ରାଜ୍ୟରେ ଅପରାଧ ବଢ଼ିଛି ବୋଲି ସରକାର ଲୁଚାଉ ନାହାନ୍ତି। ସବୁ ଅଭିଯୋଗକୁ ପଞ୍ଜୀକୃତ କରାଯାଉଥିବାରୁ ମାମଲା ବଢ଼ିଛି। ମାହାଙ୍ଗା ହତ୍ୟାକାଣ୍ଡ ଘଟଣା କୋର୍ଟରେ ବିଚାରାଧୀନ ରହିଛି। ବିରୋଧୀ ଦଳ କୋର୍ଟ ଉପରେ ଭରସା ରଖନ୍ତୁ। ମାନସ ଦାସକୁ ସରକାର ଗିରଫ କରିଛନ୍ତି। ତେଣୁ ସରକାର କାହାକୁ ଘଣ୍ଟ ଘୋଡ଼ାଇବାର ପ୍ରଶ୍ନ ଉଠୁନି। ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ବିଜେପି ଶାସିତ ରାଜ୍ୟ ଅପେକ୍ଷା ଓଡ଼ିଶାରେ ଆଇନଶୃଙ୍ଖଳା ସ୍ଥିତି ଉନ୍ନତ ‌ଅଛି ବୋଲି କହିଥିଲେ। ଶାସକ ଦଳ ସଭ୍ୟ ନୃସିଂହ ଚରଣ ସାହୁ ଓ ରାଜକିଶୋର ଦାଶ ଆଲୋଚନାରେ ଭାଗ ନେଇଥିଲେ।

ଅବାଧ ଏତଲା ପଞ୍ଜୀକରଣ ପାଇଁ ଅପରାଧ ପରିମାଣ ବଢ଼ିଛି: ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ସରକାର ବ୍ୟକ୍ତି ସ୍ବାଧୀନତାକୁ ପ୍ରାଧାନ୍ୟ ଦେଉଛନ୍ତି। ଫଳରେ କୌଣସି ବ୍ୟକ୍ତି ବିନା ବାଧାରେ ଥାନାକୁ ଆସି ସେମାନଙ୍କ ଗୁହାରୀ ଜଣାଇ ପାରୁଛନ୍ତି। ‌ସେଥି ପାଇଁ ଅବାଧ ଏତଲା ପଞ୍ଜୀକରଣ ଯୋଗୁ ଧର୍ତ୍ତବ୍ୟ ଅପରାଧ କିଛି ପରିମାଣରେ ବୃଦ୍ଧି ଘଟୁଛି। ବିଧାନସଭାରେ ବିରୋଧୀ ଦଳଙ୍କ ଅଭିଯୋଗର ଜବାବ ଦେଇ ଏମିତି କହିଛନ୍ତି ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ଶ୍ରୀ ମିଶ୍ର କହିଥିଲେ ଯେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଶାନ୍ତିପୂର୍ଣ୍ଣ ରହିଛି। ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସାମ୍ପ୍ରଦାୟିକ ସଦ୍‌ଭାବ ବଜାୟ ରହିଛି। କୋଭିଡ୍‌ ପରିସ୍ଥିତିକୁ ପୁଲିସ ଫଳପ୍ରଦ ଭାବେ ନିୟନ୍ତ୍ରଣ କରିଛି। ଅପରାଧ ଜରୁରୀ ସମୟରେ ତୁରନ୍ତ ସେବା ଯୋଗାଇ ଦେବାକୁ ସରକାର ଇଆର୍‌ଏସ୍‌ଏସ୍‌ କାର୍ଯ୍ୟକାରୀ କରୁଛନ୍ତି, ଯାହାର କମାଣ୍ଡ ସେଣ୍ଟ‌ର ଭୁବନେଶ୍ବରରେ ସ୍ଥାପନ କରାଯାଇଛି। ଏହା ଦ୍ବାରା ଗୋଟିଏ ନମ୍ବର ୧୧୨ ଦ୍ବାରା ପୁଲିସ ସେବା, ଆମ୍ବୁଲାନ୍ସ ସେବା, ଅଗ୍ନିଶମ ସେବା, ମହିଳା ଓ ଶିଶୁ ସହାୟତା ଇତ୍ୟାଦି ଉପଲବ୍ଧ ହେବ। ମହିଳାଙ୍କ ବିରୋଧରେ ଘଟୁଥିବା ଚାଞ୍ଚଲ୍ୟକର ଅପରାଧଗୁଡ଼ିକର ସଫଳତାର ସହ ପରିଚାଳନା କରିବା ନିମନ୍ତେ ସେହି ମାମଲାଗୁଡ଼ିକ ‘ରେଡ୍‌ ଫ୍ଲାଗ୍‌’ ପର୍ଯ୍ୟାୟଭୁକ୍ତ କରାଯାଇଛି। ୨୦୨୧ ଜୁଲାଇ ସୁଦ୍ଧା ୮୧ଟି ମାମଲାକୁ ରେଡ୍‌ ଫ୍ଲାଗ୍‌ ମାମଲା ଭାବେ ଗ୍ରହଣ କରାଯାଇଛି। ଚଳିତ ବର୍ଷ ୩୦.୬.୨୦୨୧ ସୁଦ୍ଧା ୯୬୧ଟି ସାଇବର ଅପରାଧ ମାମଲା ରୁଜୁ ହୋଇଥିଲା ବେଳେ ୧୫୧ ଜଣଙ୍କୁ ଗିରଫ କରାଯାଇଛି।

ସାଇବର ଅପରାଧର ମୁକାବିଲା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେଉଛନତି। ପୁଲିସ ବିଭାଗରେ ଖାଲି ଥିବା ପଦବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ତତ୍ତ୍ବାବଧାନରେ ବିଭିନ୍ନ ବର୍ଗର ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ମାହାଙ୍ଗା ଟ୍ରିପଲ୍‌ ମର୍ଡର୍‌ ସମ୍ପର୍କରେ ମନ୍ତ୍ରୀ କହିଥିଲେ ଯେ ଏହି ମାମଲାରେ ୧୩ ଜଣ ଆସାମୀଙ୍କ ବିରୋଧରେ ଅଦାଲତରେ ଚାର୍ଜସିଟ୍‌ ଦାଖଲ କରାଯାଇଛି। ସେଥିରୁ ତିନି ଜଣଙ୍କୁ ଫେରାର ଦର୍ଶାଯାଇଛି। ଜଣେ ଅଭିଯୁକ୍ତ ପ୍ରଫୁଲ୍ଲ କୁମାର ବିଶ୍ବାଳ ରାସ୍ତା ଦୁର୍ଘଟଣା‌ରେ ମୃତ୍ୟୁବରଣ କରିଥିବାରୁ ତାଙ୍କୁ ଦଣ୍ଡମୁକ୍ତ କରାଯାଇଛି। ସାଲେପୁର ଜେଏମ୍‌ଏଫ୍‌ସି ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ହୋଇଥିବା ଅଭିଯୋଗର ପୁନଃ ତଦନ୍ତ କରିବା‌ ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପୁଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ତଦନ୍ତ ଜାରି ରହିଛି।

ମାନସ ଦାସଙ୍କ ପ୍ରସଙ୍ଗରେ ମନ୍ତ୍ରୀ କହିଥିଲେ, ବସନ୍ତ କୁମାର ନାୟକ ଅପହରଣ, ମୃତ୍ୟୁ, ପ୍ରମାଣ ନଷ୍ଟ କରିବା ଓ ଅପରାଧିକ ଭୟକୁ ନେଇ ଦେଇଥିବା ଲିଖିତ ଅଭିଯୋଗ ଆଧାରରେ ବେଗୁନିଆ ପୁଲିସ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତ ୨ ତାରିଖରେ ମାନସ ଦାସ ଓ ମନୋରଞ୍ଜନ ଦାସଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ମାମଲା ଏବେ ତଦନ୍ତାଧୀନ ରହିଛି।

 

ସମ୍ବନ୍ଧିତ ଖବର