ସମ୍ବଲପୁର: ଦିନ ଗଡ଼ୁଛି। ସ୍ଥିତିରେ କିନ୍ତୁ ସୁଧାର ଆସୁନି। କୋର୍ଟକୁ ଆସୁନାହାନ୍ତି ଓକିଲ। କୋର୍ଟରେ ଅଚଳାବସ୍ଥା ଜାରି ରହିଛି। ଏପଟେ ବିଭିନ୍ନ କାମରେ କୋର୍ଟକୁ ଆସୁଥିବା ଲୋକେ ନିରାଶ ହୋଇ ଘରକୁ ଫେରୁଛନ୍ତି। ସମ୍ବଲପୁରରେ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି।

Advertisment

ଭାରତୀୟ ଆଇନଜୀବୀ ପରିଷଦ(ବିସିଆଇ) ୫୪ ଜଣ ଆଇନଜୀବୀଙ୍କ ବ୍ୟତୀତ ସମ୍ବଲପୁର ଓକିଲ ସଂଘର ସମସ୍ତ ସଦସ୍ୟଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିବା ପରେ ବି ୧୭ ତାରିଖରୁ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟରେ ଯୋଗ ଦେଇନାହାନ୍ତି। ଓକିଲମାନେ କୋର୍ଟ କାର୍ଯ୍ୟରେ ଯୋଗଦେଉନଥିବା କାରଣରୁ ଅବଳାବସ୍ଥା ଜାରି ରହିଛି। ସୁପ୍ରିମ କୋର୍ଟଙ୍କ ଭର୍ସନା ପରେ ପୁଲିସ ତତ୍ପରତା ଦେଖାଇଛି। ଗତ ୧୨ ତାରିଖର ଆନ୍ଦୋଳନ ଓ କୋର୍ଟ ଭିତରେ ଭଙ୍ଗାରୁଜା ଘଟଣାରେ ସଂପୃକ୍ତ ଓକିଲ ଓ ଅନ୍ୟ ଆନ୍ଦୋଳନକାରୀଙ୍କୁ ଗିରଫ ପାଇଁ ତନାଘନା ଚଳାଇଛି। ଏଭଳି ସ୍ଥିତିରେ ଗତ କିଛିଦିନ ମଧ୍ୟରେ ଯେଉଁମାନଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଥିବା କିମ୍ବା ତଥ୍ୟ ପ୍ରମାଣ ଆଧାରରେ ପୁଲିସ ଖୋଜାଖୋଜି କରୁଛି, ସଂପୃକ୍ତ ବ୍ୟକ୍ତିମାନେ ଆତ୍ମସର୍ମପଣ କରୁଥିବା ଦେଖିବାକୁ ମିଳିଛି।

ପୂର୍ବରୁ ୨ ଜଣ ଆଇନଜୀବୀ ପୁଲିସ ନିକଟରେ ଆତ୍ମସମର୍ପଣ କରାଯାଇଥିବା କହାଯାଇଥିଲା। ଆଜି ବରିଷ୍ଠ ଆଇନଜୀବୀ ସତ୍ୟନାରାୟଣ ପଣ୍ଡା ଉତ୍ତରାଂଚଳ ଆଇଜିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ତାଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି। ଏଥି ସହିତ ୮ ଜଣ କିନ୍ନର, ଜଣେ ନାଗରିକଙ୍କ ସହିତ ୨୯ ଜଣ ଆଇନଜୀବୀଙ୍କ ସହିତ ସର୍ବମୋଟ ୩୮ ଜଣ ଏବେ ଜେଲ୍ ହାଜତରେ ରହିଛନ୍ତି। ଆସନ୍ତାକାଲି ଜିଲ୍ଲା ଜଜ୍‌ଙ୍କ କୋର୍ଟରେ ୩ଟି ମାମଲାରେ ଜାମିନ ଆବେଦନ ଉପରେ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଛି। ଏହି ୩ ମାମଲା ମଧ୍ୟରୁ ଗୋଟିଏ ମାମଲାରେ ୨୨ ଜଣ, ଆଉ ଗୋଟିଏ ୧୪ ଜଣ ଓ ଅନ୍ୟ ଏକ ମାମଲାରେ ଜଣେ ବ୍ୟକ୍ତି ଜାମିନ ପାଇଁ ଆବଦେନ କରିଛନ୍ତି। ଜିଲ୍ଲା ଜଜ୍‌ଙ୍କ କୋର୍ଟରୁ ଜାମିନ ମିଳିବ ନା’ ଆବେଦନ ଖାରଜ ହେବ, ସେହି ଉପ‌ରେ ସମସ୍ତଙ୍କ ନଜର ରହିଛି। ତେବେ, ୧୦ ବର୍ଷର ପୁରୁଣା ପୂର୍ବତନ ଜିଲ୍ଲାପାଳ ଡାକ୍ତର ମୃଣାଳିନୀ ଦର୍ସୱାଲଙ୍କୁ ଆକ୍ରମଣ ମାମଲା‌ର ପୁଣି ଖୋଳତାଡ଼ ଆରମ୍ଭ ‌ହୋଇଛି। ଅପରପକ୍ଷରେ ବିଭିନ୍ନ ସମୟ‌ରେ ବିଭିନ୍ନ ଘଟଣାକୁ ନେଇ ରୁଜୁ ହୋଇଥିବା ପୁରୁଣା ମାମଲାରେ ଓକିଲମାନଙ୍କୁ ଏଥିରେ ସଂପୃକ୍ତ କରିବା ପାଇଁ ଯୋଜନା ଚାଲିଥିବା ଏବେ ଚର୍ଚ୍ଚା ଜୋର ଧରିଛି। ଏପଟେ ନିକଟ‌ରେ  ରାଜ୍ୟର ବିଭିନ୍ନ ଓକିଲ ସଂଘର ୨୦ ଜଣିଆ ପ୍ରତିନିଧି ଦଳ ସମ୍ବଲପୁର ଆଇଜି, ଜିଲ୍ଲାପାଳ, ଜିଲ୍ଲା ଜଜ୍‌ଙ୍କୁ ଭେଟି ଫେରିଥିବା ବେଳେ ଆଜି ସୋହେଲା ଓକିଲ ସଂଘର ଏକ ପ୍ରତିନିଧି ଦଳ ସମ୍ବଲପୁର ଆଇନଜୀବୀମାନଙ୍କୁ ଭେଟି ସାନ୍ତ୍ବନା ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଗତ ୨୩ ଏପ୍ରିଲ ୨୦୧୨ ମସିହାରେ ସମ୍ବଲପୁର ଓକିଲ ସଂଘର ସଭ୍ୟମାନ‌େ ବସ୍‌ ଯୋଗ‌େ ଅଘୋଷିତ ବିଦ୍ୟୁତ୍ କାଟ୍‌ର ପ୍ରତିବାଦ ପାଇଁ ବୁର୍ଲାରେ ଥିବା ୱେସ୍କୋର କର୍ପୋରେଟ୍‌ କାର୍ଯ୍ୟାଳୟ ଅଭିମୁଖେ ବାହାରିଥିଲେ। ଏହି ସମୟରେ ଜିଲ୍ଲାପାଳ ଡାକ୍ତର ମୃଣାଳିନୀ ଦର୍ସୱାଲ ବସ୍‌ ଭିତରେ ପଶି ଏହାର ପ୍ରତିବାଦ କରିବାରୁ ଅଭାବନୀୟ ଘଟଣା ଘଟିଥିଲା। ସେତେବେଳେ ଏହି ମାମଲାରେ ୧୮ ଜଣ ଓକିଲଙ୍କୁ ଗିରଫ କରାଯାଇଥିବା ବେଳେ ସେମାନେ ଜାମିନରେ ଆସିଥିଲେ। ଅଭିଯୋଗର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଏହି ମାମଲାର ତଦନ୍ତ ଭାର ସେତେବେଳେ କ୍ରାଇମ୍ ବ୍ରାଞ୍ଚ ଉପରେ ନ୍ୟସ୍ତ କରାଯାଇଥିଲା। ତ‌େବେ, ଗତ ୧୧ ମେ ୨୦୧୨ରେ ତତ୍କାଳୀନ ଉତ୍ତରାଂଚଳ ଆର୍‌ଡିସି କିଶୋର ଚନ୍ଦ୍ର ବାରିକଙ୍କ ଅଧ୍ୟକ୍ଷତା ଏବଂ ପୁଲିସ ଆଇଜି ଆର.ପି.କୋଚେ, ଜିଲ୍ଲାପାଳ ମୃଣାଳିନୀ ଦର୍ସୱାଲ, ଏସ୍‌ପି ନିଖିଳ କାନୋଡିଆ, ଜିଲ୍ଲା ଓକିଲ ସଂଘର ତତ୍କାଳୀନ ସଭାପତି ଡ.ପ୍ରମୋଦ ରଥ ଓ ସଂପାଦକ ବିଜିତେନ୍ଦ୍ରୀୟ ପ୍ରଧାନଙ୍କ ସହିତ ଅନ୍ୟମାନଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ‌ଜିଲ୍ଲାପାଳ ଏବଂ ଓକିଲମାନେ ପରସ୍ପର ବିରୋଧରେ ଦେଇଥିବା ଏତଲା ଆଧାରରେ ରୁଜୁ ମାମଲାର ପୂର୍ଣ୍ଣଚ୍ଛେଦ ଟାଣିବା ପାଇଁ ବୈଠକରେ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ଏହି ମାମଲାରେ ଚାର୍ଜସିଟ୍ ଏପର୍ଯ୍ୟନ୍ତ ବି ଦାଖଲ ହୋଇନାହିଁ। କେବଳ ସେତିକି ନୁହେଁ, ଗତ ୫ ମେ ୨୦୨୦ରେ ଓକିଲ ସଂଘର ପୂର୍ବତନ ସଭାପତି ଡ. ପ୍ରମୋଦ ରଥ ସମ୍ବଲପୁର ଏସ୍‌ପିଙ୍କ ଜରିଆରେ ଏଡିଜି(କ୍ରାଇମ୍‌)ଙ୍କୁ ଏକ ପତ୍ରଲେଖି ପୂର୍ବ ଆପୋସ ବୁଝାମଣା କଥା ସ୍ମରଣ କରାଇବା ସହିତ ଉକ୍ତ ମାମଲାରେ ପୂର୍ଣ୍ଣଚ୍ଛେଦ ଟାଣିବା ପାଇଁ ଅନୁରୋଧ କରିଥିଲେ। ଅଚାନକ ଏବେ ସେହି ୧୦ ବର୍ଷ ତଳର ପୁରୁଣା ମାମଲାର ତନାଘନା କରାଯାଉଛି। ସେହି ସମୟରେ ଯିଏ ଗିରଫ ଓକିଲମାନଙ୍କ ଜାମିନ କରାଇଥିଲେ ଏବେ ତାଙ୍କୁ ପୁଲିସ ଅଭିଯୁକ୍ତ କରାଇବାକୁ ଉଦ୍ୟମ କରୁଥିବା କହାଯାଇଛି। ଏହାକୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ଜନସାଧାରଣରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି।