ସମ୍ବଲପୁର: ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଦାବିରେ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପ୍ରତ୍ୟେକ ବୁଧବାର ଦିନ ସରକାରୀ କାର୍ଯ୍ୟାଳୟ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। ଏହି କ୍ରମରେ ବୁଧବାର ଜିଲ୍ଲା ଓକିଲ ସଂଘର ସଭ୍ୟମାନେ ପିକେଟିଂ କରି ସବୁ ସରକାରୀ କାର୍ଯ୍ୟାଳୟ ସହିତ ବିଚାର ବିଭାଗୀୟ ଅଦାଲତ ଅଚଳ କରାଯିବ ବୋଲି ଜିଲ୍ଲା ଓକିଲ ସଂଘର ସଭାପତି ସୁରେଶ୍ବର ମିଶ୍ର କହିଛନ୍ତି।
ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିକୁ ନେଇ ଭୁବନେଶ୍ବରରେ ଆନ୍ଦୋଳନ ସମୟରେ ଗତ ୨୮ ସେପ୍ଟେମ୍ବରରେ ରାଜ୍ୟ ସରକାରଙ୍କ ୩ ଜଣ ମନ୍ତ୍ରୀ ଓ ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା ହୋଇଥିଲା। ମାତ୍ର, ପ୍ରତିଶ୍ରୁତି ସତ୍ତ୍ବେ ସରକାର ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଓଡ଼ିଶା ହାଇକୋର୍ଟଙ୍କ ମତାମତ ନେଇ କେନ୍ଦ୍ରକୁ ଏକ ପୂର୍ଣ୍ଣାଂଗ ପ୍ରସ୍ତାବ ପଠାଇ ନାହାନ୍ତି। ତେଣୁ, ଦାବି ହାସଲ ନହେବା ପର୍ଯ୍ୟନ୍ତ ଆନ୍ଦୋଳନକୁ ଜୋରଦାର କରିବା ସହିତ ନଭେମ୍ବର ମାସର ପ୍ରତି ବୁଧବାର ସବୁ ବିଚାର ବିଭାଗୀୟ ଅଦାଲତ ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟଗୁଡ଼ିକୁ ପିକେଟିଂକରି ଅଚଳ କରାଯିବ ବୋଲି ଜଣାପଡ଼ିଛି।
ତେବେ,ଏଥିରୁ ବ୍ୟାଙ୍କ, ଏଲ୍ଆଇସି, ମହାନଗର ନିଗମ, ସ୍କୁଲ ଓ କଲେଜ ଆଦିକୁ ବାଦ୍ ଦିଆଯାଇଛି ବୋଲି ଜିଲ୍ଲା ଓକିଲ ସଂଘର ସଭାପତି ଶ୍ରୀ ମିଶ୍ର କହିଛନ୍ତି। ଫ୍ୟୁଜ୍ କଲ୍ ସେଣ୍ଟର ଖୋଲା ରହିଥିଲେହେଁ ଟାଟା ପାୱାରର କର୍ପୋରେଟ୍ ଅଫିସ ସମ୍ମୁଖରେ ପିକେଟିଂ କରି ବନ୍ଦ କରାଯିବ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ପାଇଲ୍ଟ ପ୍ରଜୋକ୍ଟ ଭାବେ ସମ୍ବଲପୁରରେ ଆରମ୍ଭ ହୋଇଥିବା ବିଦ୍ୟୁତ୍ ପ୍ରିପେଡ୍ ମିଟର ଓ ପାଣି ମିଟର ସଂଯୋଗକୁ ଜିଲ୍ଲା ଓକିଲ ସଂଘ ବିରୋଧ କରୁଛି। ପାଇଲଟ୍ ପ୍ରୋଜେକ୍ଟ ନାମରେ ସମ୍ବଲପୁରର ନିରୀହ ଜନସାଧାରଣଙ୍କୁ ଦିଆଯାଉଥିବା ନିର୍ଯାତନା ଓ ମନମୁଖି ପ୍ରଶାସନିକ କାର୍ଯ୍ୟର ବି ପ୍ରତିବାଦ କରାଯିବାକୁ ଜିଲ୍ଲା ଓକିଲ ସଂଘର ସାଧାରଣ ପରିଷଦ ବୈଠକରେ ସ୍ଥିର କରାଯାଇଛି। ସମ୍ବଲପୁର ତଥା ବିଶେଷକରି ପଶ୍ଚିମ ଓଡ଼ିଶା ପ୍ରତି ରାଜ୍ୟ ସରକାର ପାତର ଅନ୍ତର କରୁଥିବାରୁ ସ୍ବତନ୍ତ୍ର ରାଜ୍ୟ ଦାବି ଆନ୍ଦୋଳନକୁ ପୂର୍ଣ୍ଣ ସମର୍ଥନ କରିବାକୁ ସ୍ଥିର କରାଯାଇଛି।